ଅପରାଧୀ ନେତାଙ୍କ ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରସଙ୍ଗ: ମାର୍ଚ୍ଚ ୧ ସୁଦ୍ଧା ଗଠନ ସାରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଭିଯୁକ୍ତ ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ରୁଜୁ ହୋଇଥିବା ଆପରାଧିକ ମାମଲାଗୁଡ଼ିକର ତ୍ୱରିତ ବିଚାର ପାଇଁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୧୨ଟି ସ୍ୱତନ୍ତ୍ର ଅଦାଲତ ଖୋଲିବାକୁ ପ୍ରସ୍ତାବ ରଖିଥିଲେ। ତେବେ ସେହିସବୁ ସ୍ୱତନ୍ତ୍ର ଅଦାଲତର ଗଠନ ଆସନ୍ତା ମାର୍ଚ୍ଚ ପହିଲା ସୁଦ୍ଧା ସାରିବାକୁ ଆଜି ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ କରିଛନ୍ତି। ମାନ୍ୟବର ସର୍ବୋଚ୍ଚ ଅଦାଲତ ସରକାରଙ୍କ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ସହ ୨୦୧୪ ମସିହାରେ ୧୫୮୧ ଜଣ ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ରୁଜୁ ହୋଇ ବିଭିନ୍ନ କୋର୍ଟରେ ପଡ଼ି ରହିଥିବା ପାଖାପାଖି ସାଢ଼େ ୧୩ ହଜାର ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ୧ ସୁଦ୍ଧା ଆରମ୍ଭ କରିବାକୁ କହିଛନ୍ତି। ସୁତରାଂ ସରକାରଙ୍କ ପ୍ରସ୍ତାବିତ ସେହି ୧୨ଟି ସ୍ୱତନ୍ତ୍ର ଅଦାଲତ ଏହି ଧାର୍ଯ୍ୟ ତାରିଖ ପୂର୍ବରୁ କାର୍ଯ୍ୟକ୍ଷମ କରାଇବାକୁ ଅଦାଲତ ନିର୍ଦ୍ଦେଶ କରିଛନ୍ତି।

ସୂଚନା ଥାଉ କି, ଅପରାଧୀ ପ୍ରମାଣିତ ରାଜନେତାମାନଙ୍କୁ ଜୀବନ ତମାମ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରିବା ଲାଗି ବିଜେପି ନେତା ତଥା ଦିଲ୍ଲୀର ଆଡ୍‌ଭୋକେଟ୍‌ ଅଶ୍ୱିନୀ କୁମାର ଉପାଧ୍ୟାୟ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଅଦାଲତ ଏହାର ଶୁଣାଣି କରି ରାଜନେତାଙ୍କ ବିରୋଧରେ ଆଗତ ମାମଲାର ଫଇସଲା ଦିଗରେ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ତେବେ ରାଜନେତାଙ୍କ ବିରୋଧରେ ପଡ଼ି ରହିଥିବା ମାମଲା ମଧ୍ୟରୁ ୨୦୧୪ରୁ ୨୦୧୭ ଭିତରେ କେତେଟିର ଫଇସଲା ହୋଇଛି, ଅଥବା ଆଉ କେତେ ଅନୁରୂପ ନୂଆ ମାମଲା ଯୋଡ଼ି ହୋଇଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ଜଣାଇଥିଲେ। ଅପରପକ୍ଷେ, ପ୍ରାଥମିକ ପର୍ଯ୍ୟାୟରେ ୭.୮ କୋଟି ବ୍ୟୟରେ ସରକାର ୧୨ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରି ସେହିସବୁ ମାମଲାର ବିଚାରଣା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର