ଜଳିଗଲା ବାୟୁସେନାର ଦୁଇ ‘ସୂର୍ଯ୍ୟ କିରଣ’ ବିମାନ

ପାଇଲଟ୍‌ ମୃତ / ୪ ବର୍ଷରେ ୪୧ ଜୀବନ ଗଲାଣି

ବେଙ୍ଗାଲୁରୁ, : ଏରୋ ଇଣ୍ଡିଆ ସୋ’ ପାଇଁ ଅଭ୍ୟାସ ଉଡ଼ାଣ କରୁଥିବା ବାୟୁସେନାର ‘ସୂର୍ଯ୍ୟ କିରଣ ଏରୋବାଟିକ୍‌ ଟିମ୍‌’ର ଦୁଇଟି ବିମାନ ପରସ୍ପର ସହ ଧକ୍କା ହୋଇ ଜଳିଯିବା ଫଳରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ‌ଘଟିଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଏରୋ ଇଣ୍ଡିଆ ଏୟାର ସୋ’ର ଦ୍ବାଦଶ ସଂସ୍କରଣ ପାଇଁ ଏହି ଦୁଇଟି ବିମାନ ଆଜି ବେଙ୍ଗାଲୁରୁ ଆକାଶରେ ଅଭ୍ୟାସ ଜାରି ରଖିଥିବାବେଳେ ହଠାତ୍ ଧକ୍କା ହୋଇ ତଳକୁ ଖସିପଡ଼ିଥିଲା ଏବଂ ତଳେ ପଡ଼ିବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ବିଭିନ୍ନ ଏରୋ ଇଣ୍ଡିଆ ସୋ’ରେ ସୂର୍ଯ୍ୟ କିରଣ ଏରୋବାଟିକ୍‌ ଟିମ୍‌ ଅଭୂତପୂର୍ବ ଉଡ଼ାଣ କୌଶଳ ପ୍ରଦର୍ଶନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି। ନିକଟରେ ଏହି ଟିମ୍‌କୁ ‘ହକ୍‌’ ବିମାନ ଚଳାଇବାର ସୁଯୋଗ ମିଳିଥିଲା। କିନ୍ତୁ ପୂର୍ବରୁ ସୂର୍ଯ୍ୟ କିରଣ ଟିମ୍‌କୁ ‘କିରଣ ପ୍ରଶିକ୍ଷଣ ବିମାନ’ ଉଡ଼ାଇବାକୁ ମିଳିଥିଲା। ବା‌ୟୁ ସେନା ଦ୍ବାରା ଏହି ବିମାନକୁ ସେବାରୁ ହଟାଇ ଦିଆଯିବା ପରେ ଏବେ ସୂର୍ଯ୍ୟ କିରଣ ଟିମ୍‌ ହକ୍‌ ବିମାନ ଉଡ଼ାଉଛି।
ବାୟୁସେନା ପକ୍ଷରୁ ଆଜି ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣା ପରେ ଆଜି ଅଭ୍ୟାସରେ ଯାଇଥିବା ସୂର୍ଯ୍ୟ କିରଣ ଟିମ୍‌ର ଅନ୍ୟ ୭ଟି ବିମାନ ହାଲ୍‌ ବିମାନବନ୍ଦରରେ ଅବତରଣ କରିଛି। ଉଲ୍ଲେଖଯୋଗ୍ୟ ବାୟୁସେନା ବିମାନ ଦୁର୍ଘଟଣାର ଶିକାର ହେବା ଘଟଣା ପ୍ରଥମ ନୁହେଁ। ଲଗାତାର ବାୟୁସେନାର ବିମାନଗୁଡ଼ିକ ଦୁର୍ଘଟଣାର ଶିକାର ହେଉଛି। ନିକଟରେ ଗତ ଜାନୁଆରିରେ ୟୁପିର କୁଶିନଗରରେ ବାୟୁସେନାର ଏକ ଲଢ଼ୁଆ ଯୁଦ୍ଧ ବିମାନ ଜଳି ଯାଇଥିଲା। ବାୟୁସେନା ବିମାନ ଦୁର୍ଘଟଣାରେ ଗତ ୪ ବର୍ଷ ମଧ୍ୟରେ ୪୧ ଜଣଙ୍କ ଜୀବନ ଗଲାଣି।

ସମ୍ବନ୍ଧିତ ଖବର