ଏମ୍‌ଇଏସ୍‌ସିର ଅଧ୍ୟକ୍ଷ ହେଲେ ସୁଭାଷ ଘାଇ

ମୁମ୍ବାଇ : ମିଡିଆ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ ସ୍କିଲ୍ସ କାଉନ୍‌ସିଲ୍‌ (ଏମ୍‌ଇଏସ୍‌ସି)ର ନୂଆ ଅଧ୍ୟକ୍ଷ ଭାବେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ସୁଭାଷ ଘାଇ ନିର୍ବାଚିତ ହୋଇଛନ୍ତି। ମୁମ୍ବାଇର ହୋଟେଲ ଲଲିତ୍‌ ପରିସରରେ ଗତକାଲି ଆୟୋଜିତ ଉତ୍ସବରେ ଶ୍ରୀ ଘାଇଙ୍କୁ ଏମ୍‌ଇଏସ୍‌ସି ପରିଚାଳନା ପରିଷଦର ସଦସ୍ୟମାନେ ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି। ଡ କମଲ ହାସନ୍‌ଙ୍କ ସ୍ଥାନରେ ଶ୍ରୀ ଘାଇ ନୂଆ ଅଧ୍ୟକ୍ଷ ହୋଇଛନ୍ତି।

ପରିଷଦର ନୂଆ ଅଧ୍ୟକ୍ଷ ହୋଇଥିବାରୁ ସେ ଏଥିପାଇଁ ଗର୍ବ ଅନୁଭବ କରୁଛନ୍ତି। ଦେଶରେ ଦକ୍ଷତା ଭିତ୍ତିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବାରୁ ଉତ୍ତମମାନର ତାଲିମ ପ୍ରଦାନ ଲାଗି ଦକ୍ଷ ତାଲିମଦାତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ଶ୍ରୀ ଘାଇ ମତ ଦେଇଛନ୍ତି।

ଏମ୍‌ଇଏସ୍‌ସିର ଏହି ବାର୍ଷିକ ବୈଠକରେ ପରିଚାଳନା ପରିଷଦର ସଦସ୍ୟ ତଥା ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ କହିଛନ୍ତି, ଓଡ଼ିଶାରେ ଗଣମାଧ୍ୟମ ଏବଂ ଆମୋଦପ୍ରମୋଦ ଶିଳ୍ପରେ ଦକ୍ଷତା ଥିବା ବ୍ୟକ୍ତିଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ତେଣୁ ପ୍ରିଣ୍ଟ, ରେଡିଓ, ଟେଲିଭିଜନ୍‌, ଗେମିଂ, ଆନିମେସନ୍‌, ଆଉଟଡୋର, ଇଭେଣ୍ଟ ଏବଂ ଡିଜିଟାଲ ଆଦି କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ହେଲେ ଏହି ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ସାର୍ଟିଫିକେଟ କୋର୍ସ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିଳ୍ପ ସଂଘ ଫିକିର ବରିଷ୍ଠ ନିର୍ଦ୍ଦେଶିକା ଲୀନା ଜୈସାନି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଅଧୀନ ଜାତୀୟ ଦକ୍ଷତା ବିକାଶ ପରିଷଦର ଆର୍ଥିକ ସହାୟତାରେ ଏମ୍‌ଇଏସ୍‌ସି କାର୍ଯ୍ୟ କରୁଥିବାବେଳେ ଶିଳ୍ପ ସଂଘ ଫିକି ଏହି ପରିଷଦକୁ ପ୍ରୋତ୍ସାହିତ କରୁଛି।

ସମ୍ବନ୍ଧିତ ଖବର