ଯାତ୍ରୀଙ୍କ ପ୍ରଶ୍ନକୁ ଥଟ୍ଟା ବୋଲି ଭାବି ଭୁଲ ସୂଚନା ଦେଇଥିଲେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ,୨,୩୦୦ କିଲୋମିଟର ଯାତ୍ରା କରି ଆଉ ଏକ ସ୍ଥାନରେ ପହଞ୍ଚିଲେ ଯାତ୍ରୀ

ନୂଆଦିଲ୍ଲୀ : କିଛି ଲୋକଙ୍କର ପ୍ରତି କଥାରେ ଥଟ୍ଟା କରିବାର ଅଭ୍ୟାସ ରହିଥାଏ । ଥଟ୍ଟା କରିବା ପୂର୍ବରୁ ତାହାର ପ୍ରଭାବ ଅନ୍ୟ ଉପରେ କିପରି ପଡ଼ିବ ତାହା  ସେମାନେ ଭାବନ୍ତି ନାହିଁ । ଠିକ୍‌ ସେଭଳି କିଛି ଘଟଣା ଘଟିଛି ଜଣେ କାନାଡ଼ିଆନ୍‌ ଯୁବକଙ୍କ ସହ । ଯୁବକ ଗୋଟିଏ ସ୍ଥାନକୁ ଯିବାକୁ ଥିବା ବେଳେ ସେ ଅନ୍ୟ ସ୍ଥାନରେ ଯାଇ ପହଞ୍ଚି ଯାଇଥିଲେ । ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କ ପରିହାସ  ପାଇଁ ତାଙ୍କୁ ୧୪ଘଣ୍ଟା ବିମାନରେ ଯାତ୍ରା କରିବାକୁ ପଡ଼ିଲା । ଭୁଲ୍‌ ଦିଗରେ ସେ ୨,୩୦୦କିଲୋମିଟର ଯାତ୍ରା କରିଥିଲେ ମଧ୍ୟ ସେ ଥଟ୍ଟାର ଶିକାର ହୋଇଥିବା ଜାଣି ପାରି ନ ଥିଲେ ।

ସୂଚନା ମୁତାବକ,କ୍ରିଷ୍ଟୋଫର୍‌ ନାମକ ଜଣେ ଓ୍ଵାଇଲ୍‌ଡ଼୍‍ ଲାଇଫ୍‌ ଫଟୋଗ୍ରାଫର ବିମାନ ମଧ୍ୟକୁ ଯାଇ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ଏହି ବିମାନଟି ଇନୁଭିକ୍‌ ଯାଉଛି କି ବୋଲି ପଚାରିଥିଲେ । ପ୍ରଶ୍ନ ଶୁଣି ସେ ହଁ ଭରିବା ପରେ କ୍ରିଷ୍ଟୋଫର୍‌ ବିମାନଟି ଇନୁଭିକ୍‌ ଯାଉଥିବା ଭାବି ବସି ଯାଇଥିଲେ । ୧୪ଘଣ୍ଟାର ଯାତ୍ରା ପରେ ବିମାନଟି ନୁନାଭୁଟ୍‌ରେ ଅବତରଣ କରିଥିଲା । ସେଠାରେ ପହଞ୍ଚିବା ପରେ କ୍ରିଷ୍ଟୋଫର୍‌ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ଏଠାରେ ବିମାନ କ’ଣ ପାଇଁ ଅବତରଣ କରାଗଲା ବୋଲି ପଚାରିଥିଲେ । ଏହା ପରେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଆଶ୍ଚର୍ଯ୍ୟ ହୋଇ ଆପଣ ମୋ କଥାକୁ ସତ ଭାବିଥିଲେ କି?ମୁଁ ଆପଣଙ୍କ ପ୍ରଶ୍ନକୁ ଏତେ ଗମ୍ଭୀର ଭାବେ ନେଇ ନଥିଲି । ମୁଁ ଭାବିଲି ଆପଣ ଥଟ୍ଟା କରୁଛନ୍ତି ବୋଲି କହି କ୍ଷମା ମାଗିଥିଲେ । ସବୁ ଜାଣିବା ପରେ କ୍ରିଷ୍ଟୋଫର୍‌ ପୂରା ଘଟଣା ବିଷୟରେ ଜଣାଇ ଏହାର ଏକ ଭିଡ଼ିଓ ଟ୍ଵିଟରରେ ପୋଷ୍ଟ କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର