ରାଫେଲ ତଥ୍ୟ ମାଗିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଫ୍ରାନ୍‌ସ ସରକାରଙ୍କ ସହ ହୋଇଥିବା ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନିଷ୍ପତ୍ତି ସଂକ୍ରାନ୍ତ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ଆଜି କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୨୯ ସୁଦ୍ଧା ଏହି ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି। ତେବେ ରାଫେଲର ମୂଲ୍ୟ ଏବଂ ବୈଷୟିକ ବୈଶିଷ୍ଟ୍ୟ ନେଇ କୌଣସି ସୂଚନା ସରକାରଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ତତ୍ତ୍ବାବଧାନରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏ ବାବଦରେ ଦୁର୍ନୀତି ଅଭିଯୋଗ ଆଣି କୋର୍ଟରେ ୨ ଜଣ ଆଇନଜୀବୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଆମେ ସରକାରଙ୍କୁ ନୋଟିସ୍‌ କରିନାହୁଁ। କେବେଳ ରାଫେଲ ଚୁକ୍ତି କେଉଁ ସ୍ଥିତିରେ ଏବଂ କିଭଳି ହୋଇଥିଲା ସେ ସଂକ୍ରାନ୍ତ ତଥ୍ୟ ସରକାରଙ୍କୁ ମଗାଯାଇଛି ବୋଲି ଖଣ୍ଡପୀଠ କହିଛନ୍ତି। ଏହି ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ୍‌ ଏସ୍‌କେ କାଉଲ୍‌ ଏବଂ କେ ଏମ୍‌ ଯୋଶେଫ୍‌।

୨୯ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ
୩୧ରେ ପରବର୍ତ୍ତୀ ଶୁଣାଣି
ପିଆଇଏଲ୍‌ ଖାରଜ ଦାବିକୁ ଅଗ୍ରାହ୍ୟ

ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି କୋର୍ଟରେ ପକ୍ଷ ରଖି ଏଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ କହିଥିଲେ, ରାଫେଲ ଚୁକ୍ତି ସଂକ୍ରାନ୍ତ ସବିଶେଷ ତଥ୍ୟ କାହାକୁ ପ୍ରଦାନ କରାଯାଇପାରିବ ନାହିଁ। ଜାତୀୟ ସ୍ବାର୍ଥ ସହିତ ଏହି ଯୁଦ୍ଧ ବିମାନ ଚୁକ୍ତି ସଂପୃକ୍ତ ଥିବାରୁ ସରକାର ଏ ଦିଗରେ ସର୍ବାଧିକ ସତର୍କତାର ସହ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ କୋର୍ଟ କହିଛନ୍ତି ଯେ ଚୁକ୍ତି ନିଷ୍ପତ୍ତି ବାବଦ ପ୍ରକ୍ରିୟା ସଂପର୍କରେ ସରକାରଙ୍କୁ ସୁପ୍ରିମ୍‌ କୋର୍ଟରେ ଅକ୍ଟୋବର ୨୯ ସୁଦ୍ଧା ତଥ୍ୟ ଦାଖଲ କରିବାକୁ ହେବ ଏବଂ ଜନସ୍ବାର୍ଥ ମାମଲା ନେଇ ଅକ୍ଟୋବର ୩୧ରେ କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ। କେନ୍ଦ୍ର ସରକାର ରାଫେଲ ଚୁକ୍ତି ନେଇ ହୋଇଥିବା ସମସ୍ତ ଜନସ୍ବାର୍ଥ ମାମଲାକୁ ଖାରଜ କରିବାକୁ କୋର୍ଟରେ ନିବେଦନ କରିଥିଲେ। ତେବେ କୋର୍ଟ ସରକାରଙ୍କ ଯୁକ୍ତିକୁ ଗ୍ରହଣ ନକରି ଏନ୍‌ଡିଏ ଏବଂ ୟୁପିଏ ସରକାର ଅମଳରେ ହୋଇଥିବା ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପ୍ରକ୍ରିୟା ବାବଦ ତଥ୍ୟ ବନ୍ଦ ଲଫାଫାରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ରାଫେଲ ଚୁକ୍ତି ସ୍ବାକ୍ଷର ପୂର୍ବରୁ ଏହାକୁ କ୍ୟାବିନେଟ୍‌ରେ କାହିଁକି ପ୍ରଥମେ ମଂଜୁରି ଦିଆଯାଇନଥିଲା ବୋଲି ଦର୍ଶାଇ ଏଭଳି ଚୁକ୍ତିକୁ ବାତିଲ କରିବା ପାଇଁ ଜନସ୍ବାର୍ଥ ମାମଲା ଦାଏର କରିଥିବା କଂଗ୍ରେସ ନେତା ତହସିନ ପୁନାୱାଲା ଆଜି ତାଙ୍କ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି। ସୂଚନାଯୋଗ୍ୟ ଭାରତୀୟ ବାୟୁସେନା ୧୨୬ଟି ଯୁଦ୍ଧ ବିମାନ ଆବଶ୍ୟକ କରୁଥିବା ବେଳେ ଅତ୍ୟାଧୁନିକ ଲଢ଼ୁଆ ବିମାନର ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ସରକାର ଫ୍ରାନ୍ସରୁ ୩୬ଟି ରାଫେଲ କିଣିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିମାନକୁ ଫ୍ରାନ୍ସର ଡାସ୍‌୍‌ଲଟ ଆଭିଏସନ୍‌ କମ୍ପାନି ନିର୍ମାଣ କରୁଛି।

ସମ୍ବନ୍ଧିତ ଖବର