ସଂରକ୍ଷଣ ଭିତ୍ତିରେ ପଦୋନ୍ନତି : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ : ସରକାରୀ ଚାକିରି ପଦୋନ୍ନତି କ୍ଷେତ୍ରରେ ମଧ୍ୟ ଏସ୍‌ଟି/ଏସ୍‌ଟି ବର୍ଗର କର୍ମଚାରୀଙ୍କୁ ଏଣିକି ସଂରକ୍ଷଣ ସୁବିଧା ମିଳିବ। ଏଥିପାଇଁ ସରକାରଙ୍କୁ ଆଜି ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥାକୁ ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ସମ୍ବିଧାନ ପୀଠରେ ବିଚାରାଧୀନ ଥିବାରୁ ପରବର୍ତ୍ତୀ ଆଦେଶ ଯାଏଁ ଆଇନ ଅନୁଯାୟୀ କେନ୍ଦ୍ର ସରକାର ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର କର୍ମଚାରୀଙ୍କୁ ଏହି ସଂରକ୍ଷଣ ସୁବିଧା ଦେଇପାରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ବିଭିନ୍ନ ହାଇକୋର୍ଟ ଗୁଡ଼ିକର ଭିନ୍ନ ଭିନ୍ନ ରାୟ ଏବଂ ୨୦୧୫ରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେବା ପରେ ଏହି ଆଇନକୁ ନେଇ ବିବାଦ ଉପୁଜିଥିଲା। ସୁପ୍ରିମକୋର୍ଟଙ୍କ ଆଜିର ରାୟକୁ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶଓ୍ଵାନ ସ୍ୱାଗତ କରିଛନ୍ତି। ଏହାଦ୍ୱାରା ଅନୁସୂଚିତ ଜାତି/ଜନଜାତି ବର୍ଗର କର୍ମଚାରୀଙ୍କ ପଦୋନ୍ନତି ପାଇଁ ବାଟ ଫିଟିଗଲା ବୋଲି କହିଛନ୍ତି।
ଉଲ୍ଳେଖଯୋଗ୍ୟ, ସରକାରୀ ଚାକିରିରେ ପଦୋନ୍ନତି ନେଇ କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ୧୯୯୭ ମସିହାରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଗତବର୍ଷ ଅଗଷ୍ଟ ୨୩ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶନାମା ଉପରେ ରୋକ୍‌ ଲଗାଇଥିଲେ।

ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ ମନିନ୍ଦର ସିଂହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ୨୦୦୬ ମସିହା ଏମ.ନାଗରାଜ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାଏମ ରଖାଯାଉ। ତାଙ୍କର ଯୁକ୍ତିକୁ ଗ୍ରହଣ କରି ଆଇନ ଅନୁଯାୟୀ ସରକାରୀ ଚାକିରିରେ ପଦୋନ୍ନତିକୁ କାର୍ଯ୍ୟକାରୀ କରିବା ଲାଗି ଖଣ୍ଡପୀଠ ଆଦେଶ ଦେଇଥିଲେ। ତେବେ କେଉଁ ଆଇନ ଅନୁଯାୟୀ ଏହି ସଂରକ୍ଷଣ ଭିତ୍ତିକ ପଦୋନ୍ନତି ହେବ ତାହା ସ୍ପଷ୍ଟ କରାଯାଇ ନାହିଁ।

୧୯୯୨ ମସିହାର ଇନ୍ଦ୍ରା ସାହାନି ବନାମ କେନ୍ଦ୍ର ସରକାର (ମଣ୍ଡଳ କମିିସନ ନାମରେ ଜଣାଶୁଣା ରାୟ) ଏବଂ ୨୦୦୫ର ଇ ଭି ଚିନ୍ନାୟା ବନାମ ଆନ୍ଧ୍ର ପ୍ରଦେଶ ସରକାର ମାମଲାରେ କ୍ରିମି ଲେୟର (ସ୍ୱଚ୍ଛଳ ବର୍ଗ)ଙ୍କ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ଉପରେ କଟକଣା ଲାଗୁ କରାଯାଇଥିଲା। କିନ୍ତୁ ୨୦୦୬ ମସିହାର ଏମ. ନାଗରାଜ ମାମଲାରେ ସରକାରୀ ଚାକିରିରେ ଏସ୍‌ସି/ଏସ୍‌ଟିଙ୍କ ପଦୋନ୍ନତି ପାଇଁ ସ୍ୱଚ୍ଛଳ ବର୍ଗ ବା କ୍ରିମି ଲେୟାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ପୁଣି ଦୋହରାଇଥିଲେ।

ସମ୍ବନ୍ଧିତ ଖବର