ଅସ୍ତ୍ରୋପଚାର ସଫଳ : ସଙ୍କଟ ଟଳିନି

ଭେଣ୍ଟିଲେଟରରେ ଜଗା ବଳିଆ

0 3,249

ଆଉ ୧୬ ଦିନ ଅତି ଗୁରୁତ୍ୱପୂର୍ଣ୍ଣ, ରାଜ୍ୟବ୍ୟାପୀ ପୂଜାର୍ଚ୍ଚନା, ଦୀପଦାନ

ନୂଆଦିଲ୍ଲୀ : ପ୍ରଥମ ଅସ୍ତ୍ରୋପଚାର ଭଳି ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ବି ସଫଳ ହୋଇଛି। ଏମ୍‌ସରେ ଜଗା-ବଳିଆଙ୍କ ଯୋଡ଼ାମୁଣ୍ଡ ଅଲଗା କରାଯିବା ପରେ ଦୁଇଜଣଙ୍କୁ ଅପରେସନ ଥିଏଟରରୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି। ଭେଣ୍ଟିଲେଟରରେ ରଖାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ କିନ୍ତୁ ସ୍ଥିର ଅଛି ବୋଲି ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କହିଛନ୍ତି, ଜଗା ବଳିଆଙ୍କ ପାଇଁ ଆଗାମୀ ୪୮ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରବର୍ତ୍ତୀ ୧୩ ଦିନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏଥିଲାଗି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଜଗାବଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ରାଜ୍ୟବ୍ୟାପୀ ପ୍ରାର୍ଥନା, ପୂଜାର୍ଚ୍ଚନା ଚାଲିଛି। କନ୍ଧମାଳରୁ ଆରମ୍ଭ କରି ରାଜଧାନୀ ଓ ପୁରୀ ପର୍ଯ୍ୟନ୍ତ ଠାକୁରଙ୍କ ନିକଟରେ ଦୀପ ଦାନ ଓ ସାମୁହିକ ପ୍ରାର୍ଥନା କାର୍ଯ୍ୟକ୍ରମ ଚାଲିଛି। ବିଜେଡି ପକ୍ଷରୁ ଆଜି ରାମମନ୍ଦିର ନିକଟରେ ସମୂହ ଦୀପଦାନ ବି କରାଯାଇଛି। ସମସ୍ତଙ୍କ ପ୍ରାର୍ଥନା, ଜଗାବଳିଆ ଶୀଘ୍ର ସୁସ୍ଥ ହୋଇ ଘରକୁ ବାହୁଡ଼ି ଆସନ୍ତୁ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅସ୍ତ୍ରୋପଚାର ପାଇଁ ଓଡ଼ିଆ ଡାକ୍ତର ତଥା ଟିମ୍‌ର ନେତୃତ୍ୱ ନେଉଥିବା ପ୍ରଫେସର ଅଶୋକ ମହାପାତ୍ର ଓ ସାମିଲ ଥିବା ସବୁ ଡାକ୍ତରଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ଚିକିତ୍ସା ବିଜ୍ଞାନର ଏହି ସଫଳତାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ଆଜି ଡାକ୍ତର ଗୁଲେରିଆ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଅତ୍ୟନ୍ତ ଚ୍ୟାଲେଂଜପୂର୍ଣ୍ଣ ଥିଲା। ବୁଧବାର ୯.୩୦ ମିନିଟ୍‌ରେ ଅପରେସନ ଆରମ୍ଭ ହୋଇଥିଲା ଓ ୨୦ ଜଣ ସର୍ଜନ୍‌ ଓ ୧୦ ଜଣ ନିଶ୍ଚେତକ ବିଶେଷଜ୍ଞଙ୍କୁ ମିଶାଇ ମୋଟ ୩୦ଜଣ ଡାକ୍ତର ୧୬ ଘଣ୍ଟା ଧରି ଅପରେସନ କରିଥିଲେ। ଉଭୟଙ୍କୁ ୨୦ ଘଣ୍ଟା ପାଇଁ ନିଶ୍ଚେତକ ପ୍ରୟୋଗ କରାଯାଇଥିଲା। ଏମ୍ସ ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଅଶୋକ କୁମାର ମହାପାତ୍ର ଏହାର ନେତୃତ୍ୱ ନେଇଥିଲେ। ରାତି ୮.୪୫ରେ ଦୁଇ ଶିଶୁଙ୍କ ଯୋଡ଼ାମୁଣ୍ଡକୁ ଅଲଗା କରାଯାଇଥିଲା। ଏହାପରେ ବ୍ରେନ୍‌କୁ ଆଚ୍ଛାଦନ ପାଇଁ ଖପୁରୀ ଓ ଚର୍ମ (ସ୍କିନ୍‌ ଫ୍ଲାପ୍‌) ଗ୍ରାଫ୍ଟିଂ ପାଇଁ ୪ରୁ ୫ ଘଣ୍ଟା ସମୟ ଲାଗିଯାଇଥିଲା। ପ୍ରଥମେ ଜଗାକୁ ରାତି ୧୧.୪୫ରେ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ବଳିଆ ରାତି ୨.୩୦ରେ ଆଇସିୟୁକୁ ଯାଇଥିଲା।

ଡାକ୍ତର ମହାପାତ୍ର କହିଛନ୍ତି, ଦୁଇଜଣଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସ୍କିନ୍‌ ଗ୍ରାଫ୍ଟ ଯେଭଳି ଠିକ୍‌ ଭାବରେ ମିଶିବ, ବ୍ରେନ୍‌ରେ ରକ୍ତ ସଞ୍ଚାଳନ ଯେଭଳି ଠିକ୍‌ ଭାବେ ହେବ, କିଡ୍‌ନୀ ଆଦି ଠିକଣା ଭାବେ କାର୍ଯ୍ୟ କରିବ, ସେଥିପ୍ରତି ଧ୍ୟାନ ଦିଆଯିବ। ନ୍ୟୁରୋଆନାସ୍ଥେସିଆ, ନ୍ୟୁରୋସର୍ଜରି, ପେଡିଆଟ୍ରିକ୍‌ ନେଫ୍ରୋଲୋଜି ଏବଂ ପେଡିଆଟ୍ରିକ୍‌ କ୍ରିଟିକାଲ କେୟାର, କାର୍ଡିଆକ୍‌ ଆନାସ୍ଥେସିଆ, ପେଡିଆଟ୍ରିକ୍‌ କାର୍ଡିଓଲୋଜି, ପେଡିଆଟ୍ରିକ୍‌ ନେଫ୍ରୋଲୋଜି ଏବଂ ପେଡିଆଟ୍ରିକ୍‌ ନ୍ୟୁରୋଲୋଜିର ବିଶେଷଜ୍ଞ ଡାକ୍ତରମାନେ ଦୁଇ ଶିଶୁଙ୍କର ତତ୍ତ୍ୱାବଧାନରେ ରହିବେ। ତେବେ କେତେଦିନ ସେମାନେ ଆଇସିୟୁରେ ରହିବେ ସେନେଇ ଏବେଠାରୁ କିଛି କୁହାଯାଇପାରିବ ନାହିଁ।

ଅସ୍ତ୍ରୋପଚାରରେ ସାମିଲ ଥିବା ଅନ୍ୟ ବିଶେଷଜ୍ଞମାନେ କହିଥିଲେ, ଦ୍ୱିତୀୟ ପର୍ଯ୍ୟାୟର ପ୍ରତ୍ୟେକଟି ପର୍ଯ୍ୟାୟ ଜଟିଳ ଥିଲା। ତେବେ ନୂଆ ଜ୍ଞାନକୌଶଳର ପ୍ରୟୋଗ କରାଯାଇ ସବୁ ସମସ୍ୟାର ସାମ୍ନା କରାଯାଇଥିିଲା। ଅପରେସନ ସମୟରେ ଜଗାର କାର୍ଡିଆକ୍‌ ସମସ୍ୟା ଦେଖାଦେଇଥିଲା ଏବଂ କାର୍ଡିଆକ୍‌ ଆନାସ୍ଥେସିଆ ଟିମ୍‌ ଦ୍ୱାରା ଏହାର ନିୟନ୍ତ୍ରଣ କରାଯାଇଥିଲା। ଏଥିରେ ଡାକ୍ତର ସଂଜୀବ ଚୌହାନ ମୁଖ୍ୟ ଭୂମିକା ନେଇଥିଲେ। ଅସ୍ତ୍ରୋପଚାର ସମୟରେ ରକ୍ତସ୍ରାବ ସମସ୍ୟା ମଧ୍ୟ ଜଟିଳ ରୂପ ନେଇଥିବା ଡାକ୍ତର ମହାପାତ୍ର କହିଥିଲେ। ସାଢେ ତିନି ଲିିଟର ରକ୍ତ କ୍ଷରଣ ହୋଇଥିଲା।

ନ୍ୟୁରୋସର୍ଜରି ପ୍ରଫେସର କେକେ କାଲେ କହିଥିଲେ କୃତ୍ରିମ ଶିରା ପ୍ରସିରା ଓ ଚମଡ଼ା ସୃଷ୍ଟି କରିବା ସହିତ ସେମାନଙ୍କର ନ୍ୟୁଟ୍ରିସନାଲ ଲେବଲକୁ ମଧ୍ୟ ଧ୍ୟାନ ଦିଆଯାଇଥିଲା। ଅପରେସନର ଜଟିଳତା ସମ୍ପର୍କରେ ସୂଚନା ଦେଇ ନ୍ୟୁରୋ-ଆନାସ୍ଥେସିଆ ବିଭାଗର ଦୁଇଜଣ ବିଶେଷଜ୍ଞ ଡାକ୍ତର ପ୍ରଫେସର ମିହିର ପ୍ରକାଶ ପାଣ୍ଡ୍ୟା ଓ ପ୍ରଫେସର ଗିରିଜା ପ୍ରସାଦ ରଥ କହିଥିଲେ ୪ଟି ପର୍ଯ୍ୟାୟରେ ଆନାସଥେସିଆ ଦିଆଯାଇଥିଲା। ବିଶେଷକରି ବ୍ରେନ୍‌ରେ କିଭଳି ରକ୍ତ ସଞ୍ଚାଳନ ହୋଇପାରିବ ସେ ନେଇ ଅନେକ ଜଟିଳତା ଦେଖାଦେଇଥିଲା ଏବଂ ତାହାକୁ ସଠିକ୍‌ ଭାବେ ନିୟନ୍ତ୍ରଣ କରାଯାଇଥିଲା।

ସବୁଠାରୁ ଜଟିଳତା ଉତ୍ପନ୍ନ ହୋଇଥିଲା ପ୍ଲାଷ୍ଟିକ୍‌ ସର୍ଜରିରେ। ଦୁଇ ଶିଶୁଙ୍କୁ ଅଲଗା କରିଦିଆଯିବାପରେ ଖପୁରି ନଥିଲା କି ଚମଡ଼ା ନଥିଲା। ପ୍ଲାଷ୍ଟିକ୍‌ ସର୍ଜରି ମାଧ୍ୟମରେ ସ୍କିନ୍‌ ଫ୍ଲାପ୍‌ ଓ ଗ୍ରାଫ୍ଟିଂ କରାଯାଇଥିଲା ଏବଂ ଏଥିଲାଗି ୫ ଘଣ୍ଟା ଲାଗିଯାଇଥିଲା ବୋଲି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ମନିଷ ସିଂଘଲ କହିଛନ୍ତି। ତେବେ ଏହି ୧୬ଦିନର ଫଳାଫଳକୁ ଅନୁଧ୍ୟାନ କରିବାପରେ ପରବର୍ତ୍ତୀ ପର୍ଯ୍ୟାୟ ସମ୍ପର୍କରେ କିଛିଟା କହିବା ସମ୍ଭବ ହେବ ବୋଲି ଡାକ୍ତରୀଦଳ ପକ୍ଷରୁ କୁହାଯାଇଛି। ଜଗାଠାରୁ ବଳିଆର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର ମହାପାତ୍ର କହିଥିଲେ। ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲେ ହେଁ ଦୁହେଁ ଦୁର୍ବଳ ଥିବା ଡାକ୍ତର ମହାପାତ୍ର କହିଥିଲେ। ନିଶ୍ଚେତକ ମାତ୍ରା ଅପସରିଯିବାପରେ ଏହି ଅପରେସନକୁ ଶିଶୁମାନେ କିଭଳିଭାବେ ଗ୍ରହଣ କରିଛନ୍ତି ତାହା ଜଣାପଡ଼ିବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯୋଡ଼ାମୁଣ୍ଡ ଶିିଶୁକୁ ଅଲଗା କରାଯିବା ଅସ୍ତ୍ରୋପଚାର ଏମ୍ସରେ ପ୍ରଥମ ବୋଲି ଡାକ୍ତର ମହାପାତ୍ର କହିଛନ୍ତି। ବିରଳ ଅପରେସନ ପାଇଁ ଏମ୍ସର ବିଶେଷଜ୍ଞ ଦଳ ଦିନରାତି ଶିଶୁଙ୍କ ପ୍ରତ୍ୟେକ ଗତିବିଧି ମନିଟରିଂ କରୁଥିଲେ। ଏପରିକି ସପ୍ତାହ ସପ୍ତାହ ପର୍ଯ୍ୟନ୍ତ ଡାକ୍ତରୀଦଳ ଏମ୍ସରୁ ସେମାନଙ୍କ ନିଜ ବାସଭବନକୁ ଯାଉନଥିଲେ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.