ବଢିଚାଲିଛି ପ୍ରକୃତିର କୋପ : କାଲି ଆମେରିକା ପରେ ଆଜି ଏସିଆର ଫିଲିପାଇନ୍ସରେ ସୁପର ଟାଇଫୁନ ମାଂଖୁଟର ତାଣ୍ଡବ, ବୋହୁଛି ଘଣ୍ଟା ପ୍ରତି ୩୨୫ କିମି ବେଗରେ ପବନ (ଭିଡିଓ ଦେଖନ୍ତୁ)

ନୂଆଦିଲ୍ଲୀ: ଯାହାଜଣାପଡୁଛି ପରିବେଶ ଉପରେ ମଣିଷର କାର୍ଯ୍ୟକଳାପ ଉପରେ ଅତିଷ୍ଠ ହୋଇପଡିଛି ପ୍ରକୃତି । ସେଥିପାଇଁ ପ୍ରତିଶୋଧ ନେବାକୁ ବାହାରିଛି । ଗତ କାଲି ଆମେରିକାରେ ଫ୍ଲୋରେନ୍ସ ହରିକେନ ଧ୍ୱଂସଲୀଳା ରଚାଇବା ପରେ ଆଜି ଏସିଆର ପାଳି । ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସ ଉପକୂଳରେ ସୁପର ଟାଇଫୁନ ମାଂଖୁଟ ଆଜି ଭୟଙ୍କର ଧ୍ୱଂସଲୀଳା ରଚାଇଛି ।

 

ଫ୍ଲୋରେନ୍ସ ଏକ କ୍ୟାଟେଗୋରୀ-୧ ହରିକେନ ହୋଇଥିବାବେଳେ ମାଂଖୁଟ ଏହାଠାରୁ ଆହୁରି ଅନେକ ଗୁଣ ଶକ୍ତିଶାଳୀ କ୍ୟାଟେଗୋରୀ-୫ ହରିକେନ । ଏହାକୁ ଏବର୍ଷର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ବୋଲି କୁହାଯାଉଛି । ଏହା ଗତ କାଲିରାତି ୧ଟା ୩୦ ମିନିଟରେ ( ମାନିଲା ସ୍ଥାନୀୟ ସମୟ ) ଉତ୍ତର ଫିଲିପାଇନ୍ସର ଲୁଜୁନଠାରେ ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହି ଝଡ଼ର ପ୍ରଭାବରେ ପବନ ଘଣ୍ଟାପ୍ରତି ୨୦୦ ମାଇଲ ( ୩୨୫ କିଲୋମିଟର) ପର୍ଯ୍ୟନ୍ତ ବଢିଯାଇଥିଲା ।

 

ତେବେ ସ୍ଥଳଭାଗ ଛୁଇଁବା ପରେ ଏହାର ଶକ୍ତି କମିଯାଇଥିଲା ଓ ପବନର ବେଗ ଘଣ୍ଟାପ୍ରତି ୨୭୦ କିଲୋମିଟରକୁ ହ୍ରାସ ପାଇଥିଲା । ଆଜି ଏହା ଧୀରେ ହଂକଂ ଓ ଦକ୍ଷିଣ ଚୀନ ସାଗର ଆଡକୁ ଗତି କରିଛି । ଏହା ଯୋଗୁଁ ଫିଲିପାଇନ୍ସରେ ପ୍ରବଳ କ୍ଷୟକ୍ଷତି ହୋଇଥିବେଳେ ଆଗୁଆ ସତର୍କତା ଯୋଗୁଁ ମୃତାହତ ସଂଖ୍ୟା କମ ରହିଛି । ଏପର୍ଯ୍ୟନ୍ତ ୨ ଜଣ ମୃତ୍ୟୁବରଣ କରିଥିବା ସରକାରୀ ଭାବେ ଜଣାପଡିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର