ଲୋକପାଳ ନିଯୁକ୍ତି ପାଇଁ ଫେବ୍ରୁଆରି ୨୮ ସୁଦ୍ଧା ନାମ ତାଲିକା ଚୂଡ଼ାନ୍ତ କରିବାକୁ ଲୋକପାଳ ଖୋଜ କମିଟିକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଲୋକପାଳ ନିଯୁକ୍ତି ନିମନ୍ତେ ନାମ ତାଲିକା ଚୂଡ଼ାନ୍ତ କରି ଆସନ୍ତା ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ଲୋକପାଳ ଚୟନ କମିଟିଙ୍କ ନିକଟରେ ଦାଖଲ କରିବା ପାଇଁ ଆଜି (ଗୁରୁବାର) ଲୋକପାଳ ଖୋଜ୍‌ (ସର୍ଚ୍ଚ) କମିଟିକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌ କୋର୍ଟର ଏକ ଖଣ୍ଡପୀଠ, ଲୋକପାଳ ନିଯୁକ୍ତି ନିମନ୍ତେ ଆଗତ ଏକ ମାମଲାର ଶୁଣାଣି କରି, ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଞ୍ଜନା ପି ଦେଶାଇଙ୍କ ନେତୃତ୍ୱରେ ଗଠିତ ଲୋକପାଳ ଖୋଜ୍‌ (ସର୍ଚ୍ଚ) କମିଟିକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଲୋକପାଳ ନିଯୁକ୍ତି ନିମନ୍ତେ ଖୋଜ୍‌ କମିଟି ତା’ର ନାମ ତାଲିକା ସମ୍ବଳିତ ପ୍ରସ୍ତାବକୁ ଚୂଡ଼ାନ୍ତ କରି ଲୋକପାଳ ନିଯୁକ୍ତି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ଲୋକପାଳ ଚୟନ କମିଟି ନିକଟରେ ଦାଖଲ କରିବ। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ମାର୍ଚ୍ଚ ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି ସୁପ୍ରିମ୍‌ କୋର୍ଟ।

ଏଥିସହ ଆଇନ୍‌ଜୀବୀ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ଲୋକପାଳ ନିଯୁକ୍ତି ସଂପର୍କରେ ଆଗତ ଏହି ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଏହି କାର୍ଯ୍ୟ ସଂପାଦନ ପାଇଁ ଲୋକପାଳ ଖୋଜ୍‌ (ସର୍ଚ୍ଚ) କମିଟିକୁ ସମସ୍ତ ପ୍ରକାରର ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦେବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର