‘ଓୟୋ’ ରୁମସ: ପ୍ରାୟ ଦେଶରେ ଅଛି ଓଡିଶା ରାୟଗଡାର ଏହି ଯୁବକଙ୍କ ହୋଟେଲ

ବିଶ୍ୱର ଟପ-୩ ସୂଚୀରେ ସାମିଲ ହେଲା ଏହି ଓଡ଼ିଆଙ୍କ କମ୍ପାନୀ

ନିଜ ସହରରୁ ଅନ୍ୟ ସହରକୁ ଗଲେ କେଉଁଠି ରହିବେ, କଣ ଖାଇବେ ଚିନ୍ତା କରୁକରୁ ଆପଣ ଓୟୋ ରୁମ ବାବଦରେ ଚିନ୍ତା କରିଥାନ୍ତି | ପକେଟକୁ ସୁହାଇଲା ଭଳି ହୋଟେଲ ସାଙ୍ଗକୁ ଅଜଣା ସହରରେ ସୁବିଧାରେ ରୁମ ମିଳିବା ଏହି ୱେବସାଇଟକୁ ଦେଇଛି ସ୍ୱତନ୍ତ୍ର ପରିଚୟ | ଦେଶବିଦେଶର ଅନେକ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ଏହି ଆପ ଏବେ ନୂଆ କୀର୍ତ୍ତି ସ୍ଥାପନ କରିଛି | ବିଶ୍ୱର ତୃତୀୟ ବଡ ହୋଟେଲ ସେବା ପ୍ରଦାନକାରୀ କମ୍ପାନୀ ଭାବରେ ଓୟୋ ନିଜ ନାମକୁ ସାମିଲ କରିପାରିଛି | ୬ ବର୍ଷ ମଧ୍ୟରେ ୮୦୦ରୁ ଅଧିକ ସହରରେ ପାଖାପାଖି ୨୩ହଜାର ହୋଟେଲ ସହ ଚୁକ୍ତିବଦ୍ଧ ହୋଇଛି ‘ଓୟୋ’ ରୁମସ’ | ଏବେ ଏହି କମ୍ପାନୀ ପାଖରେ ୮ ଲକ୍ଷ ୫୦ ହଜାର ହୋଟେଲ ରୁମ ଉପଲବ୍ଧ ଥିବାବେଳେ ଖୁବଶୀଘ୍ର ଆମେରିକାରେ ୨୦୮୫ କୋଟି ଟଙ୍କାର ନିବେଶ କରିବାର ଯୋଜନା ମଧ୍ୟ ରହିଛି |

ତେବେ ଆପଣ ଜାଣିଛନ୍ତି କି ଏହି କମ୍ପାନୀ ପ୍ରତିଷ୍ଠା କରିଛନ୍ତି ଜଣେ ଓଡ଼ିଆ | ରାୟଗଡାର ରିତେଶ ଅଗ୍ରୱାଲ ଏହି କମ୍ପାନୀର ସଂସ୍ଥାପକ ହୋଇଥିବାବେଳେ ପଶ୍ଚିମ ଓଡ଼ିଶାର ଏହି ଯୁବକ ଏବେ ଅନେକଙ୍କୁ ନିଯୁକ୍ତି ଦେବା ସହ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି | ତେବେ ରିତେଶଙ୍କ ପାଇଁ ଏହି ସଫଳତା ପାଇବା ସେତେ ସହଜ ନଥିଲା | ମଧ୍ୟବିତ ମାରୱାଡି ପରିବାରରେ ୧୯୯୩ ମସିହାରେ ଜନ୍ମଗ୍ରହଣ କରିଥିବା ରିତେଶ ପ୍ରଥମେ ‘ଓରାଭେଲ’ନାମକ ୱେବସାଇଟଟିଏ ସ୍ଥାପନ କରିଥିଲେ | ପରେ ଏହା ଓୟୋ ରୁମସ ନାମରେ ପରିଚୟ ପାଇଥିଲା |

୧୯ ବର୍ଷ ବୟସରେ ଯେତେବେଳେ ରିତେଶ ରାଜସ୍ଥାନ କୋଟାରେ ଆଇଆଇଆଟି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସେତେବେଳେ ଦିଲ୍ଲୀ ମଧ୍ୟ ଯିବାକୁ ପଡୁଥିଲା | ତେବେ ଦିଲ୍ଲୀରେ ଶସ୍ତାରେ ହୋଟେଲଟିଏ ପାଇବା ପାଇଁ ପ୍ରଚେଷ୍ଟା କରୁଥିବାବେଳେ ସେ ଉପଲବ୍ଧି କରିଥିଲେ କିଛି ନୂଆ ଅଭିଜ୍ଞତା | ସାଧାରଣ ଲୋକର ମନରେ ହୋଟେଲରେ ରହିବାକୁ ନେଇ କଣ ସବୁ ପ୍ରଶ୍ନ ଉଙ୍କି ମାରିଥାଏ ତାହାକୁ ଠଉରେଇପାରିଥିଲେ ରିତେଶ | ଏହାପରେ ଓୟୋ ରୁମସର ପରିକଳ୍ପନା କରି ଲୋକଙ୍କ ଆକାଂକ୍ଷାକୁ ହିଁ ସ୍ଥାନ ଦେଇଥିଲେ | କୁହାଯାଏ କିଛି ବର୍ଷ ପୂର୍ବରୁ ରିତେଶ ଓଡ଼ିଶାରେ ସିମ୍‌ କାର୍ଡ଼ ବିକ୍ରି କରୁଥିଲେ । ଓଡ଼ିଶାର ବିଷମକଟକରେ ଜନ୍ମ ହୋଇଥବା ରିତେଶ ଟିଭି ରିମୋଟରୁ ନିଜର ଏହି ବ୍ୟବସାୟ ଆରମ୍ଭ କରିବା କଥା ଭାବିଥିଲେ ।

ଯେମିତି ଲୋକମାନେ ଟିଭିକୁ ରିମୋଟ ମାଧ୍ୟମରେ ନିୟନ୍ତ୍ରଣ କରୁଛନ୍ତି । ସେଭଳି ଭାବରେ ଘରେ ବସି ଲୋକମାନେ ହୋଟେଲରେ ଓୟୋ ରୁମ୍‌ ମଧ୍ୟ ବୁକ୍‌ କରି ପାରିବେ । କଲେଜରୁ ପାଠ ପଢ଼ା ଅଧାରୁ ଛାଡ଼ିଥିଲେ ମଧ୍ୟ ଏବେ ୨୦ଜଣ ଆଇଆଇଏମ୍‌ ଏବଂ ୨୦୦ଆଇଆଇଟି ଛାତ୍ର ତାଙ୍କ ଅଧିନରେ କାମ କରୁଥିବା ଜଣା ପଡ଼ିଛି । ରିତେଶ କହିଛନ୍ତି ଯେ ଆମେରିକାର ନ୍ୟୁୟର୍କ, ଲସଏଞ୍ଜେଲସ, ସାନଫ୍ରାନସିସ୍କୋ ଭଳି ଦାମୀ ସହରରେ ଏବେ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି | ପ୍ରତିଦିନ ଗୋଟିଏ ହୋଟେଲକୁ ନିଜ କମ୍ପାନୀ ସହ ଯୋଡିବାର ଲକ୍ଷ୍ୟ ରଖୁଥିବା ରିତେଶ ଏବେ ଆମେରିକାର ୩୫ଟି ସହରରେ ନିଜ ବ୍ୟବସାୟକୁ ପହଞ୍ଚାଇସାରିଲେଣି|

ସମ୍ବନ୍ଧିତ ଖବର