ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା କ୍ଷମତା ନେଇ ସମ୍ବିଧାନରେ ସଂଶୋଧନ କରାଯାଉ: ସୁପ୍ରିମ୍‌କୋର୍ଟ

ସାଂସଦ/ବିଧାୟକଙ୍କୁ ଅଯୋଗ୍ୟ ଘେ‌ାଷଣା ନେଇ ଟ୍ରିବ୍ୟୁନାଲ୍‌ ଗଠନ ହେଉ, ୩ ମାସ ଭିତରେ ମାମଲାର ଫଇସଲା ହେବା ଆବଶ୍ୟକ

ନୂଆଦିଲ୍ଲୀ: ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କ୍ଷେତ୍ରରେ ବାଚସ୍ପତିଙ୍କ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମ୍‌ କୋର୍ଟ। ବାଚସ୍ପତି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ କି ନାହିଁ, ସେ ପ୍ରସଙ୍ଗରେ ସଂସଦ ପୁନର୍ବିଚାର କରୁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ବାଚସ୍ପତି ଏକ ନିର୍ଦ୍ଦିଷ୍ଟ ଦଳର ସଦସ୍ୟ ହୋଇଥିବାରୁ ତାଙ୍କ ଠାରୁ ଏହି କ୍ଷମତା ପ୍ରତ୍ୟାହାର ଲାଗି ସମ୍ବିଧାନରେ ସଂଶୋଧନ କରାଯିବା ଉଚିତ। ଏସଂପର୍କରେ ସଂସଦ ବିଚାର କରୁ ବୋଲି ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି। ବାଚସ୍ପତିଙ୍କ ଏଭଳି କ୍ଷମତାକୁ ନେଇ ଗତ ତିନି ମାସ ମଧ୍ୟରେ ସୁପ୍ରିମ କୋର୍ଟ ଦ୍ବିତୀୟ ଥର ଏଭଳି ପ୍ରଶ୍ନ ଉଠାଇଲେଣି। ଗତ ନଭେମ୍ବର ମାସରେ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ସଂପର୍କରେ ମାମଲାର ଶୁଣାଣି ବେଳେ ସୁପ୍ରିମ କୋର୍ଟ ଚିନ୍ତା ପ୍ରକଟ କରିଥିଲେ।

ରାଜନୀତିକୁ ଦୁର୍ନୀତି ଏବଂ ଅର୍ଥବଳରୁ ମୁକ୍ତ କରିବା ଲାଗି ୧୯୮୫ରେ ଦଳବଦଳ ନିରୋଧ ଆଇନ ଅସିଥିଲା। ଏହି ଆଇନରେ ଅଯୋଗ୍ୟ ଘୋଷିତ ହେଉଥିବା ସାଂସଦ ବା ବିଧାୟକ ଗୋଟିଏ ଦିନ ପାଇଁ ମଧ୍ୟ ଏହି ପଦରେ ରହିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। କିନ୍ତୁ ଏକ୍ଷେତ୍ରରେ ବାଚସ୍ପତିଙ୍କ ଭୂମିକା ନେଇ କୋର୍ଟ ପରୋକ୍ଷରେ‌ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଯୋଗ୍ୟ ଘୋଷଣା କ୍ଷମତା ସଂସଦ ବା ବିଧାନସଭା ବାହାରେ ଏକ ଟ୍ରିବୁନାଲକୁ ଦିଆଯାଉ। ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତିିଙ୍କୁ ଏହି ଟ୍ରିବୁନାଲର ମୁଖ୍ୟ କରାଯାଉ। ୩ ମାସ ମଧ୍ୟରେ ମାମଲାର ଫଇସଲା ପାଇଁ ସମୟସୀମା ମଧ୍ୟ ଧାର୍ଯ୍ୟ କରାଯାଉ ବୋଲି ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ମଣିପୁରରେ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜଣେ ବିଧାୟକ ତଥା ଜଙ୍ଗଲ ମନ୍ତ୍ରୀ ଶ୍ୟାମକୁମାରଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ମଣିପୁରର କଂଗ୍ରେସ ବିଧାୟକ ଫଜୁର୍‌ ରହିମ୍‌ ଏବଂ କେ. ମେଘଚନ୍ଦ୍ର କୋର୍ଟରେ ଆବେଦନ କରିଥିଲେ। ମଣିପୁର ବିଧାନସଭାର ବାଚସ୍ପତି ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ସେମାନେ ଆବେଦନରେ ଦର୍ଶାଇଥିଲେ। ଜଷ୍ଟିସ ଆର୍‌.ଏଫ୍‌. ନରିମନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆସନ୍ତା ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାଲାଗି ବାଚସ୍ପତିଙ୍କୁ ନିର୍ଦେଶ ଦେଇଛନ୍ତି। ଏଥି‌େର ବିଫଳ ହେଲେ ଆବେଦନକାରୀ ଅଦାଲତ ଆସିପାରିବେ ବୋଲି କହିଛନ୍ତି। ବିଜେପିର ଜଙ୍ଗଲ ମନ୍ତ୍ରୀ ପ୍ରଥମେ କଂଗ୍ରେସ ଦଳ ଟିକଟ୍‌ ପାଇ ନିର୍ବାଚନ ଜିତିଥିଲେ ଏବଂ ପରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବାଚସ୍ପତି ଯେହେତୁ ଏକ ନିର୍ଦ୍ଦିଷ୍ଟ ଦଳର ସଦସ୍ୟ, ତେଣୁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାରେ ସେ ଦଳୀୟ ଆଭିମୁଖ୍ୟକୁ ସମର୍ଥନ କରୁଛନ୍ତି। ଏଭଳି ପରିସ୍ଥିତି ବିଭିନ୍ନ ରାଜ୍ୟରେ ହେଉଥିବାରୁ ଏହାର ସମାଧାନ ପନ୍ଥା ଖୋଜି ବାହାର କରିବା ସଂସଦର ଦାୟିତ୍ବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର