ଅକ୍ଟୋବରରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଲୋକାର୍ପଣ:୮୫ ପ୍ରତିଶତ କାମ ଶେଷ

ନିର୍ମାଣ ହେବ ‘ଶ୍ରେଷ୍ଠ ଭାରତ ଭବନ’

ଗାନ୍ଧୀନଗର: ଦେଶବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବା ପାଇଁ ଠିଆ ହେବ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’। ଗୁଜରାଟର ସର୍ଦ୍ଦାର ସରୋବର ଡ୍ୟାମ୍‌ ଠାରୁ ୩.୫ କିଲୋମିଟର ଦୂର ସାଧୁବେଟ୍‌ରେ ଏହି ୧୮୨ ମିଟର ଉଚ୍ଚତାବିଶିଷ୍ଟ ବିଶାଳ ପ୍ରତିମୂର୍ତିର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ବଲ୍ଲବଭାଇ ପଟେଲ୍‌ଙ୍କର ଏହି ବିଶାଳ ପ୍ରତିମାକୁ ରାଷ୍ଟ୍ରବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଭାରତର ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲବଭାଇ ପଟେଲ୍‌ଙ୍କର ୧୪୩ତମ ଜୟନ୍ତୀ ଅବସରରେ ଏହାର ଲୋକାର୍ପଣ ହେବ ବୋଲି ଜଣାପଡ଼ିଛି।
ସରକାରୀ ସୂତ୍ର ଦର୍ଶାଇଛି ଯେ ଅକ୍ଟୋବର ୩୧ରେ ବଲ୍ଲବଭାଇ ପଟେଲଙ୍କ ଜୟନ୍ତୀ ଦୃଷ୍ଟିରୁ ଏହା ଏକ ଐତିହାସିକ ଦିନ। କିନ୍ତୁ ଏହି ତାରିଖ ସହିତ ଆଉଏକ ଇତିହାସ ଯୋଡ଼ିହେବାକୁ ଯାଉଛି। ଏହି ଦିନ ଦେଶରେ ପଟେଲ୍‌ଙ୍କର ବିରାଟ ପ୍ରତିମୂର୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଲୋକାର୍ପଣ ହେବ। ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ଲାଗି ଯୋଜନା ରହିଛି। ବର୍ତମାନ ପ୍ରତିମୂର୍ତିର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଅକ୍ଟୋବର ୨୫ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ। ଶନିବାର ପ୍ରତିମୂର୍ତି ସ୍ଥଳ ଗସ୍ତ ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଥିଲେ, ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରତିମୂର୍ତିର ଇସ୍ପାତ ଢାଞ୍ଚା ସ୍ଥାନିତ କରାଯିବ ଏବଂ ଏହାପରେ ଅକ୍ଟୋବର ୧୦ ସୁଦ୍ଧା ପ୍ରତିମୂର୍ତି ଉପରେ ବ୍ରୋଞ୍ଜ୍‌ ପ୍ୟାନେଲ୍‌ ଖଞ୍ଜାଯିବ। ଆଗାମୀ ୧୫ ଦିନ ମଧ୍ୟରେ ବିଶ୍ୱର ଏହି ଉଚ୍ଚତମ ପ୍ରତିମୂର୍ତିକୁ ଶେଷ ସ୍ପର୍ଶ ଦିଆଯିବ। ରୁପାନି ଆହୁରି ସୂଚାଇଛନ୍ତି ଯେ ୮୫ ପ୍ରତିଶତ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ପ୍ରତିମୂର୍ତି ପାର୍ଶ୍ୱରେ ଏକ ‘ଶ୍ରେଷ୍ଠ ଭାରତ ଭବନ’ ମଧ୍ୟ ନିର୍ମାଣ କରାଯିବ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଦେଶବାସୀଙ୍କ ମଧ୍ୟରେ ଏକତା ବଜାୟ ରଖିବା ଲାଗି ପଟେଲ୍‌ ଯେଉଁ ମନ୍ତ୍ର ଦେଇଥିଲେ, ତାହା ଏହି ଭବନ ଦର୍ଶାଇବ। ଏଠାରେ ୫୨ଟି କକ୍ଷ ରହିବ ବୋଲି ରୁପାନି କହିଛନ୍ତି।
ବିଶ୍ୱର ଏହି ଉଚ୍ଚତମ ପ୍ରତିମୂର୍ତିକୁ ଦେଖିବା ପାଇଁ ଦେଶବିଦେଶର ହଜାର ହଜାର ଲୋକ ଆସିବେ। ତେଣୁ ଏହାର ପାର୍ଶ୍ୱ ଅଞ୍ଚଳକୁ ରେଳ, ସଡ଼କ ଓ ଜଳ ପରିବହନ ବ୍ୟବସ୍ଥା କରାଯିବ। ସବୁ ପ୍ରକାର ବିଶ୍ୱଶ୍ରେଣୀୟ ଭିତ୍ତିଭୂମି ସୁବିଧା ଏଠାରେ କରାଯିବ। ଖାଲି ସେତିିକି ନୁହେଁ, ପ୍ରକଳ୍ପରେ ପରିଚ୍ଛନ୍ନତା ଏବଂ ନିରାପତ୍ତାକୁ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯିବ ବୋଲି ମଖ୍ୟମନ୍ତ୍ରୀ ରୁପାନି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୩ ଅକ୍ଟୋବରରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ ୩,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ବିପୁଳ ପରିମାଣର ଲୁହା ବ୍ୟବହାର କରାଯାଇଛି। ଦେଶବାସୀ ଏଥିପାଇଁ ଲୁହା ଦାନ କରିଥିଲେ। ଯଦିଓ ଏହି ପ୍ରତିମୂର୍ତିର ଉଚ୍ଚତା ୧୮୨ ମିଟର ହେବ, କିନ୍ତୁ ମୂଳଭିତ୍ତିକୁ ହିସାବ କଲେ ଏହାର ଉଚ୍ଚତା ୨୪୦ ମିଟର ହେବ। ଏହାକୁ ତିଆରି ପାଇଁ ୭୫,୦୦୦ କ୍ୟୁବିକ୍‌ ମିଟର କଂକ୍ରିଟ୍‌, ୫,୭୦୦ ଟନ୍‌ର ଲୁହା, ୧୮,୫୦୦ ଟନ୍‌ର ଲୁହାଛଡ଼, ୨୨,୫୦୦ ବ୍ରୋଞ୍ଜ୍‌ ସିଟ୍‌ ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର