ଦିଲ୍ଲୀ ସ୍କୁଲ୍‌ରେ ପିଲାମାନଙ୍କୁ ଗାୟତ୍ରୀ ମନ୍ତ୍ର ଆବୃତ୍ତି କରିବାକୁ କୁହାଯିବାରୁ ସଂଖ୍ୟାଲଘୁ ପାନେଲ୍‌ର ଆପତ୍ତି

ନୂଆଦିଲ୍ଲୀ: ନଗରପାଳିକା ଦ୍ୱାରା ପରିଚାଳିତ ସ୍କୁଲ୍‌ଗୁଡ଼ିକରେ ପିଲାମାନଙ୍କୁ ଗାୟତ୍ରୀ ମନ୍ତ୍ର ଆବୃତ୍ତି କରିବାକୁ ସର୍କ୍ୟୁଲାର୍‌ ଜାରି କରାଯିବା ପରେ ଦିଲ୍ଲୀ ସଂଖ୍ୟାଲଘୁ କମିସନ୍‌ ଉତ୍ତର ନଗରପାଳିକାକୁ ଏକ ନୋଟିସ ଜାରି କରିଛି। ଦିଲ୍ଲୀ ସଂଖ୍ୟାଲଘୁ କମିସନ୍‌ର ଅଧ୍ୟକ୍ଷ ଜଫାରୁଲ୍‌ ଇସ୍‌ଲାମ୍‌ ଖାଁ କହିଛନ୍ତି ଯେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ୍‌ କର୍ପୋରେସନ୍‌ର ଶିକ୍ଷା ବିଭାଗକୁ ଏବେ ନୋଟିସ୍‌ ଜାରି କରାଯାଇଛି।

ସକାଳ ସମବେତସ୍ଥଳୀରେ ପିଲାମାନେ କାହିଁକି ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିବେ ବୋଲି ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ୍‌ କର୍ପୋରେସନ୍‌କୁ କୈଫୟତ୍‌ ମଗାଯାଇଛି।

ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ୍‌ କର୍ପୋରେସନ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ନଗରପାଳିକା ଦ୍ୱାରା ପରିଚାଳିତ ସ୍କୁଲ୍‌ଗୁଡ଼ିକରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିବା ବାଧ୍ୟତାମୂଳକ କରାଯାଇ ନାହିଁ।

ନଗରପାଳିକା ୭୬୫ଟି ପ୍ରାଥମିକ ବିଦ୍ୟାଳୟ ଚଳାଉଛି ଏବଂ ସେସବୁରେ ପ୍ରାୟ ୨.୨ ଲକ୍ଷ ପିଲା ନାମ ଲେଖାଇଛନ୍ତି।

ସେପ୍ଟେମ୍ବର ୬ ତାରିଖରେ ଶିକ୍ଷା ବିଭାଗ ଜାରି କରିଥିବା ସର୍କ୍ୟୁଲାର୍‌ରେ ଉଲ୍ଲେଖ ରହିଛି ଯେ ସ୍କୁଲ୍‌ରେ ସକାଳ ସମବେତ ସଭାରେ ଜାତୀୟ ସଙ୍ଗୀତ, ପ୍ରାର୍ଥନା, ଗାୟତ୍ରୀମନ୍ତ୍ର ଛଡ଼ା ଦେଶାତ୍ମବୋଧକ ସ୍ଲୋଗାନ୍‌ ଆଦି ଆବୃତ୍ତି କରାଯିବ। କିନ୍ତୁ, ଏହାକୁ ବାଧ୍ୟତାମୂଳକ କରାଯାଇ ନାହିଁ ବୋଲି ଶିକ୍ଷା ବିଭାଗ କହିଛି।

ସମ୍ବନ୍ଧିତ ଖବର