ସୁପ୍ରିମ୍‌ କୋର୍ଟରେ ଶୁଣାଣି ସ୍ଥଗିତ, ଜାନୁଆରି ୧୯ରେ ହେବ ଶୁଣାଣି

ଜମ୍ମୁ କଶ୍ମୀରରେ ଧାରା ୩୫(ଏ)ର ବୈଧତା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ବିଶେଷ ଅଧିକାର ପ୍ରଦାନ କରୁଥିବା ଧାରା ୩୫-ଏର ବୈଧତା ନେଇ ସୁପ୍ରିମ୍‌ କୋର୍ଟରେ ଚାଲିଥିବା ଶୁଣାଣିକୁ ଆଜି ସ୍ଥଗିତ ରଖାଯାଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ସରକାରଙ୍କ ଯୁକ୍ତିକୁ ଗ୍ରହଣ କରି ଶୁଣାଣି ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏ ବାବଦ ପରବର୍ତ୍ତୀ ଶୁଣାଣି ୧୯ ଜାନୁଆରି ୨୦୧୯ରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ଜମ୍ମୁ କଶ୍ମୀର ସରକାର ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ନେଇ ବ୍ୟସ୍ତ ରହିଥିବାରୁ ଶୁଣାଣି ସ୍ଥଗିତ ରଖାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ହାଜର ହୋଇଥିବା ଏଟର୍ଣ୍ଣ ଜେନେରାଲ କେ.କେ. ବେଣୁଗୋପାଳ କହିଥିଲେ ଯେ ସମସ୍ତ ନିରାପତ୍ତା ସଂସ୍ଥା ଏବେ ରାଜ୍ୟରେ ପୌର ଓ ପଂଚାୟତ ନିର୍ବାଚନକୁ ସୁରୁଖୁରୁରେ କରିବା ପାଇଁ ବ୍ୟସ୍ତ ରହିଛନ୍ତି। ଧାରା ୩୫-ଏ ପ୍ରସଙ୍ଗ ନେଇ ଜମ୍ମୁ କଶ୍ମୀର ରାଜନୀତି ସରଗରମ ରହିିଛି। ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ ଧାରା ୩୫-ଏର ସାମ୍ବିଧାନିକ ବୈଧତା ନେଇ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଂଜ କରିଛନ୍ତି। ଜମ୍ମୁ କଶ୍ମୀରର ଦୁଇ ପ୍ରମୁଖ ଆଂଚଳିକ ଦଳ ପିଡିପି ଏବଂ ନ୍ୟାସନାଲ କନ୍‌୍‌ଫରେନ୍‌୍‌ସ ଏହି ମାମଲାରେ ସୁପ୍ରିମ୍‌ କୋର୍ଟର ଶୁଣାଣିକୁ ବିରୋଧ କରୁଛନ୍ତି। ଧାରା ୩୫-ଏକୁ ୧୯୫୪ରେ ରାଷ୍ଟ୍ରପତିଙ୍କ ଆଦେଶ ମାଧ୍ୟମରେ ସମ୍ବିଧାନରେ ଯୋଡ଼ା ଯାଇଥିଲା। ଧାରା ୩୫-ଏ ଜମ୍ମୁ କଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ ବିଶେଷ ଅଧିକାର ପ୍ରଦାନ କରିଛି। ରାଜ୍ୟ ବାହାରର କୌଣସି ବ୍ୟକ୍ତିଙ୍କୁ ବିବାହ କରୁଥିବା ମହିଳାଙ୍କ ସମ୍ପତ୍ତି ଅଧିକାର ରହିବ ନାହିଁ ବୋଲି ମଧ୍ୟ ଏଥିରେ ବ୍ୟବସ୍ଥା ଥିବା ବେଳେ କୌଣସି ବାହାର ରାଜ୍ୟର ବ୍ୟକ୍ତି ଏଠାରେ ସରକାରୀ ଯୋଜନାର ଫାଇଦା ନେଇପାରିବ ନାହିଁ କି ସରକାରୀ ଚାକିରି ପାଇପାରିବ ନାହିଁ ବୋଲି ମଧ୍ୟ ବ୍ୟବସ୍ଥା ରହିଛି । ରାଜ୍ୟର ସ୍ଥାନୀୟ ନିର୍ବାଚନରେ ମଧ୍ୟ ବାହାରୁ ଆସିଥିବା ମତଦାତା ଭାଗ ନେଇପାରିବେ ନାହିଁ । ତେବେ ପାକ୍‌ ଅଧିକୃତ କଶ୍ମୀରରେ ଏଭଳି କୌଣସି ସ୍ୱତନ୍ତ୍ର ଅଧିକାର ବ୍ୟବସ୍ଥା ନଥିବା ବେଳେ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କାହିଁକି ରହିବ ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର