ସେନା କ୍ୟାମ୍ପ ଆକ୍ରମଣ : ୩ ଜୈସ ଆତଙ୍କବାଦୀ ନିହତ, ପହଞ୍ଚିଲା ଏନଆଇଏ ଟିମ୍‌

ନୂଆଦିଲ୍ଲୀ: ଗତକାଲି ଜାମ୍ମୁର ସୁଞ୍ଜୁଆନ ସେନା କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ କରିବା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଛି । ସେନାର ପ୍ରାରମ୍ଭିକ ତଦନ୍ତରୁ ଏହା ଜୈସ-ଇ-ମହମ୍ମଦର କାଣ୍ଡ ଥିବା ଜଣାପଡ଼ିଥିଲେ ମଧ୍ୟ ଏହାର ସବିଶେଷ ତଦନ୍ତ ଭାର ଏନଆଇଏ କୁ ଦିଆଯାଇଛି । ଆତଙ୍କବାଦୀମାନେ ଯେତେ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ଆଣିଥିଲେ ସେଥିରୁ ଜଣାପଡୁଛି ଯେ ସେମାନେ ଅଧିକ ସମୟ ତିଷ୍ଠି ରହି ହତ୍ୟାକାଣ୍ଡ ଚଳାଇଥାନ୍ତେ । ଆହୁରି ମଧ୍ୟ କୌଣସି ସ୍ଥାନୀୟ ଲୋକଙ୍କ ସହଯୋଗ ବିନା ସେମାନେ କ୍ୟାମ୍ପର ଏତେ ଭିତରକୁ ଆସିବା ସମ୍ଭବ ହୋଇନଥାନ୍ତା ବୋଲି ସଂଦେହ କରାଯାଉଛି । ଏସବୁ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିବ ଏନଆଇଏ ।
ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ଦିନ ଧରି ମଧ୍ୟ ସେନାର ଅପରେସନ ଜାରି ରହିଛି । ସେନା ପକ୍ଷରୁ ଏବେ କ୍ୟାମ୍ପରେ ସର୍ଚ୍ଚ କରାଯାଉଛି । ପ୍ରତି କ୍ୱାଟରକୁ ବୁଲି ସେନା ପକ୍ଷରୁ ସର୍ଚ୍ଚ କରାଯାଉଛି । ଏହି ଆତଙ୍କବାଦୀ ଆକ୍ରମଣରେ ଏବେ ସୁଦ୍ଧା ସେନାର ୫ ଜଣ ଜଓ୍ଵାନ, ଜଣେ ସେନା ଅଧିକାରୀଙ୍କ ବୁଢା ବାପା ନିହତ ହୋଇଛନ୍ତି । ଅନ୍ୟପକ୍ଷରେ ସେନା ଗୁଳିରେ ଏପର୍ଯ୍ୟନ୍ତ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ସେନା ମୁଖପାତ୍ର କହିଛନ୍ତି । ସେମାନଙ୍କ ପାଖରୁ ଏକେ୫୬ ରାଇଫଲ, ଗ୍ରେନେଡ୍‌ ଲଞ୍ଚର, ଗୋଳାବାରୁଦ ଓ ଗ୍ରେନେଡ୍‌ ଜବତ ହୋଇଛି ।

ସମ୍ବନ୍ଧିତ ଖବର