ଏବେ ସିଆରପିଏଫ୍, ବିଏସ୍ଏଫ୍ କ୍ୟାଣ୍ଟିନରେ ମଧ୍ୟ ଶସ୍ତାରେ ବିଦେଶୀ ମଦ ମିଳିବ ! ଆଗରୁ କେବଳ ମିଳୁଥିଲା ସେନା କ୍ୟାଣ୍ଟିନରେ

ନୂଆଦିଲ୍ଲୀ : ଏଣିକି ସବୁ ପ୍ରକାରର ଅର୍ଦ୍ଧସାମରିକ ବାହିନୀ କ୍ୟାଣ୍ଚିନ ଗୁଡ଼ିକରେ ଭାରତରେ ଉତ୍ପାଦିତ ବିଦେଶୀ ମଦ ଶସ୍ତାରେ ମିଳିବ । ପୂର୍ବରୁ କେବଳ ଭାରତୀୟ ସେନା, ନୌସେନା ଓ ବାୟୁସେନା କ୍ୟାଣ୍ଟିନରେ ପ୍ରାୟ ଅଧା ଦାମରେ ବିଦେଶୀ ମଦ ମିଳୁଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ କେରଳରେ ଥିବା କ୍ୟାଣ୍ଟିନ ଗୁଡ଼ିକରେ ଏହା ଲାଗୁ ହେବ । କାରଣ ସେଠିକାର ରାଜ୍ୟ ସରକାର ଉତ୍ପାଦ ଶୁଳ୍କ ରିହାତି ପାଇଁ ରାଜି ହୋଇଛନ୍ତି । ମଦ ଉପରେ ଟିକସ ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋଇଥିବାରୁ ଅନ୍ୟ ରାଜ୍ୟମାନେ ଟିକସ ରିହାତି ଦେଲେ ସଂପୃକ୍ତ ରାଜ୍ୟରେ ଥିବା ଅର୍ଦ୍ଧସାମରିକ ବାହିନୀର କ୍ୟାଣ୍ଟିନ ଗୁଡ଼ିକରେ ମଧ୍ୟ ରିହାତିରେ ମଦ ମିଳିବ ।

ଯେଉଁ ସବୁ ଅର୍ଦ୍ଧସାମରିକ ବାହିନୀର କ୍ୟାଣ୍ଟିନରେ ଶସ୍ତାରେ ମଦ ମିଳିବ ସେଗୁଡ଼ିକ ହେଲା ସୀମା ସୁରକ୍ଷା ବଳ (ବିଏସଏଫ), ଇଣ୍ଡୋ ତିବ୍ଦତିଆନ ବର୍ଡର ପୁଲିସ(ଆଇଟିବିପି), କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ( ସିଆରପିଏଫ), ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସଏପ), ସଶସ୍ତ୍ର ସୀମା ବଳ ଓ ଆସାମ ରାଇଫଲ୍ସ ।

ମିଲିଟାରୀ କ୍ୟାଣ୍ଟିନଗୁଡ଼ିକରେ ଶସ୍ତାରେ ବିଦେଶୀ ମଦ ମିଳିବାର କାରଣ ହେଉଛି ସରକାର ଏହା ଉପରୁ ଟିକସ ଛାଡ କରିଥାନ୍ତି ବା କମ ଟିକସନେଇ ଥାନ୍ତି । ମଦ ଉପରେ ବିକ୍ରି କର ଉପରେ ୫୦ ପ୍ରତିଶତ ରିହାତି ଓ ଉତ୍ପାଦ ଶୁଳକ ଲିଟର ପିଛା ମାତ୍ର ୨୧ ଟଙ୍କା ନିଆଯାଇଥାଏ । କିନ୍ତୁ ବଜାରରେ ବିଦେଶୀ ମଦ ଉପରେ ଲିଟର ପିଛା ୩୩ରୁ ୬୬ ଟଙ୍କା ପର୍ଯ୍ୟନ୍ତ ଉତ୍ପାଦ ଶୁଳକ ଆଦାୟ କରାଯାଇଥାଏ । ଆହୁରି ମଧ୍ୟ ବାର୍‌ ହୋଟେଲ ଗୁଡ଼ିକ ଉପରେ ଲାଇସେନ୍ସ ବାବଦରେ ବର୍ଷକୁ ୨୪ ଲକ୍ଷ ଟଙ୍କା ଆଦାୟ କରାଯାଏ କିନ୍ତୁ ମିଲିଟାରୀ କ୍ୟାଣ୍ଟିନଗୁଡ଼ିକ ବର୍ଷକୁ ମାତ୍ର ୧୦୦୦ ଟଙ୍କାର ଲାଇସେନ୍ସ ଦେୟ ଦିଅନ୍ତି ।

ସମ୍ବନ୍ଧିତ ଖବର