ବନ୍ଦ ହେବ ଷ୍ଟେରଲାଇଟ କପର ପ୍ଲାଣ୍ଟ୍‌

ତୁତିକୋରିନ୍‌ : ବ୍ୟାପକ ଆନ୍ଦୋଳନ ଏବଂ ପୁଲିସ ଗୁଳିରେ ୧୩ ଜଣଙ୍କ ମୃତ୍ୟୁ ହେବାପରେ ଶେଷରେ ତାମିଲନାଡ଼ୁ ସରକାରଙ୍କ ଚେତା ପଶିଛି। ଆଜି ତୁତିକୋରିନ୍‌ ସ୍ଥିତ ବେଦାନ୍ତ ଗ୍ରୁପ୍‌ର ଷ୍ଟେରଲାଇଟ୍‌ କପର ପ୍ଲାଣ୍ଟ୍‌ ବନ୍ଦ କରିବା ପାଇଁ ତାମିଲନାଡ଼ୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତାମିଲନାଡୁ ସରକାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖି କପର ୟୁନିଟ ସିଲ କରିବା ସହ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ଭାବନାକୁ ଦୃଷ୍ଟିରେ ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ପନିରସେଲଭମ୍‌ କହିଛନ୍ତି। ଗତ ସପ୍ତାହରେ ଏହି ପ୍ଲାଣ୍ଟର ସମ୍ପ୍ରସାରଣରେ ମାଡ୍ରାସ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ପନିରସେଲଭମ୍‌ ମଧ୍ୟ ଆଜି ତୁଥୁକୁଡ଼ି ସ୍ଥିତ ଡାକ୍ତରଖାନା ଯାଇ ଗତ ମେ’ ୨୨ ତାରିଖ ଆନ୍ଦୋଳନବେଳେ ଆହତମାନଙ୍କୁ ଭେଟିଥିଲେ। ଅନ୍ୟପକ୍ଷରେ ତୁଥୁକୁଡ଼ିରେ ସ୍ୱାଭାବିକ ସ୍ଥିତି ଫେରିଛି। ଗତ ମେ’ ୨୩ ତାରିଖରୁ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ଥିବାବେଳେ ଗତକାଲି ଇଣ୍ଟରନେଟ୍‌୍‌ ସେବା ପୁଣିଥରେ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ତୁତିକୋରିନ୍‌ ସ୍ଥିତ ବେଦାନ୍ତ ଷ୍ଟେରଲାଇଟ୍‌ କପର ପ୍ଲାଣ୍ଟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ଦେଖାଯାଉଥିବା ଦାବି କରି ସ୍ଥାନୀୟ ତୁତିକୋରିନ୍‌ ଅଞ୍ଚଳର ହଜାର ହଜାର ଲୋକ ପାଖାପାଖି ୩ମାସରୁ ଊର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ କରି ଆସୁଥିଲେ। କିନ୍ତୁ ଗତ ମେ’ ୨୨ ତାରିଖରେ ଏହି ଆନ୍ଦୋଳନ ଅତି ଭୟଙ୍କର ରୂପ ନେଇଥିଲା। ପ୍ରାୟ ୫୦୦୦ ଲୋକ ଆନ୍ଦୋଳନ କରୁଥିବା ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର