ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା :ଥରୁର୍‌ଙ୍କ ବିରୋଧରେ ଚାର୍ଜସିଟ୍‌

ଆତ୍ମହତ୍ୟା ପାଇଁ ଉସୁକାଇଥିଲେ : ଥରୁର୍‌ଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ

0 55

ନୂଆଦିଲ୍ଲୀ : ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‌ଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାର ୪ ବର୍ଷ ପରେ ଆଜି ଦିଲ୍ଲୀ ପୁଲିସ ପଟିଆଲା ହାଉସ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି । ପୁଲିସ ସୁନନ୍ଦାଙ୍କ ପତି ଥରୁର୍‌ଙ୍କୁ ଏହି ମାମଲାରେ ସନ୍ଦିଗ୍ଧ ଅଭିଯୁକ୍ତ ଭାବେ ଗ୍ରହଣ କରିଛି। ଚାର୍ଜସିଟ୍‌ରେ ଥରୁର୍‌ ଏକମାତ୍ର ଅଭିଯୁକ୍ତ ଭାବେ ରହିଛନ୍ତି। ପୁଲିସ କୋର୍ଟରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍‌ ଉପସ୍ଥାପନ କରିଥିବା ବେଳେ ଆଇପସିର ଧାରା ୩୦୬ ଏବଂ ୪୯୮(କ) ଅଧୀନରେ ଥରୁରଙ୍କ ବିରୋଧରେ ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇଛି।
ଶଶି ଥରୁରଙ୍କୁ ଏହି ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ କରି ଚାର୍ଜସିଟ୍‌ରେ କୁହାଯାଇଛି ଯେ ପାରିବାରିକ କଳହ ଯୋଗୁଁ ସୁନନ୍ଦା ଆତ୍ମହତ୍ୟା କରିଛନ୍ତି ଏବଂ ଆତ୍ମହତ୍ୟା ପାଇଁ ତାଙ୍କୁ ଥରୁର ଉସୁକାଇଛନ୍ତି। ଥରୁର୍‌ ପତ୍ନୀଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରିଥିବା ଏଥିରେ ଦର୍ଶାଯାଇଛି। ପଟିଆଲା ହାଉସ୍‌ କୋର୍ଟର ମେଟ୍ରୋପଲିିଟାନ୍‌ ମାଜିଷ୍ଟ୍ରେଟ୍‌ ଧର୍ମେନ୍ଦ୍ର ସିଂଙ୍କ ନିକଟରେ ଦିଲ୍ଲୀ ପୁଲିସ ଆଜି ଚାର୍ଜସିଟ୍‌ ଦାଖଲ କରିବା ପରେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ଏହି ଚାର୍ଜସିଟ୍‌ ରାଜନୀତି ଦ୍ୱାରା ପ୍ରେରିତ ଏବଂ ବିଜେପି ସରକାର ଆକ୍ରୋଶମୂଳକ ଭାବେ ଏଭଳି ପଦକ୍ଷେପ ନେଇଛି ବୋଲି କଂଗ୍ରେସ କହିଛି। ଥରୁର କହିଛନ୍ତି ଯେ ତାଙ୍କ ବିରୋଧରେ ପୁଲିସର ଏଭଳି ଅଭିଯୋଗ ବିସ୍ମୟକର । ଏହି ଚାର୍ଜସିଟ୍‌କୁ ସେ ବିଶ୍ୱାସ କରିପାରୁ ନାହାନ୍ତି ବୋଲି ଥରୁର୍‌ କହିଛନ୍ତି। ପୁଲିସ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ୩,୦୦୦ ପୃଷ୍ଠାର ଚାର୍ଜସିଟ୍‌ ସମ୍ପୂର୍ଣ୍ଣ ଅବାସ୍ତବ ଏବଂ ସେ ଏହା ବିରୋଧରେ ଲଢ଼େଇ କରିବେ ବୋଲି ଶଶି ଟ୍ଵିଟ୍‌ କରି କହିଛନ୍ତି। ସେ ଏହି ମାମଲାରେ ପୁଲିସର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି।
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଳୀ ପୁଲିସ ଶଶିଙ୍କୁ ଜଣେ ଅଭିଯୁକ୍ତ ଭାବେ ସମନ କରିବାପାଇଁ କୋର୍ଟଙ୍କୁ ଅନୁରୋଧ କରିଛି। ଆସନ୍ତା ମେ’ ୨୪ ତାରିଖରେ ପଟିଆଲା ହାଉସ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ ଜାନୁଆରି ୧୭, ୨୦୧୪ ମସିହାରେ ଦକ୍ଷିଣ ଦିଲ୍ଲୀ ସ୍ଥିତ ଲୀଲା ହୋଟେଲ୍‌ର ୩୪୫ ନମ୍ବର କକ୍ଷରୁ ସୁନନ୍ଦାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ମାମଲାରେ ୨୦୧୫ ମସିହା ଜାନୁଆରି ୧ ତାରିଖରେ ଆଇପିସିର ଧାରା ୩୦୨ (ହତ୍ୟା) ଅଧୀନରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଥିଲା। ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗତ ମାସରେ ଚୁଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିଥିଲେ ଏବଂ ଏହାର ନ୍ୟାୟିକ ଯାଞ୍ଚ ପରେ ଆଜି ଏହା ଦାଖଲ କରାଯାଇଛି। ଏହି ମାମଲାରେ ଦିଲ୍ଲୀ ପୁଲିସ ସଠିକ୍‌ ତଦନ୍ତ କରୁନାହିଁ ବୋଲି ବିଜେପି ନେତା ସୁବ୍ରମଣ୍ୟନ ସ୍ୱାମୀଙ୍କ ଦ୍ୱାରା ଏକ ଆବେଦନ ହେବାପରେ ହିଁ ସୁପ୍ରିମକୋର୍ଟ ଏହି ମାମଲାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.