ରାଜନୈତିକ ଦଳମାନଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ: ଦାଗୀଙ୍କୁ ଟିକଟ କାହିଁକି ଜଣାଅ

ନୂଆଦିଲ୍ଲୀ: ରାଜନୀତିରେ ଅପରାଧ ପୃଷ୍ଠଭୂମିର ଲୋକଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଆଜି ସୁପ୍ରିମ୍‌ କୋର୍ଟ ଏ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଅଦାଲତ ଆଜି ଏ ବାବଦରେ ରାଜନୈତିକ ଦଳମାନଙ୍କ ପାଇଁ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ କେଉଁ କାରଣ ପାଇଁ ଅପରାଧୀଙ୍କୁ ଟିକଟ ଦିଆଯାଇଛି ସେ ସଂପର୍କରେ ୱେବ୍‌ସାଇଟ୍‌ରେ ଦର୍ଶାଇବାକୁ ପଡ଼ିବ। ସମସ୍ତ ପ୍ରାର୍ଥୀଙ୍କ ସଂପର୍କରେ ତଥ୍ୟ ସାର୍ବଜନୀନ କରିବାକୁ ହେବ ଏବଂ ପ୍ରାର୍ଥୀଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଏବଂ ବିଚାର ପ୍ରକ୍ରିୟାର ସ୍ଥିତି ସଂପର୍କରେ ମଧ୍ୟ ଉଲ୍ଲେଖ କରିବାକୁ ହେବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ରାଜନୀତିରେ ଅପରାଧୀକରଣକୁ ରୋକିବା ଦିଗରେ ଆଜି ଏକ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍‌ ଆର ଏଫ୍‌ ନରିମାନ ଏବଂ ଏସ୍‌ ରବିନ୍ଦ୍ର ଭଟ୍ଟ କହିଛନ୍ତି ଯେ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବାର ୭୨ ଘଣ୍ଟା ଭିତରେ ନିର୍ବାଚନ କମିସନଙ୍କୁ ଉକ୍ତ ପ୍ରାର୍ଥୀଙ୍କ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ ସହ ଦାଗୀ ନେତାଙ୍କୁ ଟିକଟ ଦେବାର କାରଣ ୱେବ୍‌ସାଇଟ୍‌ରେ ଦର୍ଶାଇବାକୁ ହେବ। ଏ ବାବଦ ବିବରଣୀ ସ୍ଥାନୀୟ ଖବକାଗଜରେ ମଧ୍ୟ ପ୍ରକାଶ କରିବାକୁ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ଆବେଦନକାରୀ ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ କହିଛନ୍ତି ଯେ ଯଦି କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ଏହି ନିର୍ଦ୍ଦେଶକୁ ପାଳନ କରିବେ ନାହିଁ କିମ୍ବା ଅବହେଳା କରିବେ ତା’ହେଲେ ଏହାକୁ ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ। ଯଦି କୌଣସି ନେତା ତଥା ପ୍ରାର୍ଥୀଙ୍କ ବିରୋଧରେ କୌଣସି ମାମଲା ନଥିବ ଏବଂ କୌଣସି ଏଫ୍‌ଆଇଆର୍‌ ରୁଜୁ ହୋଇନଥିବ ସେହି ନେତାଙ୍କ ସଂପର୍କରେ ମଧ୍ୟ ଜଣାଇବାକୁ ପଡ଼ିବ। ଯଦି କୌଣସି ନେତା ଖବରକାଗଜ , ୱେବ୍‌ସାଇଟ୍‌ ଆଦିରେ ଏହି ସୂଚନା ଦେବାକୁ ଚାହିବେ ନାହିଁ ତା’ହେଲେ ତାଙ୍କ ବିରୋଧରେ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ଏବଂ ଏ ବାବଦରେ ସୁପ୍ରିମ୍‌ କୋର୍ଟଙ୍କୁ ମଧ୍ୟ ଅବଗତ କରାଇପାରିବେ।

ସମ୍ବନ୍ଧିତ ଖବର