ସୁପ୍ରିମକୋର୍ଟ ପ୍ରଶାସନିକ ପଦରେ ଓଡ଼ିଆଙ୍କୁ ନିଯୁକ୍ତି ସୁଯୋଗ!

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଶାସନିକ ପଦରେ ଓଡ଼ିଆ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟ ଖୁବ୍ ଶୀଘ୍ର ଏହାର ପ୍ରଶାସନିକ ବିଭାଗର ବିଭିନ୍ନ ପଦବିରେ ସର୍ବଭାରତୀୟ ସ୍ତରର ପ୍ରତିନିଧିତ୍ବ ଦେବା ପାଇଁ ପ୍ରୟାସ କରୁଥିବା ଜଣାପଡିଛି। ବର୍ତ୍ତମାନ ସୁପ୍ରିମକୋର୍ଟରେ ୨ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ଉତ୍ତର ଭାରତରୁ ଅଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିଜର ଛବିକୁ ସର୍ବଭାରତୀୟ କରିବା ଉଦ୍ଦେଶ୍ୟରେ ଦକ୍ଷିଣ-ଭାରତ ଓ ପୂର୍ବ-ଭାରତର ପ୍ରାର୍ଥୀମାନଙ୍କୁ ନିଯୁକ୍ତିରେ ସୁଯୋଗ ଦେ‌େବ ବୋଲି ଜଣାପଡ଼ିଛି। ଦକ୍ଷିଣ ଭାରତ ଓ ପୂର୍ବ ଭାରତର ପ୍ରାର୍ଥୀମାନଙ୍କର ଇଂରାଜୀ ଭାଷାରେ ଦକ୍ଷତା ରହିଥିବାରୁ ନିଯୁକ୍ତି ପ୍ରତିଯୋଗିତାରେ ସେମାନେ ସାମିଲ ହୋଇପାରିବେ। ମିଳିଥିବା ସୂଚନା ଅନୁସାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନେଇ ତାଙ୍କର ସହଯୋଗି ବିଚାରପତିମାନଙ୍କ ସହିତ ଆଲୋଚନା କରିବା ପରେ ସୁପ୍ରିମକୋର୍ଟର ସେକ୍ରେଟାରି ଜେନେରାଲଙ୍କୁ ରାଜ୍ୟର ହାଇକୋର୍ଟ ମାନଙ୍କ ସହିତ ସମନ୍ବୟ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିବାର ଜଣାପଡ଼ିଛି। ସୁପ୍ରିମକୋର୍ଟର ପଦପଦବି ଓ ନିଯୁକ୍ତି ସମ୍ପର୍କିତ ବିଜ୍ଞାପନ ସମ୍ବନ୍ଧିତ ରାଜ୍ୟର ହାଇକୋର୍ଟ ମନଙ୍କ ଦ୍ବାରା ୩-୪ଟି ଆଞ୍ଚଳିକ ଭାଷାରେ ଖବରକାଗଜରେ ପ୍ରକାଶ କରିବେ ଯାହାଦ୍ବାରା ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟର ପ୍ରଶାସନିକ ପଦପଦବିରେ ଓଡ଼ିଆ ମାନଙ୍କ ସଂଖ୍ୟା ନିମ୍ନସ୍ତରରେ ଥିବା ବେଳେ ଏଭଳି ଏକ ପ୍ରୟାସ ଯୋଗୁଁ ଓଡ଼ିଆ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର