ଅହମ୍ମଦାବାଦ: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ଙ୍କ ସ୍ମୃତିରେ ନିର୍ମିତ େହାଇଥିବା ବିଶ୍ବର ସବୁଠାରୁ ବିଶାଳକାୟ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଆସନ୍ତାକାଲି ଲୋକାର୍ପିତ ହେବ। ଗୁଜରାଟର ନର୍ମଦା ନଦୀ କୂଳରେ ନିର୍ମିତ ଏହି ୧୮୨ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ। ଉଦ୍ଘାଟନ ହେବା ପରେ ଏହା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତିରେ ପରିଗଣିତ ହେବ। ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତାଠାରୁ ଏହା ଦ୍ବିଗୁଣ ହେବ।
୨,୯୮୯ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ଅନେକ ଗ୍ରାମବାସୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ପାଖାପାଖି ୭୨ଟି ଗ୍ରାମ ଏଥିଯୋଗୁଁ ପ୍ରଭାବିତ ହୋଇଛ। ସର୍ଦ୍ଦାର ସରୋବର ଡ୍ୟାମ୍ ନିକଟସ୍ଥ ୨୨ଟି ଗ୍ରାମର ମୁଖିଆମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରୋଧ କରି ଏକ ଖୋଲା ଚିଠି ଲେଖିଛନ୍ତି। ଉନ୍ମୋଚନ ଉତ୍ସବ ପାଇଁଁ ମୋଦୀଙ୍କୁ ସେମାନେ ସ୍ବାଗତ କରିବେ ନାହିଁ ବୋଲି କହିଛନ୍ତି।
ସ୍ଥାନୀୟ ଆଦିବାସୀ ନେତାମାନେ ପ୍ରତିମୂର୍ତ୍ତି ଉଦ୍ଘାଟନ ଉତ୍ସବକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି। ପାଖାପାଖି ୭୨ଟି ଗ୍ରାମର ବାସିନ୍ଦା ଆସନ୍ତାକାଲି ଆନ୍ଦୋଳନରେ ଯୋଗଦେବେ। ସେମାନେ କହିଛନ୍ତି, କାଲି ମୋଦୀ ପ୍ରତିମୂର୍ତ୍ତି ଉଦ୍ଘାଟନ କରି ଉତ୍ସବ ମନାଇବେ ସତ, କିନ୍ତୁ ନିକଟସ୍ଥ ୭୨ ଗ୍ରାମରେ ଚୁଲି ଜଳିବ ନାହିଁ। ପ୍ରକଳ୍ପ କାର୍ଯ୍ୟ ପାଇଁ ନିକଟସ୍ଥ ଅନେକ ଜଙ୍ଗଲ, ଜମି ପ୍ରଭାବିତ ହୋଇଛି। ଅନେକଙ୍କ ଜମି ଚାଲିଯାଇଛି। କିନ୍ତୁ ଜମି ବଦଳରେ ଦିଅାଯାଇଥିବା ପ୍ରତିଶ୍ରୁତି ଏ ଯାଏ ପୂରଣ ହୋଇନାହିଁ।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ େଯଉଁ ଜଙ୍ଗଲ ଜମି ସେମାନଙ୍କୁ ଖାଦ୍ୟ ଯୋଗାଉଥିଲା ଏବଂ ଯାହା ଉପରେ ନିର୍ଭର କରି ସେମାନେ ଆଜି ପର୍ଯ୍ୟନ୍ତ ଜୀବିକା ନିର୍ବାହ କରିଆସୁଛନ୍ତି, ତାହା ଆଜି ନଷ୍ଟ ହୋଇଯାଇଛି। ପ୍ରଳକ୍ପ ହେତୁ ଲୋକଙ୍କ କଷ୍ଟ ଅର୍ଜିତ ଧନ ମଧ୍ୟ ନଷ୍ଟ ହୋଇଯାଇଛି। ପ୍ରାକୃତିକ ସମ୍ପତ୍ତିକୁ ଏଭଳି ଭାବେ ନଷ୍ଟ କରାଯାଇଛି ବୋଲି ଯଦି ସର୍ଦ୍ଦାର ପଟେଲ୍ ଦେଖନ୍ତି, ତେବେ ସେ ମଧ୍ୟ କାନ୍ଦିପକାଇବେ ବୋଲି ଗ୍ରାମବାସୀ ମୋଦୀଙ୍କୁ ଚିଠି ଲେଖି କହିଛନ୍ତି। ମୋଦୀ ସେମାନଙ୍କ ଦୁଃଖ ଶୁଣିନାହାନ୍ତି ବୋଲି ସେମାନେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ମୋଦୀ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ସ୍ଥାନୀୟ ଲୋକମାନେ ବିକୃତ କରିଦେଇଛନ୍ତି।
‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଉଦ୍ଘାଟନ ଆଜି : ପ୍ରକଳ୍ପ ପାଇଁ ୭୨ ଗ୍ରାମ ପ୍ରଭାବିତ
/sambad/media/post_attachments/wp-content/uploads/2018/10/1540830207-Statue_of_Unity.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)