ଶିବରାଜ ସିଂହ ଚୌହାନ୍‌ଙ୍କ ଗାଡ଼ିକୁ ପଥର ମାଡ଼: ଆକ୍ରମଣକୁ ନେଇ ରାଜନୀତି

କର୍ମୀ ପଥର ଫିଙ୍ଗିନାହାନ୍ତି: କଂଗ୍ରେସ କଂଗ୍ରେସର ହାତ:ଶିବରାଜ

0 61

ଭୋପାଳ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କର ଜନ ଆଶୀର୍ବାଦ ଯାତ୍ରାର ଏକ ଅଂଶ ଭାବେ ରବିବାର ବିଭିନ୍ନ ରାଜ୍ୟ ଗସ୍ତ କରିଥିଲେ। ଏହି ସମୟରେ ଚୌହାନଙ୍କ ଗାଡ଼ି ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ। ଘଟଣାରେ ପୁଲିସ ଆଜି ୯ ଜଣଙ୍କୁ ଗିରଫ କରିଛି। ଯେଉଁ ସ୍ଥାନରେ ଚୌହାନଙ୍କ ଗାଡ଼ିକୁ ପଥର ମାଡ଼ ହୋଇଥିଲା, ତାହା ବିରୋଧୀ ଦଳ ନେତା ଅଜୟ ସିଂହଙ୍କ ନିର୍ବାଚନମଣ୍ଡଳୀଠାରୁ ଅଳ୍ପ କିଛି ବାଟ ଥିଲା ବୋଲି ବିଜେପି ମୁଖପାତ୍ର ଆଜନିଶ ଅଗ୍ରଓ୍ଵାଲ୍‌ କହିଛନ୍ତି। ତେବେ ଘଟଣାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଛି।
ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ଭୂପେନ୍ଦ୍ର ସିଂହ ସୋମବାର କହିଛନ୍ତି ଯେ କ୍ଷମତାକୁ ଆସିବା ପାଇଁ କଂଗ୍ରେସ ଏବେ ବ୍ୟଗ୍ର ହୋଇଉଠିଛି। ତେଣୁ ଏଭଳି କାଣ୍ଡ ଘଟାଉଛି। ଏମିତି କି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଭଳି ଯୋଜନା ବି କରାଯାଉଛି ବୋଲି ସେ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଭୂପେନ୍ଦ୍ର କହିଛନ୍ତି, ଘଟଣାରେ ଆଜି ପୁଲିସ କଂଗ୍ରେସର ୯ ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିନେଇଛି। ପଟପରା ଗାଁରେ ଏହି ଘଟଣା ଘଟିଥିଲା। ସେଠାରେ ଉପସ୍ଥିତ ଲୋକଙ୍କ ବୟାନକୁ ଭିତ୍ତିକରି ଏମାନଙ୍କୁ ଗିରଫ କରାଯାଇଛି। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଚୌହାନ୍‌ଙ୍କ ଗସ୍ତ ବେଳେ ଦଳ କର୍ମକର୍ତ୍ତାମାନେ କଳା ପତାକା ଦେଖାଇଥିଲେ। କିନ୍ତୁ ପଥର ଫିଙ୍ଗିନଥିଲେ। ତେବେ ଘଟଣାରେ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଜେଲ୍‌ ପଠାଇ ଦିଆଯିବା ଆବଶ୍ୟକ। ଚୌହାନ୍‌ ଆମର ମୁଖ୍ୟମନ୍ତ୍ରୀ ଏବଂ ମୁଁ ଏ ଘଟଣାକୁ ତୀବ୍ର ନିନ୍ଦା କରୁଛି ବୋଲି ସିନ୍ଦିଆ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଚୌହାନ୍‌ କଂଗ୍ରେସକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ ମୋ ରକ୍ତ ପିଇବାକୁ ଚାହୁଛି। କିନ୍ତୁ ମଧ୍ୟପ୍ରଦେଶରେ ପୂର୍ବରୁ ଏଭଳି କେବେ ଘଟିନାହିଁ ବୋଲି ସେ କହିଛନ୍ତି। କଂଗ୍ରେସର ନେତା ଏବଂ କର୍ମୀମାନେ ଯାହା କରୁଛନ୍ତି ତାହା କ’ଣ ଠିକ୍‌ କି ବୋଲି ଚୌହାନ୍‌ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି।
ଭୂପେନ୍ଦ୍ର କହିଛନ୍ତି ଯେ ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ଚୌହାନ୍‌ ଥିବା ପର୍ଯ୍ୟନ୍ତ ରାଜ୍ୟରେ କ୍ଷମତାକୁ ଆସିପାରିବ ନାହିଁ ବୋଲି କଂଗ୍ରେସ ଜାଣିସାରିଲାଣି। ତେଣୁ ଚୌହାନ୍‌ଙ୍କୁ ରାସ୍ତାରୁ ହଟାଇବା ଭଳି ଯୋଜନା କରୁଛି। ରାଜ୍ୟର ଜନତା ଏହାର ଜବାବ ଦେବେ। ଏଣିକି ଚୌହାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏଥିପାଇଁ ନିର୍ଦ୍ଦେଶ ଜାରି ହୋଇଥିବା ସେ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ଘଟଣାରେ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ପଂକଜ ସିଂହ ଚୌହାନ୍‌ (୩୨), ଗୌରବ ସିଂହ ଚୌହାନ୍‌ (୨୧), ରୋଶନ୍‌ ସିଂହ (୧୮), ଶିବେନ୍ଦ୍ର ସିଂହ (୨୪), ସୌରଭ ସିଂହ (୨୧), ଚରଣ ସିଂହ (୨୨), ସଂଜୟ ସିଂହ (୨୮) ରହିଛନ୍ତି। ଏମାନେ ସମସ୍ତେ ପଟପରା ଗାଁର ବାସିନ୍ଦା। ଅନ୍ୟ ଗିରଫ ବ୍ୟକ୍ତିଦ୍ୱୟ ହେଲେ ସୌରଭ ଦ୍ୱିବେଦୀ ଓ ରାମବିଳାସ ପଟେଲ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.