କେମ୍ବ୍ରିଜ୍‌ ଆନାଲିଟିକା କେଳେଙ୍କାରୀକୁ ନେଇ ଝଡ଼

ଧୋକା ଦେଇଛି ଫେସ୍‌ବୁକ୍‌!
୫ କୋଟି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି
କଂଗ୍ରେସ-ବିଜେପି ମୁହାଁମୁହିଁ, ଆଇନ ମନ୍ତ୍ରୀଙ୍କ ଚେତାବନୀ

ନୂଆଦିଲ୍ଲୀ : ଫେସବୁକ୍‌ ଏବଂ ରାଜନୈତିକ ତଥ୍ୟ (ଡାଟା) ବିଶ୍ଲେଷଣକାରୀ ସଂସ୍ଥା କେଂବ୍ରିଜ୍‌ ଆନାଲିଟିକାକୁ ନେଇ ଭାରତରେ ଏବେ ବଡ଼ ଧରଣର ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଏହି ସଂସ୍ଥାର ସହାୟତା ନିଆଯାଉଛି ବୋଲି ଉଭୟ ବିଜେପି ଏବଂ କଂଗ୍ରେସ ପରସ୍ପର ଉପରେ ଦୋଷାରୋପ କରିଛନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସ ଏହି ସଂସ୍ଥାର ସହାୟତା ନେଉଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ କଂଗ୍ରେସ ଏହାକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ କଂଗ୍ରେସ ପାଲଟା ଅଭିଯୋଗ କରିଛି ଯେ ୨୦୧୦ ନିର୍ବାଚନରେ ବିଜେପି ଏହାର ସହାୟତା ନେଇଥିଲା।

ସୂଚନାଯୋଗ୍ୟ, ବ୍ରିଟେନର ଏହି ସଂସ୍ଥା କେଂବ୍ରିଜ୍‌ ଆନାଲିଟିକା ବିରୋଧରେ ଗୁରୁତର ଅଭିଯୋଗ ରହିଛି। ଆମେରିକାରେ ଗତ ରାଷ୍ଟ୍ରପତି ନିର୍ବାଚନରେ ଏହା ଫେସବୁକର ୫ କୋଟି ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରିଥିଲା। ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଏହି ତଥ୍ୟକୁ ଉକ୍ତ ସଂସ୍ଥା ଟ୍ରମ୍ପଙ୍କ ସପକ୍ଷରେ ବ୍ୟବହାର କରିଥିଲା। ବ୍ରେକ୍ସିଟ୍‌ ଗଣଭୋଟ ବେଳେ ମଧ୍ୟ ଏହି ସଂସ୍ଥା ଏଭଳି କେଳେଙ୍କାରୀ କରିଥିଲା। ଫେସବୁକ୍‌ ସହିତ ହାତ ମିଳାଇ ଉକ୍ତ ସଂସ୍ଥା ତଥ୍ୟ ଚୋରି କରିଥିଲା ବୋଲି କୁହାଯାଉଛି। ଏହାକୁ ନେଇ ଆମେରିକା ଏବଂ ବ୍ରିଟେନରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଭାରତରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି।

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ ଅଭିଯୋଗ କରିଥିଲେ ଯେ କେଂବ୍ରିଜ୍‌ ଆନାଲିଟିକା ସହିତ କଂଗ୍ରେସ ଦଳର ସଂପର୍କ ରହିଛି। ଏବଂ ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଏହି ସଂସ୍ଥାକୁ ପ୍ରଚାର ଦାୟିତ୍ୱ ଦେଇଛି। କଂଗ୍ରେସ ସୋସିଆଲ ମିଡିଆ ମାଧ୍ୟମରେ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି। ଫେସ୍‌ବୁକରୁ ତଥ୍ୟ ଲିକ୍‌ ହେବାପରେ ଏହାକୁ ବ୍ୟବହାର କରିଥିବା ଡାଟାଫାର୍ମ ଉପରେ ଅଙ୍କୁଶ ଲଗାଇବା ଏବଂ ଫେସ୍‌ବୁକ ଏହି ଷଡ଼ଯନ୍ତ୍ରରେ ସାମିଲ ନହେବାକୁ ରବିଶଙ୍କର ଚେତାବନୀ ଦେଇଛନ୍ତି। ଭାରତୀୟ ନିର୍ବାଚନରେ କୌଣସି ପ୍ରକାର ବାହ୍ୟ ଷଡ଼ଯନ୍ତ୍ର ଓ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ଏବଂ ଏଥିପାଇଁ ଫେସବୁକ୍‌ ବିହୀତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ରବିଶଙ୍କର କହିଛନ୍ତି। କଂଗ୍ରେସ କେବ୍ରିଜ୍‌ ଆନାଲିଟିକାକୁ ବ୍ରହ୍ମାସ୍ତ୍ର ଭଳି ବ୍ୟବହାର କରିବାକୁ ତୟାର ରହିଥିବା କେତେକ ମିଡିଆ ରିପୋର୍ଟରୁ ଜଣାପଡ଼ିବା ପରେ ବିଜେପି ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

ଅନ୍ୟପକ୍ଷରେ କଂଗ୍ରେସ ବିଜେପିର ଅଭିଯୋଗକୁ ଖଣ୍ଡନ କରି ବିଜେପି ୨୦୧୦ରେ ବିହାର ନିର୍ବାଚନ ପ୍ରଚାର ପାଇଁ ଏହି ଡାଟା ଫାର୍ମର ସହାୟତା ନେଇଥିବା ପାଲଟା ଅଭିଯୋଗ କରିଛି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେଓ୍ଵାଲା କହିଛନ୍ତି ଯେ ସଂପୃକ୍ତ ସଂସ୍ଥାର େଓ୍ଵବ୍‌୍‌ସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୦ ବିହାର ନିର୍ବାଚନରେ ବିଜେପି ଏହି ସଂସ୍ଥାକୁ ନିଜର ପ୍ରଚାରରେ ନିୟୋଜିତ କରିଥିଲା। ଏହି ସମୟରେ ବିଜେପି ସହିତ ଜେଡିୟୁର ମେଣ୍ଟ ରହିଥିଲା। ବିଜେପି କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ଦଳ ୨୦୧୦ ବିହାର ନିର୍ବାଚନରେ ଏହି ସଂସ୍ଥାର ସହାୟତା ଆଦୌ ନେଇନାହିଁ ଏବଂ କଂଗ୍ରେସ କେବଳ ମନଗଢ଼ା ଅଭିଯୋଗ କରିଛି। ତେବେ କଂଗ୍ରେସ ୨୦୧୯ ନିର୍ବାଚନ ପ୍ରଚାର ପାଇଁ ବ୍ରିଟିଶ ଏଜେନ୍‌ସି କେଂବ୍ରିଜ୍‌ ଏନାଲିଟିକାକୁ ଦାୟିତ୍ୱ ଦେଇଥିବା ନେଇ ପ୍ରମାଣ ମିଳିଛି ବୋଲି ରବିଶଙ୍କର କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌ ମଧ୍ୟ ତାଙ୍କର ନିର୍ବାଚନ ପ୍ରଚାର ପାଇଁ ଏହି ଡେଟା ଫାର୍ମର ସହାୟତା ନେଇଥିଲେ।

ସମ୍ବନ୍ଧିତ ଖବର