ଜେଟଲୀଙ୍କୁ ଅଡ଼ୁଆରେ ପକାଇଲେ ସ୍ୱାମୀ

ନୂଆଦିଲ୍ଲୀ : ଦେଶ ଛାଡ଼ିବା ପୂର୍ବରୁ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ ବୋଲି ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବୟାନକୁ ନେଇ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଜେଟଲୀ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କଂଗ୍ରେସ ପାଖରେ ଏହାର ପ୍ରମାଣ ରହିଛି ବୋଲି ଦଳର ସଭାପତି ରାହୁଲ ଗାନ୍ଧୀ ଆଜି ଦାବି କରିଛନ୍ତି। ସେ କହିଛନ୍ତି ଯେ ସଂସଦ ଭବନରେ ଜେଟଲୀ ଏବଂ ମାଲ୍ୟାଙ୍କ ମଧ୍ୟରେ ୧୫ରୁ ୨୦ ମିନିଟ ଧରି କଥାବାର୍ତା ହୋଇଥିଲା। ସିସିଟିଭିରେ ଏହାର ପ୍ରମାଣ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ସଭାପତି ରାହୁଲଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି ବିଜେପି ନେତା। ସେମାନେ ଅଭିଯୋଗ କରିଛନ୍ତି ଯେ ମାଲ୍ୟାଙ୍କ ସହିତ ଗାନ୍ଧୀ ପରିବାରର ଭିତିରି ସଂପର୍କ ରହିଛି। ରାହୁଲଙ୍କ ଲଣ୍ଡନ ଗସ୍ତ ପରେ ହଟଚମଟ ସୃଷ୍ଟି କରିବା ପାଇଁ ମାଲ୍ୟା ଏଭଳି ବୟାନ ଦେଇଛନ୍ତି।

ସମଗ୍ର ଘଟଣାକୁ ନେଇ ଜାତୀୟ ରାଜନୀତିରେ ନିଆଁ ଲାଗିଥିବା ବେଳେ ଏଥିରେ ଘିଅ ଢାଳିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ମାଲ୍ୟାଙ୍କୁ ଫେରାର କରିବା ପଛରେ ଜେଟଲୀଙ୍କ ହାତ ରହିଛି ବୋଲି ପରୋକ୍ଷରେ ସେ ଇଙ୍ଗିତ କରିଛନ୍ତି। କେବଳ ଏତିକି ନୁହେଁ ସେ କେତେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ତାଙ୍କର ଏଭଳି ଆଭିମୁଖ୍ୟ ମୋଦୀ ସରକାରକୁ ଅଡ଼ୁଆରେ ପକାଇ ଦେଇଛି। ସେ ଟୁଇଟ୍‌ କରି ଅଭିଯୋଗ କରିଛନ୍ତି ଯେ ମାଲ୍ୟାଙ୍କୁ ବିମାନ ବନ୍ଦରରେ ‘ଅଟକ’ ରଖିବା ଲାଗି ସିବିଆଇ ପ୍ରଥମେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଥିଲା। ତେବେ ପରବର୍ତୀ ସମୟରେ ନୋଟିସରେ ସଂଶୋଧନ କରାଯାଇଥିଲା। ଏଥିରେ ଅଟକ ରଖିବା ପରିବର୍ତେ କେବଳ ‘ଜଣାଇବା’ ଲାଗି କୁହାଯାଇଥିଲା। ଏହାର ଫାଇଦା ନେଇ ୨୪ଟି ଲଗେଜ୍‌ ସହିତ ମାଲ୍ୟା ଦେଶ ଛାଡ଼ି ପଳାଇଥିଲେ। ଏହି ନୋଟିସ ସଂଶୋଧନ ପଛରେ ଅର୍ଥ ବିଭାଗର ହାତ ରହିଥିବା ସେ ଦାବି କରିଛନ୍ତି। ଏହାସହିତ ସେ ପ୍ରଶ୍ନ କରିଛନ୍ତି ଯେ ସଂସଦ ଭବନରେ ମାଲ୍ୟା ଅର୍ଥ ମନ୍ତ୍ରୀଙ୍କୁ ଭେଟି ଲଣ୍ଡନ ଯାଉଥିବା ସଂପର୍କରେ ଜଣାଇବା ପଛରେ ରହସ୍ୟ କଣ?

ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ‘ଦେଶ ଛାଡ଼ିବା ପୂର୍ବରୁ ନୀରବ ମୋଦୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଦେଶ ଛାଡ଼ିବା ପୂର୍ବରୁ ମାଲ୍ୟା ଅର୍ଥ ମନ୍ତ୍ରୀଙ୍କୁ ଭେଟିଥିଲେ। ସାକ୍ଷାତ ବେଳେ ସେମାନଙ୍କ ମଧ୍ୟରେ କଣ ଆଲୋଚନା ହୋଇଥିଲା ତାହା ଦେଶବାସୀ ଜାଣିବାକୁ ଚାହାନ୍ତି।’

ଇତିମଧ୍ୟରେ ମାଲ୍ୟାଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା ଲୁକ୍‌ ଆଉଟ୍‌ ନୋଟିସ ସଂପର୍କରେ ସିବିଆଇ ସଫେଇ ଦେଇଛି। ୨୯ ଜୁଲାଇ ୨୦୧୫ରେ ମାଲ୍ୟାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। ୧୬ ଅକଟୋବର ୨୦୧୫ରେ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ବିମାନ ବନ୍ଦରରେ ମାଲ୍ୟା ପହଂଚିଲେ ତାଙ୍କୁ ଇମିଗ୍ରେସନ କର୍ତୃପକ୍ଷ ଅଟକ ରଖନ୍ତୁ। ସେହିବର୍ଷ ନଭେମ୍ବର ୨୩ ତାରିଖରେ ଇମିଗ୍ରେସନ ଅଧିକାରୀ ଜଣାଇଥିଲେ ଯେ ୨୪ ତାରିଖରେ ବିଦେଶ ଯାତ୍ରା ପାଇଁ ମାଲ୍ୟା ବିମାନ ବନ୍ଦରକୁ ଆସିବେ। କିନ୍ତୁ ସେତେବେଳେ ମାଲ୍ୟାଙ୍କୁ ଗିରଫ କରିବା ଲାଗି କୌଣସି ଠୋସ୍‌ ପ୍ରମାଣ ନ ଥିବାରୁ ତାଙ୍କୁ ଅଟକ ରଖିବା ପରିବର୍ତେ ସେ ପହଂଚିବା ମାତ୍ରେ କେବଳ ସିବିଆଇକୁ ଜଣାଇବା ଲାଗି କୁହାଯାଇଥିଲା। କାରଣ ସେତେବେଳେ କୌଣସି ବ୍ୟାଙ୍କ ସିବିଆଇରେ ଫେରାଦ ହୋଇ ନଥିଲେ। ତଦନ୍ତ ମଧ୍ୟ ପ୍ରାରମ୍ଭିକ ସ୍ତରରେ ଥିଲା ବୋଲି ସିବିଆଇ କହିଛି।

ସମ୍ବନ୍ଧିତ ଖବର