ଆଫ୍‌ଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ୩୧ ମୃତ, ୫୪ ଆହତ

କାବୁଲ: ଆଫ୍‌ଗାନିସ୍ତାନ୍‌ର ରାଜଧାନୀ କାବୁଲରେ ଆଜି ଏକ ବଡ଼ ଧରଣର ଆତଙ୍କବାଦୀ ହାମ୍‌ଲା ଘଟିଛି। ଏହି ଆତଙ୍କବାଦୀ ହାମ୍‌ଲାରେ ୩୧ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୫୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏକ ଆତ୍ମଘାତୀ ମାନବ ବୋମା ସାହାଯ୍ୟରେ ଏହି ଆତଙ୍କବାଦୀ ହାମ୍‌ଲା ଘଟିଥିବା ଆଫ୍‌ଗାନିସ୍ତାନ୍‌ ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଏହି ଆତଙ୍କବାଦୀ ହାମ୍‌ଲା ଘଟାଇଥିବା ଦାବି କରିଛି।

ଆଫ୍‌ଗାନିସ୍ତାନ୍‌ର ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପ୍ରବକ୍ତା ନଜିବ୍‌ ଡନେସ୍‌ ଏହି ଆତଙ୍କବାଦୀ ହାମ୍‌ଲା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ଦେଶର ଭୋଟରମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉଥିବା କାଳରେ ଏହି ଆତଙ୍କବାଦୀ ବିସ୍ଫୋରଣ ଘଟିଥିଲା। ଏକ ଆତ୍ମଘାତୀ ମାନବ ବୋମା ସାହାଯ୍ୟରେ ଏହି ବିସ୍ଫୋରଣ ଘଟିଥିଲା। ଜଣେ ଅଜ୍ଞାତ ବ୍ୟକ୍ତି ପାଦରେ ଚାଲିଚାଲି ଆସି ଭୋଟର ପଞ୍ଜିକରଣ ଓ ପରିଚୟ ପତ୍ର ପ୍ରଦାନ କାର୍ଯାଳୟ ମଧ୍ୟରେ ପ୍ରବେଶ କରିବା ପରେ ନିଜ ଶରୀର ମଧ୍ୟରେ ଧାରଣ କରିଥିବା ବୋମା ସାହାଯ୍ୟରେ ବିସ୍ଫୋରଣ ଘଟାଇଥିଲା। ଏହି ଆତଙ୍କବାଦୀ ବିସ୍ପୋରଣରେ ୩୧ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୫୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୁତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଆଫ୍‌ଗାନିସ୍ତାନରେ ନିର୍ବାଚନକୁ ବିରୋଧ କରୁଥିବା ଦୃଷ୍ଟିରୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଏହି ଆତଙ୍କବାଦୀ ବିସ୍ଫୋରଣ ଘଟାଇ ପାରିଥାଏ ବୋଲି କହିଛନ୍ତି ଆଫ୍‌ଗାନିସ୍ତାନ୍‌ର ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପ୍ରବକ୍ତା ନଜିବ୍‌ ଡନେସ୍‌।

ସମ୍ବନ୍ଧିତ ଖବର