ପ୍ରତ୍ୟେକ ମାମଲାରେ ପ୍ରାରମ୍ଭିକ ଯାଞ୍ଚ ଜରୁରୀ ନୁହେଁ

ଏସ୍‌୍‌ସିଏସ୍‌ଟି ଆଇନ: ସ୍ଥିତି ସ୍ପଷ୍ଟ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିରାକରଣ ଆଇନ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟ ମାର୍ଚ ୨୦ ତାରିଖରେ ଦେଇଥିବା ରାୟକୁ ନେଇ  ଆଜି ସ୍ଥିତି ସ୍ପଷ୍ଟ କରିଛନ୍ତି।  ଏ ବାବଦରେ ରହିଥିବା ବିଭ୍ରାନ୍ତିକୁ ଦୂର କରି କୋର୍ଟ କହିଛନ୍ତି ଯେ ଏସ୍‌୍‌ସିଏସ୍‌୍‌ଟି ନିର୍ଯାତନା ନିରାକରଣ ଆଇନରେ ପ୍ରତ୍ୟେକ ଅଭିଯୋଗ ଉପରେ ପ୍ରାଥମିକ ତଦନ୍ତ ଜରୁରୀ ହେବନାହିଁ। ପୂର୍ବରୁ ଏହି ଆଇନ ଯେଭଳି କାର୍ଯ୍ୟ କରୁଥିଲା ତାହା ଯଥାରୀତି ରହିବ । ତେବେ ଯେଉଁ ମାମଲାକୁ ପୁଲିସ ଅଧିକାରୀମାନେ ମୂଳରୁ ଦୁର୍ବଳ ଏବଂ ମିଥ୍ୟା ବୋଲି ଅନୁଭବ କରିବେ କେବଳ ସେ କ୍ଷେତ୍ରରେ ତଦନ୍ତ ହେବବୋଲି ବିଚାରପତି ଏ.କେ. ଗୋଏଲ ଏବଂ ୟୁ.ୟୁ ଲଲିତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

ଆଜି ଶୁଣାଣିରେ କେନ୍ଦ୍ର ସରକାର ନିଜ ପକ୍ଷ ରଖି କହିଛନ୍ତି ଯେ ସୁପ୍ରିମ୍‌ କୋର୍ଟ ଏସ୍‌୍‌ସିଏସ୍‌୍‌ଟି ଆଇନ ବାବଦରେ ପୂର୍ବରୁ ଜାରି କରିଥିବା ଗାଇଡ୍‌୍‌ଲାଇନ୍‌ ନ୍ୟାୟପାଳିକାର ମାତ୍ରାଧିକ ସକ୍ରିୟତାକୁ ଦର୍ଶାଉଛି। ଆଇନ ତିଆରି କରିବା କାମ  ସଂସଦ ଉପରେ ନ୍ୟସ୍ତ ଥିବା ବେଳେ ଏହି ଆଇନରେ ପରିବର୍ତ୍ତନ ସଂକ୍ରାନ୍ତ କୋର୍ଟ ରାୟ ବିଭ୍ରାନ୍ତି ସୃଷ୍ଟି କରିଛି ବୋଲି ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି।  କୋର୍ଟ ରାୟ ଏ ଦିଗରେ ଅଯଥା ହସ୍ତକ୍ଷେପ ହୋଇଥିବାରୁ ମାମଲାକୁ ସାମ୍ବିଧାନିକ ପୀଠକୁ ପଠାଇବାକୁ ସେ ଦାବି କରିଛନ୍ତି। ସୁପ୍ରିମ୍‌ କୋର୍ଟ ଏ ଦିଗରେ କିଛି ଆବଶ୍ୟକତା ପୂରଣ କରିପାରିବେ, କିନ୍ତୁ ଦେଶବ୍ୟାପୀ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ ଜାରି କରିବା ଯୋଗୁଁ ଏହାକୁ ନେଇ  ଅନର୍ଥ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଏ ବାବଦ ପୂର୍ବ ରାୟ ଉପରେ ରହିତାଦେଶ ଲଗାଇବାକୁ ଦାବି କରିଥିବା ବେଳେ ପୂର୍ବରୁ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୧୬ ତାରିଖ  ଦିନ ହେବ।  ଉଲ୍ଲେଖଯୋଗ୍ୟ ସୁଭାଷ କାଶୀନାଥ ମହାଜନ ମାମଲାରେ ସୁପ୍ରିମ୍‌ କୋର୍ଟ ୨୦ ମାର୍ଚ୍ଚରେ ଏସ୍‌ସିଏସ୍‌୍‌ଟି  ଆଇନ ବଳରେ ତତ୍କାଳ ଗିରଫଦାରୀ ଉପରେ ରୋକ ଲଗାଇଥିଲେ।  ଏହା ବ୍ୟତୀତ ଏଭଳି ମାମଲରେ ଆଗୁଆ ଜାମିନ ବ୍ୟବସ୍ଥାକୁ ମଧ୍ୟ କୋର୍ଟ ମଂଜୁରି ଦେଇଥିଲେ। ଏସ୍‌୍‌ସିଏସ୍‌୍‌ଟି ଆଇନରେ ରୁଜୁ ହେଉଥିବା ମାମଲାଗୁଡ଼ିକରେ ତତ୍କାଳ ଗିରଫଦାରୀ ନକରି ୭ ଦିନ ଭିତରେ ଯାଞ୍ଚ ପରେ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ କହିଥିଲେ। ତେବେ ଏହାକୁ ଦେଶବ୍ୟାପୀ ଏସ୍‌ସିଏସ୍‌୍‌ଟି ସଂଗଠନଗୁଡ଼ିକ  ବିରୋଧ କରି ଆନ୍ଦୋଳନ କରିଥିଲେ  ଏବଂ ଭାରତ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା।

ସମ୍ବନ୍ଧିତ ଖବର