ନିଜ ସ୍କୁଲ ପ୍ରିନ୍ସିପାଲଙ୍କୁ ଗୁଳି କରି ହତ୍ୟାକଲା ଛାତ୍ର

ଗୁରୁଗ୍ରାମ: ଆମ ସମାଜରେ ଏବେ ସ୍କୁଲ ପିଲାଙ୍କ ମଧ୍ୟରେ ହିଂସାତ୍ମକ ପ୍ରବୃତ୍ତି ବଢିବାରେ ଲାଗିଛି । ସ୍କୁଲରେ ହିଂସାକାଣ୍ଡ ସଂପର୍କରେ ପ୍ରାୟ ପ୍ରତିଦିନ ଖବର ଆସୁଛି । ଗତ ବର୍ଷ ହରିୟାଣାରେ ଏକ ଦ୍ୱାଦଶ ଶ୍ରେଣୀର ପିଲା ଏକ ଛୋଟ ପିଲାକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଖବର ସାରାଦେଶରେ ହଇଚଇ ସୃଷ୍ଟି କରିଥିଲା । ସେହି ହରିୟାଣାରୁ ଆଉ ଏକ ଦୁଃଖଦ ଖବର ଆସିଛି । ରାଜ୍ୟର ଗୁରୁଗ୍ରାମ ନିକଟବର୍ତ୍ତି ଯମୁନାନଗର ଅଞ୍ଚଳର ଜଣେ ଦ୍ୱାଦଶ ଶ୍ରେଣୀର ପିଲା ନିଜ ସ୍କୁଲର ପ୍ରିନ୍ସିପାଲଙ୍କୁ ଗୁଳିମାରି ହତ୍ୟା କରିଛି । ଅଭିଯୁକ୍ତ ଛାତ୍ରକୁ ପୋଲିସ ଅଟକ ରଖିଛି ।

ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆରୋପୀ ଛାତ୍ରକୁ ପ୍ରିନ୍ସିପାଲ ରିତୁ ଛାବରା ଗାଳିଦେଇଥିବାରୁ ତାର ପ୍ରତିଶୋଧ ନେବା ଲାଗି ସେ ଏହି କାଣ୍ଡ ଘଟାଇଥିଲା । ଆଜି ମଧ୍ୟାହ୍ନରେ ସେ ଏକ ପିସ୍ତଲ ସହ ପ୍ରିନ୍ସିପାଲଙ୍କ ଅଫିସରେ ପହଞ୍ଚିଥିଲା ଓ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ନିଜ ପିସ୍ତଲରୁ ସେ ପ୍ରାୟ ୪ ରାଉଣ୍ଡ ଗୁଳି ଚାଳନା କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ରିତୁ ଟଳିପଡ଼ିଥିଲେ । ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଚଳିତ ମାସରେ ଲକ୍ଷ୍ନୌର ଏକ ଛାତ୍ରୀ ନିଜ ସ୍କୁଲର ଏକ ପ୍ରଥମ ଶ୍ରେଣୀ ପିଲାକୁ ଏଇଥି ପାଇଁ ଆକ୍ରମଣ କରିଥିଲା ଯେ ସ୍କୁଲ ଜଲଦି ଛୁଟି ହୋଇଯିବ ।

ସମ୍ବନ୍ଧିତ ଖବର