ଏସସିଓ ଦ୍ୱାରା ଘୋଷିତ ବିଶ୍ବର ଅଷ୍ଟାଶ୍ଚର୍ଯ୍ୟ ସୂଚୀରେ ସ୍ଥାନ ପାଇଲା ଭାରତର ଷ୍ଟାଚ୍ୟୁ ଅଫ ୟୁନିଟି

ନୂଆଦିଲ୍ଲୀ : ଗୁଜୁରାଟରେ ଥିବା ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟି’ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପକ୍ଷରୁ ଜାରି ଅଷ୍ଟାଶ୍ଚର୍ଯ୍ୟ ସୂଚୀରେ  ସ୍ଥାନ ପାଇଛି । ଏ ସଂପର୍କରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।

ଟ୍ଵିଟରରେ ଜୟଶଙ୍କର ଲେଖିଛନ୍ତି ଯେ ପର୍ଯ୍ୟଟନର ପ୍ରେତ୍ସାହନ ଦିଗରେ ଏସିଓର ଅବଦାନ ପ୍ରସଂଶନୀୟ ରହିଆସିଛି । ଏହି ସମ୍ମାନ ଆମ ପାଇଁ ଏକ ପ୍ରେତ୍ସାହନର କାମ କରିବ । ଏସସିଓର ମହାସଚିବ ଭ୍ଲାଦିମିର ନୋରୋଭଙ୍କ ସହିତ ଆଲୋଚନା ପରେ ସେ ଏହି ଘୋଷଣା କରିଥିଲେ ।

ଏସସିଓ ଦ୍ୱାରା ଘୋଷିତ ଅନ୍ୟ ଆଶ୍ଚର୍ଯ୍ୟଗୁଡ଼ିକ ହେଲା ଚୀନର ଡାମିଂ ପ୍ୟାଲେସ, କିରଗୀଜସ୍ତାନର ଇସକ-କୁଲ ହ୍ରଦ, କାଜାଖସ୍ତାନର ତାମଗାଲି ସ୍ଥାପତ୍ୟ, ପାକିସ୍ତାନର ଲାହୋରରେ ଥିବା ମୋଗଲ ସ୍ଥାପତ୍ୟ, ଋଷିଆର ଗୋଲଡେନ ରିଂ ସିଟି, ତାଜିକିସ୍ତାନର ନୋରୁଜ ପ୍ୟାଲେସ, ଉଜବେକିସ୍ତାନର ପୋଇ କାଲୋନ କଂପ୍ଲେକ୍ସ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ଅକ୍ଟୋବର ୩୧ରେ ଏହାକୁ ଉଦଘାଟନ କରିଥିଲେ । ଉଦଘାଟନ ପରଠାରୁ ଏହାକୁ ଦେଖିବାକୁ ଲୋକଙ୍କ ମନରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହେଉଛି । ଉଦଘାଟନ ହେବା ପରଠାରୁ ଗତ ନଭେମ୍ବର ୧୬,୨୦୧୯ ସୁଦ୍ଧା ଏହାକୁ ପ୍ରାୟ ୨୯ ଲକ୍ଷ ପର୍ଯ୍ୟଟକ ବୁଲି ଦେଖିଛନ୍ତି । ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଭାରତର ଲୌହମାନବ ସର୍ଦ୍ଦାର ବଳ୍ଲଭ ଭାଇ ପଟେଲଙ୍କର ଏହି  ପ୍ରତିମୂର୍ତ୍ତି ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ମାନ୍ୟତା ଲାଭ କରିବା‌ ସହ  ଉପଗ୍ରହ ଫଟୋଚିତ୍ରରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି ।

ସମ୍ବନ୍ଧିତ ଖବର