ପଶ୍ଚିମ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଭୟ ନାହିଁ

ଟୋକିଓ: ଆଜି ପ୍ରତ୍ୟୁଷରେ ପଶ୍ଚିମ ଜାପାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ସଙ୍ଘଠିତ ହୋଇଛି, କିନ୍ତୁ କୌଣସି ପ୍ରମୁଖ କ୍ଷତି କିଂବା ସୁନାମି ଢେଉ ସମ୍ବନ୍ଧୀୟ କୌଣସି ଖବର ହଠାତ୍‌ ମଳିପାରି ନାହିଁ।

ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ଅନୁସାରେ, ରିକ୍ଟର୍‌ ସ୍କେଲ୍‌ରେ ୫. ୩ ତୀବ୍ର ଭୂମିକମ୍ପ ଓସାକା ନିକଟରେ ପ୍ରତ୍ୟୁଷ ୭. ୫୮ ମିନିଟ୍‌ରେ ଅନୁଭୂତ ହୋଇଥିଲା।

ଭୂମିକମ୍ପର ତୀବ୍ରତା ୫. ୯ ଏବଂ ଏହାର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦ କିଲୋମିଟର୍‌ ଗଭୀରରେ ବୋଲି ସୂଚାଇ ଜାପାନୀ ପାଣିପାଗ ଏଜେନ୍‌ସି କହିଛି ଯେ କମ୍ପନ ଯୋଗୁଁ ସୁନାମିର ଭୟ ନାହିଁ ବୋଲି।

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଲୋକମାନଙ୍କର ଜୀବନ ରକ୍ଷା କରିବାକୁ ଗୁରୁତ୍ୱ ଦେଇ ସରକାର ଐକ୍ୟବଦ୍ଧ ହୋଇ କାମ କରୁଛି। ଆବେ ଆହୁରି କହିଛନ୍ତି ଯେ କ୍ଷୟକ୍ଷତିର ସୂଚନା ସଂଗ୍ରହ କରି ଉଦ୍ଧାର ଓ ଜୀବନ ରକ୍ଷା କରିବାକୁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବାକୁ ସେ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ତା’ସହ ସର୍ବସାଧାରଣଙ୍କୁ ଠିକଣା ସମୟରେ ଉପଯୁକ୍ତ ସୂଚନା ଦେବାକୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ସମ୍ପର୍କରେ ବିଶେଷ କିଛି ସୂଚନା ମିଳିନାହିଁ ବୋଲି ସ୍ଥାନୀୟ ପୁଲିସ କହିଛି।

କମ୍ପନ ଯୋଗୁଁ ହଜାର ହଜାର ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି ଏବଂ ସକାଳ ବେଳା ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି।
ଭୂମିକମ୍ପ ଯୋଗୁଁ ଓସାକା ସହରର ଏକ ଘରେ ଲାଗିଯାଇଥିବା ନିଅାଁ ଲିଭାଇବାକୁ ଦମକଳ ବାହିନୀ ଉଦ୍ୟମ କରୁଥିବା ଦୃଶ୍ୟ ଏକ ଘରୋଇ ଟିଭି ଚାନେଲ୍‌ ପ୍ରସାରଣ କରୁଛି।

ସମ୍ବନ୍ଧିତ ଖବର