ଗାନ୍ଧି ପରିବାରକୁ ଧକ୍କା : ୨୦୧୧-୧୨ ବର୍ଷ ପାଇଁ ପୁଣି ଯାଞ୍ଚ ହେବ ଆୟକର, ସୁପ୍ରିମ କୋର୍ଟଙ୍କ ମଂଜୁରୀ

ନୂଆଦିଲ୍ଲୀ : ନାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ଓସ୍କାର ଫର୍ଣ୍ଣାଡେସଙ୍କୁ ଧକ୍କା ଲାଗିଛି । ୨୦୧୧-୧୨ ଆର୍ଥିକ ବର୍ଷ ପାଇଁ ସେମାନଙ୍କ ଆୟକରର ପୁନଃ ଆକଳନ ବା ରି-ଆସେସମେଣ୍ଟ କରିବାକୁ ସୁପ୍ରିମକୋର୍ଟ ଆଜି ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାର ଚୂଡାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ଏହି ରି-ଆସେସମେଣ୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଗତ ମାର୍ଚ୍ଚ ମାସରେ ଆୟକର ବିଭାଗ ଏହି ମାମଲାରେ ସୋନିଆ, ରାହୁଲ ଓ ଓସ୍କାରଙ୍କୁ ନୋଟିସ ଜାରି କରିଥିଲା । ୨୦୧୧-୧୨ରେ ୟଙ୍ଗ ଇଣ୍ଡିଆରୁ ହୋଇଥିବା ଆୟକୁ ଲୁଚାଇ ସେମାନେ ଆୟକର ଦାଖଲ କରିଥିବା ଆୟକର ବିଭାଗ ଜାଣିବାକୁ ପାଇଥିଲା । ଏହି ବର୍ଷ ଗାନ୍ଧି ପରିବାର ୟଙ୍ଗ ଇଣ୍ଡିଆର ସେୟାର ବାବଦରୁ ପ୍ରାୟ ୧୨୮ କୋଟି ଟଙ୍କା ଆୟ କରିଥିବା ଆୟକର ବିଭାଗ ସଂଦେହ କରୁଛି । ପୂର୍ବରୁ ଏହି ଆୟ ୬୮ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା । ଏହା ବିରୋଧରେ ଗାନ୍ଧି ପରିବାର ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଥିଲା ।

ଗତ ସେପ୍ଟେମ୍ବର ମାସରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆୟକର ବିଭାଗକୁ ପୁଣି ଥରେ ଆୟକର ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଗାନ୍ଧି ପରିବାର ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଜାନୁୟାରୀ ୮ ତାରିଖରେ ହେବ ।

ସମ୍ବନ୍ଧିତ ଖବର