ଷ୍ଟାଚ୍ୟୁ ଅଫ ୟୁନିଟିକୁ ନେଇ ବିଶ୍ୱରେ ଚର୍ଚ୍ଚା, ମହାକାଶରୁ ସ୍ପଷ୍ଟ ଦେଖାଯାଉଛି

ନୂଆଦିଲ୍ଲୀ : ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ବୋଲି କୁହାଯାଉଛି । ଏହି ପ୍ରତିମୂର୍ତ୍ତିଟି ପ୍ରାୟ ୧୮୨ ମିଟର ଉଚ୍ଚ । ଏବେ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଏହି ମୂର୍ତ୍ତିଟି ମହାକାଶରୁ ସ୍ପଷ୍ଟଭାବେ ଦେଖାଯାଉଛି । ଏହାର ଏକ ସାଟେଲାଇଟ ଫଟୋ ଆମେରିକୀୟ ସଂସ୍ଥା ପ୍ଲାନେଟ୍‌ ଡଟ କମ ପକ୍ଷରୁ ଜାରି କରାଯାଇଛି । ଏହି ଚିତ୍ରରେ ଷ୍ଟାଚ୍ୟୁ ଅଫ ୟୁନିଟି ସ୍ପଷ୍ଟ ଭାବରେ ଦେଖାଦେଇଛି ।

 

ଅନ୍ୟପକ୍ଷରେ ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ଲୌହମାନବ ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତିକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ଦିନକୁ ଦିନ ଭୀଡ ବଢିଚାଲିଛି । ପ୍ରବଳ ଦର୍ଶକ ଆସୁଥିବାରୁ ପରିଚାଳନାରେ କେତେକ ସମସ୍ୟା ଦେଖାଦେଇଛି । ମୃର୍ତ୍ତି ଭିତରେ ଲାଗିଥିବା ଲିଫ୍ଟରେ ଦିନକୁ ପ୍ରାୟ ୫ ହଜାର ଲୋକ ହିଁ ଯାଇପାରିବେ । ସେହିପରି ମୃର୍ତ୍ତି ଭିତରେ ୧୩୫ ମିଟର ଉଚ୍ଚରେ ଥିବା ଗ୍ୟାଲେରୀରେ ଗୋଟିଏ ଥରରେ ମାତ୍ର ୨୦୦ ଦର୍ଶକ ଦେଖିପାରିବେ । ଏଣୁ ଏତେ ଲୋକଙ୍କୁ କିପରି ଦେଖିବାକୁ ସୁଯୋଗ ଦିଆଯିବ ତାହାକୁ ଗୁଜୁରାଟ ସରକାରଙ୍କ ଚିନ୍ତା ବଢିଯାଇଛି ।

ସମ୍ବନ୍ଧିତ ଖବର