ନୂଆଦିଲ୍ଲୀ : ମୃତ୍ୟୁର ୯ ଦିନ ପୂର୍ବରୁ ସାଂସଦ ଶଶି ଥରୁରଙ୍କ ନିକଟକୁ ପତ୍ନୀ ସୁନନ୍ଦା ପୁଷ୍କର ପଠାଇଥିବା ଏକ ଇମେଲ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ‘ଆଉ ବଞ୍ଚିବାକୁ ଇଚ୍ଛା ନାହିଁ, ମୁଁ କେବଳ ମୃତ୍ୟୁ ପାଇଁ ହିଁ ପ୍ରାର୍ଥନା କରୁଛି’ ବୋଲି ଏହି ଇ-ମେଲରେ ଲେଖା ଯାଇଥିବା ବେଳେ ଦିଲ୍ଲୀ ପୁଲିସ ମଧ୍ୟ ଏହାକୁ ସତ ବୋଲି କହିଛି। ଏହି ଘଟଣା ପରେ ସୁନନ୍ଦାଙ୍କ ଆତ୍ମହତ୍ୟା ମାମଲାରେ ସାଂସଦ ଥରୁରଙ୍କ ହାତଥିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ, ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍ କୋର୍ଟରେ ଆଜି ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଶୁଣାଣି ହୋଇଛି। ତେବେ ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ଥରୁର୍ଙ୍କୁ ଉକ୍ତ ମାମଲାରେ ଅଭିଯୁକ୍ତ ଭାବେ ସମନ୍ କରିବା ଘଟଣାରେ ଦିଲ୍ଲୀ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୫ ତାରିଖରେ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି।
ଦିଲ୍ଲୀ ପୁଲିସ ଦାଖଲ କରିଥିବା ୩,୦୦୦ ପୃଷ୍ଠାର ଚାର୍ଜସିଟ୍ରେ ଥରୁର୍ଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି ଏବଂ ଥରୁର ହିଁ ତାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ ପର୍ଯ୍ୟାପ୍ତ ପ୍ରମାଣ ଥିବା ମଧ୍ୟ ଦିଲ୍ଲୀ ପୁଲିସ ଦାବି କରିଛି। ପୁଲିସ ମଧ୍ୟ ଆଜି କୋର୍ଟରେ ଜଣାଇଛି ବିଷକ୍ରିୟା ଯୋଗୁଁ ସୁନନ୍ଦାଙ୍କର ମୃତ୍ୟୁ ହୋଇଥିଲା। ସୁନନ୍ଦାଙ୍କ ରୁମ୍ରେ ୨୭ଟି ଆଲପ୍ରାକ୍ସ ଟାବଲେଟ୍ ଥିଲା କିନ୍ତୁ ସେ ଏଥିରୁ କେତୋଟି ଖାଇଥିଲେ ତାହା ଏଯାବତ୍ ଜଣାପଡ଼ିନି। ତେବେ ଏହି ମାମଲାରେ ଉକ୍ତ ଦମ୍ପତିଙ୍କ ଘରୋଇ ସହାୟକକୁ ମୁଖ୍ୟ ସାକ୍ଷୀ ଭାବେ ଦର୍ଶାଇଛି ଦିଲ୍ଲୀ ପୁଲିସ। ଉଲ୍ଳେଖଯୋଗ୍ୟ, ୨୦୧୪ ମସିହା ଜାନୁଆରି ୮ ତାରିଖ ଦିନ ସୁନନ୍ଦା ଏହି ମେସେଜ ପଠାଇଥିବା ବେଳେ ଏହାର ଠିକ୍ ୯ ଦିନ ପରେ ଅର୍ଥାତ୍ ୧୭ ତାରିଖ ଦିନ ଦିଲ୍ଲୀର ଲୀଳା ପ୍ୟାଲେସ୍ ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।