ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୁତ୍ୟୁ ରହସ୍ୟ ଉପରୁ ଆସନ୍ତା ସପ୍ତାହରେ ଉଠିବ ପର୍ଦ୍ଦା

ନୂଆଦିଲ୍ଲୀ: ଦେଶର ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୁତ୍ୟୁ ରହସ୍ୟ ଉପରୁ ଏବେ ପର୍ଦ୍ଦା ଉଠିବାକୁ ଯାଉଛି। ସୁନନ୍ଦାଙ୍କ ରହସ୍ୟଜନକ ମୁତ୍ୟୁ ପଛରେ ପ୍ରକୃତରେ କ’ଣ ରହସ୍ୟ ରହିଥିଲା, ସୁନନ୍ଦାଙ୍କୁ କେହି ହତ୍ୟା କରିଥିଲେ ନା ସେ ଆତ୍ମହତ୍ୟା କରିଥିଲେ, କେଉଁ ପରିସ୍ଥିତରେ ଓ କିପରି ସୁନନ୍ଦା ମୁତ୍ୟୁ ମୁଖରେ ପଡ଼ିଲେ, ଏସମସ୍ତ ପ୍ରଶ୍ନର ଉତ୍ତର ଆସନ୍ତା ଏକ ସପ୍ତାହ ମଧ୍ୟରେ ମିଳିଯିବ, ଦେଶବାସୀଙ୍କୁ।

କାରଣ, ସୁନନ୍ଦା ପୁଷ୍କର ମୁତ୍ୟୁ ରହସ୍ୟ ଉପରୁ ଏବେ ପର୍ଦ୍ଦା ଉଠିବା ଉଦ୍ଦେଶ୍ୟରେ ସୁପ୍ରିମ୍‌ କୋର୍ଟରେ ଆଗତ ଏକ ମାମଲାର ଶୁଣାଣି କାଳରେ ଆଜି ଦିଲ୍ଲୀ ପୁଲିସ୍‌ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଯେ ଆସନ୍ତା ସପ୍ତାହକ ମଧ୍ୟରେ ସୁନନ୍ଦା ପୁଷ୍କର ମୁତ୍ୟୁ ଘଟଣାର ଚୂଡ଼ାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିବେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ଶଶି ଥରୁର୍‌ଙ୍କର ଦ୍ୱିତୀୟ ପତ୍ନୀ ହେଉଛନ୍ତି ହେଉଛନ୍ତି ସୁନନ୍ଦା ପୁଷ୍କର। ଗତ ୨୦୧୪ ଜାନୁଆରି ୧୭ ତାରିଖରେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ ରୁମ୍‌ ମଧ୍ୟରେ ରହସ୍ୟମୟ ପରିସ୍ଥିତିରେ ସୁନନ୍ଦାଙ୍କର ମୁତ୍ୟୁ ଘଟିଥିଲା। ସୁନନ୍ଦା ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ୱାମୀ ଶଶି କହିଥିଲେ। ତେବେ, ଜନୈକା ପାକିସ୍ତାନୀ ସମ୍ବାଦିକାଙ୍କ ଶଶି ପ୍ରେମରେ ପଡ଼ିବା ପରେ ସୁନନ୍ଦାଙ୍କୁ ଯୋଜନାବଦ୍ଧ ଭାବେ ଶଶି ହତ୍ୟା କରିଛନ୍ତି ବୋଲି ମଧ୍ୟ ସେତେବେଳେ ଅନେକ ମହଲରୁ ଅଭିଯୋଗ ଉଠିଥିଲା। ସେହିଦିନ ଠାରୁ ଦିଲ୍ଲୀ ପୁଲିସ୍‌ ସୁନନ୍ଦାଙ୍କ ରହସ୍ୟଜନକ ମୁତ୍ୟୁ ରହସ୍ୟ ଖୋଜି ବାହାର କରିବା ପାଇଁ ନିଜର ତଦନ୍ତ ଚଳାଇଥିଲା। ତେବେ, ତଦନ୍ତରେ ବିଳମ୍ବ ଘଟୁଥିବାରୁ ଏହାକୁ ବିରୋଧ କରି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ସୁପ୍ରିମ୍‌ କୋର୍ଟରେ ଏକ ମାମଲା ଆଗତ କରିଥିଲେ। ଆଜି ମାମଲାର ଶୁଣାଣି କାଳରେ, ଆସନ୍ତା ସପ୍ତାହକ ମଧ୍ୟରେ ସୁନନ୍ଦା ପୁଷ୍କର ରହସ୍ୟଜନକ ମୁତ୍ୟୁ ଘଟଣାର ଚୂଡ଼ାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିବେ ଦିଲ୍ଲୀ ପୁଲିସ୍‌ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର