ସୁଇସ୍‌ ବ୍ୟାଙ୍କରେ କଳାଧନ ମହଜୁଦ୍‌ ରଖୁଥିବା ଭାରତୀୟଙ୍କ ବିରୋଧରେ ସରକାର କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ: ମନ୍ତ୍ରୀ ଗୋଏଲ

ନୂଆଦିଲ୍ଲୀ: ସୁଇସ୍‌ ବ୍ୟାଙ୍କ୍‌ରେ କଳାଧନ ଜମା ରଖିଥିବା ଭାରତୀୟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂପ୍ରତି ଅର୍ଥ ମନ୍ତ୍ରାଳୟ ଦାୟିତ୍ୱରେ ଥିବା ମନ୍ତ୍ରୀ ପୀୟୁଷ ଗୋଏଲ ଚେତାବନୀ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଯେ ଏକ ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ଭାରତ ସରକାର ଏବେ ସୁଇଜରଲାଣ୍ଡ ସରକାରଙ୍କ ଠାରୁ ସୁଇସ୍‌ ବ୍ୟାଙ୍କ୍‌ରେ ଟଙ୍କା ଜମା ରଖୁଥିବା ସମସ୍ତ ଭାରତୀୟଙ୍କର ସବୁ ପ୍ରକାରର ତଥ୍ୟ ହାସଲ କରିବାକୁ ସମର୍ଥ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଦେଶରେ ଜମା ହେଉଥିବା କଳାଧନରେ ୫୦ ଭାଗ ବୃଦ୍ଧି ପାଇଛି ବୋଲି ସୁଇସ୍‌ ବ୍ୟାଙ୍କରୁ ତଥ୍ୟ ମିଳିବା ପରେ କେନ୍ଦ୍ର ସରକାର ଏହା ଉପରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁଇସ୍‌ ବ୍ୟାଙ୍କରେ ସମସ୍ତ ଦେଶର ଜମାହାରରେ ମାତ୍ର ୩ ଭାଗ ବୃଦ୍ଧି ପାଇଥିବା ବେଳେ ଭାରତୀୟମାନଙ୍କ ଜମା ହାରରେ ୫୦ ଭାଗ ବୃଦ୍ଧି ପାଇ ଏହାର ପରିମାଣ ୭ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ସୁଇସ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସୁଇସ୍‌ ବ୍ୟାଙ୍କ ତଥ୍ୟ ଅନୁଯାୟୀ ଭାରତୀୟମାନେ ୬୮୯୧ କୋଟି ଟଙ୍କା ଜମା ରଖିଛନ୍ତି। ଏଥିମଧ୍ୟରୁ ଗ୍ରାହକମାନେ ୩୨୦୦ କୋଟି ଟଙ୍କା ପ୍ରତ୍ୟକ୍ଷ ଭାବେ ଜମା କରିଥିବା ବେଳେ ଅନ୍ୟ ବ୍ୟାଙ୍କ ଜରିଆରେ ୧୦୫୦ କୋଟି ଟଙ୍କା ଓ ୨୬୪୦ କୋଟି ଟଙ୍କା ଅନ୍ୟାନ୍ୟ ଆକାରରେ ଜମା ରଖିଛନ୍ତି। ଏହାବାଦ ସମ୍ପତ୍ତି ପରିଚାଳନା ସଂସ୍ଥାଗୁଡ଼ିକ ଜରିଆରେ ଭାରତୀୟମାନେ ୧୧୨ କୋଟି ଟଙ୍କା ସୁଇସ୍‌ ବ୍ୟାଙ୍କରେ ଜମା ରଖିଥିବା ଏହି ସୂତ୍ରରୁ ଜଣାପଡ଼ିଛି।

ତେବେ, କଳାଧନ ବିରୋଧରେ ଭାରତ ସରକାର ଆରମ୍ଭ କରିିଥିବା କଠୋର ପଦକ୍ଷେପ ପରେ ସୁଇସ୍‌ ବ୍ୟାଙ୍କରେ କଳାଧନ ଜମା ମହଜୁଦ୍‌ ରଖିବାରୁ ଭାରତୀୟମାନେ ଦୂରେଇ ଯାଇଥିଲେ। ହେଲେ, ଏବେ ପୁଣି ଥରେ ସେମାନେ ସୁଇସ୍‌ ବ୍ୟାଙ୍କ ମୁହାଁ ହୋଇଥିବା ଏହି ସୁଇସ୍‌ ବ୍ୟାଙ୍କ୍‌ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟରୁ ସ୍ପଷ୍ଟ ହୋଇ ଯାଇଛି।

ଏହି ଘଟଣା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସଂପ୍ରତି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦାୟିତ୍ୱରେ ଥିବା ମନ୍ତ୍ରୀ ପୀୟୁଷ ଗୋଏଲ ସୁଇସ୍‌ ବ୍ୟାଙ୍କରେ କଳାଧନ ମହଜୁଦ୍‌ ରଖୁଥିବା ଭାରତୀୟମାନଙ୍କୁ ଚେତାବନୀ ଶୁଣାଇ କହିଛନ୍ତି ଯେଭାରତ ଓ ସୁଇଜରଲ୍ୟାଣ୍ଡ୍‌ ମଧ୍ୟରେ ସ୍ୱୟଂଚାଳିତ ତଥ୍ୟ ଆଦାନପ୍ରଦାନ ପାଇଁ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଯାହା ଫଳରେ ଭାରତ ସରକାର ଏବେ ସୁଇଜରଲାଣ୍ଡ ସରକାରଙ୍କ ଠାରୁ ସୁଇସ୍‌ ବ୍ୟାଙ୍କରେ କଳାଧନ ମହଜୁଦ୍‌ ରଖୁଥିବା ସମସ୍ତ ଭାରତୀୟଙ୍କର ସବୁ ପ୍ରକାରର ସୂଚନା ପାଇବାକୁ ସମର୍ଥ ହେବେ। ସରକାର ଏବେ ଖାଲି ସୁଚନା ପାଇବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି। ଯେଉଁ ମୁହୂର୍ତ୍ତରେ ସୂଚନା ମିଳିଯିବ ସରକାର କୌଣସି ପ୍ରକାରର କାଳବିଳମ୍ବ ନକରି ସୁଇସ୍‌ ବ୍ୟାଙ୍କରେ କଳାଧନ ମହଜୁଦ୍‌ ରଖୁଥିବା ଭାରତୀୟମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର