ଛାତ୍ରଙ୍କ ହାତରେ ବନ୍ଧୁକ: କଶ୍ମୀର ଘାଟିରେ ପରିସ୍ଥିତି ଜଟିଳ

ଏମ୍‌ବିଏ, ଇଂଜିନିୟରିଂ ଛାତ୍ର ବି ବାଦ୍‌ ପଡ଼ୁନାହାନ୍ତି

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦର ନୂଆ ଚେହେରା ଏବେ ଦେଖିବାକୁ ମିଳିଛି। ଘାଟିରେ ସଙ୍କଟ ଏତେ ଜଟିଳ ହୋଇଛି ଯେ ସୁରକ୍ଷା ବାହିନୀର କୌଣସି ଉଦ୍ୟମ ଆତଙ୍କବାଦ ରୋକିବାରେ ସଫଳ ହେଉନାହିଁ। କଶ୍ମୀରରେ ଇଂଜିନିୟରିଂ ଓ ଏମ୍‌ବିଏ ଡିଗ୍ରିଧାରୀ ଯୁବକମାନେ ମଧ୍ୟ ଆତଙ୍କବାଦୀ ସାଜୁଛନ୍ତି। ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, ଘାଟିରେ ପ୍ରତି ତିନି ଦିନରେ ଜଣେ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହେଉଛନ୍ତି। ଚଳିତବର୍ଷ ଆରମ୍ଭରୁ ଏବେ ସୁଦ୍ଧା ଘାଟିର ୧୬ଜଣ ଉଚ୍ଚଶିକ୍ଷିତ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇ ଦେଶ ବିରୋଧରେ ବନ୍ଧୁକ ଉଠାଇଛନ୍ତି। ସରକାରଙ୍କ ତମାମ ଉଦ୍ୟମ ସତ୍ତ୍ୱେ କଶ୍ମୀର ଘାଟିର ଯୁବକ ଦେଶସେବା ପରିବର୍ତ୍ତେ ଦେଶର ଶତ୍ରୁ ପାଲଟିବା ରାସ୍ତା ବାଛିନେବା ଘଟଣା ଘୋର ଚିନ୍ତାର କାରଣ ପାଲଟିଛି। ଘାଟିରେ ଥିବା କିଛି ବିଚ୍ଛିନ୍ନତାବାଦୀ ସଂଗଠନ ଏହି ଯୁବକଙ୍କୁ ଆତଙ୍କବାଦର ରାସ୍ତା ବାଛିବା ପାଇଁ ପ୍ରବର୍ତ୍ତାଉଥିବା ଜଣାପଡ଼ିଛି। ଇଂଜିନିୟରିଂ ପାସ୍‌ କରିଥିବା ଛାତ୍ର ଆତଙ୍କବାଦକୁ ନିଜର ଲକ୍ଷ୍ୟ ଭାବେ ବାଛି ନେବା ପରେ ସୁରକ୍ଷା ବାହିନୀ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରୁଛନ୍ତି। ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସଚିବ କଶ୍ମୀର ଘାଟିରେ ହୋଇଥିବା ସୁରକ୍ଷା ସମୀକ୍ଷା ବୈଠକରେ ଯୋଗଦେଇ ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦ ପରି କୁତ୍ସିତ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯିବ ବୋଲି କହିଥିଲେ। କଶ୍ମୀର ଘାଟିରେ କିଛି ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ଇସ୍‌ଲାମ୍‌ ଧର୍ମର ଭୁଲ୍‌ ବ୍ୟାଖ୍ୟା ଏବଂ ଭାରତ ବିରୋଧୀ ଆଭିମୁଖ୍ୟର ପ୍ରସାର ଯୋଗୁଁ ଘାଟିର ଯୁବକମାନେ ଆତଙ୍କବାଦୀ ପାଲଟୁଥିବା ପୁଲିସ୍‌ ମହା ନିର୍ଦ୍ଦେଶକ ଏସ୍‌ପି ବୈଦ କହିଛନ୍ତି। ବୈଦ୍‌ଙ୍କ କହିବା ମୁତାବକ, ଜିହାଦକୁ ଆପଣାଇ ଇସ୍‌ଲାମ୍‌ ପାଇଁ ଲଢ଼ି ପ୍ରାଣ ଦେବାକୁ ସେମାନେ ପ୍ରସ୍ତୁତ ରହୁଛନ୍ତି। ଗତ ରବିବାର ଦିନ ପୁଲିସ୍‌ ଗୁଳିରେ ନିପାତ ହୋଇଥିବା କୁପଓ୍ଵାଡ଼ାର ମନନ ବାସିର ଓ୍ଵାନି ଆଲିଗଡ଼ ମୁସ୍‌ଲିମ୍‌ ବିଶ୍ୱବିଦ୍ୟାଳୟର ପିଏଚ୍‌ଡି ଛାତ୍ର ଥିଲେ। ଗତ ମାର୍ଚ୍ଚ ୩୧ ତାରିଖରେ ଅନନ୍ତନାଗରେ ନିପାତ ହୋଇଥିବା ହିଜବୁଲ ଆତଙ୍କବାଦୀ ରୁଫ୍‌ ଅହମ୍ମଦ ଖାଣ୍ଡେ ଜଣେ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ର ଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି। ଗତ ୨୪ ତାରିଖରେ ତେହରିକ୍‌-ଇ-ହୁରିୟତ୍‌ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା କଶ୍ମୀରୀ ଯୁବକ ଜନେଦ୍‌ ଅହମ୍ମଦ ସେହରାଇ(୩୦) କଶ୍ମୀର ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରି ହାସଲ କରିଥିବା ଜଣାପଡ଼ିଛି। ମାର୍ଚ୍ଚ ୧୨ ତାରିଖରେ ନିପାତ ହୋଇଥିବା ୩ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ତେଲେଙ୍ଗାନାର ଅଲ୍‌କାଏଦା ଆତଙ୍କବାଦୀ ମହମ୍ମଦ ତୌଫିକ୍‌ , ଶ୍ରୀନଗରର ଆଏସା ଫଜିଲି ଓ ସୟେଦ ଓ୍ଵାଇସ୍‌ ସାଫି ଇଂଜିନିୟରିଂ ପଢ଼ିଥିବା ଜଣାପଡ଼ିଥିଲା।

୨୦୧୫ ମସିହାରେ କଶ୍ମୀର ଘାଟିର ୬୬ ଜଣ ଯୁବକ ଆତଙ୍କବାଦୀ ସାଜିଥିବା ବେଳେ ୨୦୧୬ରେ ୮୮ ଜଣ ଓ ୨୦୧୭ରେ ୧୨୬ ଜଣ ଆତଙ୍କବାଦୀ ସାଜିଥିଲେ। କଶ୍ମୀର ଘାଟିରେ ଥିବା ୨ଶହ ହିଜବୁଲ ଆତଙ୍କବାଦୀଙ୍କ ମଧ୍ୟରୁ ଅନ୍ୟୁନ ୭୦ଜଣ ଉଚ୍ଚଶିକ୍ଷିତ କଶ୍ମୀରୀ ଯୁବକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର