ରାଜୀବ ଗାନ୍ଧୀଙ୍କ ପ୍ରେରଣାରେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ ଶୀଲା ଦୀକ୍ଷିତ; ପାଲଟି ଥିଲେ ଦେଶର ସବୁଠାରୁ ସଫଳ ମହିଳା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ତିନିତିନିଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିବା ଶୀଲା ଦୀକ୍ଷିତ କୌଣସି ରାଜନୈତିକ ପରିବାରରେ ଜନ୍ମ ନେଇ ନ ଥିଲେ। ବିଶିଷ୍ଟ କଂଗ୍ରେସ ନେତା ଉମାଶଙ୍କର ଦୀକ୍ଷିତଙ୍କର ସେ ପୁତ୍ରବଧୂ ଥିଲେ ମଧ୍ୟ ସ୍ୱାଭାବିକ ଭାବେ ସେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ନ ଥିଲେ।

ତେବେ ସେ ରାଜନୀତିକୁ ଆସିଥିଲେ କିପରି?

ଶୀଲାଙ୍କର ସ୍ୱାମୀ ବିନୋଦ ଦୀକ୍ଷିତ ଜଣେ ଆଇ.ଏ.ଏସ୍‌ ଅଫିସର ଥିଲେ। ତେଣୁ ସେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁ ନ ଥିଲେ। ତେବେ,ତାଙ୍କ ପରିବାରରେ ଶୀଲାଙ୍କ ଛଡ଼ା ଅନ୍ୟ କେହି ନ ଥିଲେ ଯେ କି ରାଜନୀତିରେ ଯୋଗ ଦେଇପାରିବେ।

rightlog.in

ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜୀବ ଗାନ୍ଧୀ ଦେଶର ଓ କଂଗ୍ରେସର ଶାସନ ଡ଼ୋରି ହାତକୁ ନେଲେ, ସେ ଶୀଲାଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିିତା କରିବାକୁ ଚାହିଁଲେ।

‘‘ଯେତେବେଳେ ମୋତେ ଏ ସୁଯୋଗ ମିଳିଲା,ସେତେବେଳେ ମୁଁ ଅନିଚ୍ଛୁକ ଥିଲି। ମୁଁ ରାଜନୀତିର ବିନ୍ଦୁ ବିସର୍ଗ କିଛି ଜାଣି ନ ଥିବାରୁ ରାଜନୀତିରେ ପ୍ରବେଶ କରିବା ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିିତା କରିବା ଲାଗି ଖୁବ୍‌ ଭୟଭୀତ ଥିଲି। ତେବେ,ମୋ ଶଶୂର ଓ ସ୍ୱାମୀ ମୋତେ ଏଥିପାଇଁ ଖୁବ୍‌ ଉତ୍ସାହିତ କରିଥିଲେ’’, ଆଜି ପରଲୋକ ଗମନ କରିଥିବା ଶୀଲା ପୂର୍ବରୁ ସାକ୍ଷାତକାରରେ ଏକଥା କହିଥିଲେ।  ‘‘ଯଦିଓ ମୁଁ ଜଣେ ରାଜନେତା ହେବାକୁ ଚାହୁଁ ନ ଥିଲି,କିନ୍ତୁ ପରିସ୍ଥିତି କ୍ରମେ ରାଜନୀତିକୁ ଆସିଥିଲି’’ବୋଲି ସେ କହିଥିଲେ।

PTI

ଯେତେବେଳେ ତାଙ୍କୁ ୧୯୯୮ ମସିହାରେ ପୂର୍ବ ଦିଲ୍ଲୀ  ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କୁହାଗଲା,ସେତେବେଳେ ସେ ଅତ୍ୟନ୍ତ ଭୟଭୀତ ଥିଲେ। ‘‘ପୂର୍ବ ଦିଲ୍ଲୀ ଅଚଂଳ ମୋ ପାଇଁ ସଂପୂର୍ଣ୍ଣ ଅଜ୍ଞାତ ଓ ଅପରିଚିତ ଥିଲା। ମୁଁ ଦକ୍ଷିଣ ଦିଲ୍ଲୀରେ ରହୁଥିଲି ଏବଂ ପୂର୍ବ ଦିଲ୍ଲୀକୁ ମୁଁ କେବେ ଯାଇ ନ ଥିଲି। ଏଭଳି ଅଜଣା ଅଚିହ୍ନା ଅଞ୍ଚଳରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରିବାକୁ ମୁଁ ସଂପୂର୍ଣ୍ଣ ନାରାଜ ଥିଲି। ତେବେ, ଦଳର ନିର୍ଦ୍ଦେଶକୁ ମାନି ମୁଁ ନିର୍ବାଚନ ଲଢ଼ିଥିଲି।’’ ଶୀଲା ପଛକଥା ମନେ ପକାଇ କହିଥିଲେ। ସେ ଥର ଶୀଲା ତାଙ୍କର ବିଜେପି ପ୍ରତିଦ୍ୱନ୍ଦ୍ୱୀ ଲାଲ ବିହାରୀ ତିଓ୍ଵାରୀଙ୍କ ଠାରୁ ହାରି ଯାଇଥିଲେ।

ତେବେ ପରେ ଲଗାତାର ତିନି ତିନି ଥର ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ତାଙ୍କର ଦୃଢ଼ ମନୋବଳ ଏବଂ ଜନସାଧାରଣଙ୍କ ସେବା ପାଇଁ ନିଷ୍ଠା ଯୋଗୁଁ ସମ୍ଭବ ହୋଇଥିଲା। ଶ୍ରୀମତୀ ଶୀଲା ଦୀକ୍ଷିତ ମଧ୍ୟ ସ୍ୱଳ୍ପ ସମୟ ପାଇଁ କେନ୍ଦ୍ରମନ୍ତ୍ରୀ ଓ କେରଳର ରାଜ୍ୟପାଳ ହୋଇଥିଲେ।

ତେବେ, ତାଙ୍କର ରାଜନୈତିକ ଉତ୍ତରାଧିକାରୀ ମନୋନୟନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନ ଥିଲା। ତାଙ୍କର ପୁତ୍ର ସନ୍ଦୀପ ବର୍ତ୍ତମାନ ରାଜନୀତିରେ। ‘‘ଯେତେବେଳେ ସନ୍ଦୀପ ରାଜନୀତିରେ ଯୋଗ ଦେବା ପାଇଁ ଚାହିଁଲା,ମୁଁ ସେତେବେଳେ ପ୍ରଥମେ ଟିକେ ଦ୍ୱିଧାଗ୍ରସ୍ତ ଥିଲି। କିନ୍ତୁ ସେ ଖୁବ୍‌ ଆଗ୍ରହୀ ଥିବାରୁ ମୁଁ ତାକୁ ଦଳୀୟ ଟିକେଟ ଦେବା ପାଇଁ ଦଳ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲି। ’’ବାସ୍‌ ତା’ପର ଠାରୁ ସନ୍ଦୀପଙ୍କ ରାଜନୈତିକ ଜୀବନର ଅୟମାରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର