ଆଫଗାନିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୯ ମୃତ

କାବୁଲ : ଆଫଗାନିସ୍ତାନର ଜଲାଲାବାଦ ସହରରେ ଥିବା ଏକ ସରକାରୀ କୋଠାରେ ଆଜି ଆତ୍ମଘାତୀ ବୋମା ବିସ୍ଫୋରଣ ହେବାରୁ ଅତିକମରେ ୯ ଲୋକଙ୍କ ମୃତ୍ୟୁ ଓ ୩୬ ଜଣ ଆହତ ହୋଇଥିବା ଜଣାଯାଇଛିି । ନଙ୍ଗରହର ରାଜ୍ୟର ଗଭର୍ଣ୍ଣରଙ୍କ ମୁଖପାତ୍ର ଅତାହୁଲ୍ଲା ଖୋଗ୍ୟାନି କହିଛନ୍ତି ଯେ ଆତ୍ମଘାତୀ ଆତଙ୍କବାଦୀ ଏକ କାରରେ ଆସି କୋଠାର ଗେଟ ପାଖରେ ବିସ୍ଫୋରଣ କରିଥିଲେ । ଏହା ପରେ ଆତଙ୍କବାଦୀମାନେ ସରକାରୀ କୋଠା ଭିତରେ ପଶି ଗୁଳି ଚଳାଇଥିଲେ । ମିଳିଥିବା ସର୍ବଶେଷ ଖବର ଅନୁଯାୟୀ ଏବେ ମଧ୍ୟ ଗୁଳି ବିନିମୟ ଚାଲିଛି ଓ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ତେବେ ଏହି ଆକ୍ରମଣ ପଛରେ ତାଲିବାନ ରହିଛି ଅଥବା ଆଇଏସ୍‌ ରହିଛି ତାହା ଜଣାପଡି ନାହିଁ । ଆଫଗାନିସ୍ତାନରେ ଏବେ ଉଭୟ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିନାହାନ୍ତି । ୨୦୧୪ରେ ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସୈନ୍ୟଙ୍କ ଅପରେସନ ଶେଷ ହେବା ପରେ ଆଫଗାନି ସୈନ୍ୟ ଏବେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।

ସମ୍ବନ୍ଧିତ ଖବର