ଶତ ପ୍ରତିଶତରୁ ବି ଅଧିକ ମାର୍କ ମିଳିଛି

ବିହାର ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ଗୁରୁତର ବିଭ୍ରାଟ

ପାଟନା: ଦୁଇ ବର୍ଷ ତଳେ ଟପର୍‌ ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ଥିବା ବିହାର ଏବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ ଗୁରୁତର ବିଭ୍ରାଟକୁ ନେଇ ପୁଣି ବଦନାମ ହୋଇଛି। କେତେକ ଛାତ୍ରଙ୍କୁ ମୋଟ ମାର୍କଠାରୁ ଅଧିକ ମାର୍କ ମିଳିଥିବା ବେଳେ କେତେକ ଛାତ୍ର ପରୀକ୍ଷା ଦେଇନଥିବା ବିଷୟରେ ମଧ୍ୟ ମାର୍କ ରଖିଥିବା ଜଣାପଡ଼ିଛି। ଅନେକ ମେଧାବୀ ଛାତ୍ରଙ୍କୁ ଇଂରାଜି ଓ ମାତୃଭାଷାରେ ‘ଶୂନ’ ମାର୍କ ମିଳିଛି। ଏଭଳି ବେପରୁଆ ମୂଲ୍ୟାୟନର ପ୍ରତିବାଦ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଅରବଳ ଜିଲ୍ଲାର ଭୀମ କୁମାର ଗଣିତରେ ମୋଟ ୩୫ ମାର୍କରୁ ୩୭ ମାର୍କ ରଖିବା ବିସ୍ମୟ ସୃଷ୍ଟି କରିଛି। ଚଂପାରଣର ସଂଦୀପଙ୍କୁ ପଦାର୍ଥ ବିଜ୍ଞାନରେ ୩୫ରୁ ୩୮ ମାର୍କ ମିଳିଛି। ଏଥିରେ ପ୍ରତିକ୍ରିୟା ରଖି ସନ୍ଦୀପ କହିଛନ୍ତି ଯେ ଏଭଳି ଘଟଣା ତାଙ୍କୁ ସମସ୍ୟାରେ ପକାଇଛି। ସନ୍ଦୀପଙ୍କୁ ମାୃତଭାଷା ଏବଂ ଇଂରାଜିରେ ଶୂନ ମିଳିଛି। ଦରଭଙ୍ଗାର ରାହୁଲ କୁମାରଙ୍କୁ ମଧ୍ୟ ଗଣିତରେ ୩୫ରୁ ୪୦ ମାର୍କ ମିଳିଛି। ବୈଶାଳୀର ଜାହ୍ନବୀ ସିଂହ ବାୟୋଲୋଜି ପରୀକ୍ଷା ଦେଇନଥିଲେ ମଧ୍ୟ ତାଙ୍କୁ ଏଥିରେ ୧୮ ମାର୍କ ମିଳିଛି। ପାଟନାର ସତ୍ୟ କୁମାରଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି। ଜେଇଇ ମେନ୍‌ ପାସ୍‌ କରିଥିବା ଛାତ୍ର ମଧ୍ୟ ଦ୍ୱାଦଶ ଶ୍ରେଣୀରେ ଫେଲ୍‌ ହୋଇଥିବା ଦେଖିବାକୁ ମିଳିଛି। ଅନେକ ମେଧାବୀ ଛାତ୍ରଙ୍କୁ ବିଭିନ୍ନ ବିଷୟରେ ୧ରୁ ୫ ମାର୍କ ମିଳିଥିବା ଜଣାପଡ଼ିଛି। ଏହାକୁ ନେଇ ଛାତ୍ର ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିହାର ବୋର୍ଡରେ ଏଭଳି ଘଟଣା ପୂର୍ବରୁ ମଧ୍ୟ ଅନେକ ଥର ଦେଖିବାକୁ ମିଳିଥିବା ବେଳେ ଚଳିତ ବର୍ଷ ବ୍ୟାପକ ସଂସ୍କାର ସତ୍ତ୍ୱେ ଏହାର ପୁନରାବୃତ୍ତି ହେବା ଯୋଗୁଁ ସମସ୍ୟା ବଢ଼ିଯାଇଛି। ବିହାର ଶିକ୍ଷା ବୋର୍ଡ ଉପସଚିବ ପ୍ରକାଶ ରଂଜନ କହିଛନ୍ତି ଯେ ପରୀକ୍ଷାଫଳରେ ଗୁରୁତର ବିଭ୍ରାଟ ଯୋଗୁଁ ଛାତ୍ରଛାତ୍ରୀଙ୍କ ସମସ୍ୟା ବଢ଼ିଯାଇଛି। ଛାତ୍ରଛାତ୍ରୀଙ୍କ ପୁନଃ ଯାଞ୍ଚ ଆବେଦନକୁ ଯଥୋଚିତ ଗୁରୁତ୍ୱ ଦେଇ ଏଥିରେ ସୁଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର