ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ରାୟ: ପଦୋନ୍ନତିରେ ଏସ୍‌ ସି/ଏସ୍‌ ଟିଙ୍କୁ ସଂରକ୍ଷଣ ମିଳିବ

ନାଗରାଜ ରାୟ ବଡ଼ ବେଞ୍ଚ୍‌କୁ ଯିବ ନାହିଁ

ନୂଆଦିଲ୍ଲୀ: ସରକାରୀ ଚାକିରିରେ ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି/ଜନଜାତିଙ୍କୁ ସଂରକ୍ଷଣ ପ୍ରଦାନ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ଆଜି ଏକ ଐତିହାସିକ ରାୟ ଦେଇଛନ୍ତି। ସରକାରୀ ଚାକିରିରେ ପଦୋନ୍ନତି କ୍ଷେତ୍ରରେ ଏସ୍‌୍‌ସି/ଏସ୍‌୍‌ଟିଙ୍କୁ ସଂରକ୍ଷଣ ଉପଲବ୍ଧ ହେବ ବୋଲି କୋର୍ଟ କହିଛନ୍ତି। ଏହି ମାମଲାରେ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‌ କୁରିଏନ୍‌ ଯୋଶେଫ, ଜଷ୍ଟିସ ଆର୍‌. ନରିମନ, ଜଷ୍ଟିସ ସଂଜୟ କିଶନ କୌଲ ଏବଂ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ କହିଛନ୍ତି ଯେ ୧୨ ବର୍ଷ ତଳେ ଏହି ମାମଲାରେ ଆସିଥିବା ନାଗରାଜ ରାୟକୁ ୭ ଜଣିଆ ବେଞ୍ଚକୁ ପଠାଯିବା ଆବଶ୍ୟକ ନାହିଁ। ଏ ବାବଦରେ ସୁପ୍ରିମ୍ କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି ଏବଂ ସରକାରୀ ଚାକିରିରେ ଏସ୍‌୍‌ସି/ଏସ୍‌୍‌ଟିଙ୍କୁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ସେମାନେ ଦେଇପାରିବେ ବୋଲି କୋର୍ଟ କହିଛନ୍ତି।
ସଂରକ୍ଷଣ ପାଇବାକୁ ଥିବା ବର୍ଗଙ୍କ ପଛୁଆପଣ ଆକଳନ ପାଇଁ ଯେଉଁ ତଥ୍ୟ ଦେବାକୁ ପୂର୍ବରୁ ଗୁରୁତ୍ବାରୋପ କରାଯାଉଥିଲା ତାହ ମଧ୍ୟ ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି। ସଂପୃକ୍ତ ବର୍ଗଙ୍କ ପର୍ଯ୍ୟାପ୍ତ ପ୍ରତିନିଧିତ୍ବ ଏବଂ ପ୍ରଶାସନିକ କ୍ଷମତା ଆକଳନ କାମ ସରକାରଙ୍କ ଉପରେ ଛାଡ଼ିଦେବା ଆବଶ୍ୟକ ବୋଲି ଆଜି ଖଣ୍ଡପୀଠ ରାୟରେ କହିଛନ୍ତି। ତେବେ କୌଣସି କ୍ୟାଡରରେ ଏସ୍‌୍‌ସି/ଏସ୍‌୍‌ଟିଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ପାଇଁ ବିହିତ ତଥ୍ୟ ଦାଖଲ ଜରୁରୀ ବୋଲି କୁହାଯାଇଛି। କୋର୍ଟ କହିଛନ୍ତି ଯେ ସରକାରଙ୍କୁ ଏହା ଦେଖାଇବାକୁ ପଡ଼ିବ ଯେ କେଉଁ ସଂପ୍ରଦାୟଙ୍କୁ କେଉଁ ଚାକିରିରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ବ ମିଳିନାହିଁ। ଏସ୍‌୍‌ସି/ଏସ୍‌୍‌ଟିଙ୍କ କ୍ଷେତ୍ରରେ ମଧ୍ୟ କ୍ରିମି ଲେୟର ନିୟମ ଲାଗୁ କରାଯାଇପାରିବ ଏବଂ ଏହା ଦ୍ବାରା ଯେଉଁମାନେ ସଂରକ୍ଷଣର ଫାଇଦା ଉଠାଇ ପଛୁଆ ସ୍ଥିତିରୁ ବାହାରି ଆସିଛନ୍ତି ସେମାନେ ପୁଣି ଏହି ଦୌଡ଼ରେ ସାମିଲ ହୋଇପାରିବେ ନାହିଁ। ତେବେ ଏସ୍‌୍‌ସି/ଏସ୍‌୍‌ଟିଙ୍କୁ କ୍ରିମି ଲେୟରରେ ସାମିଲ କରାଯିବ କି ହଟାଯିବ ତାହା ସଂସଦର କାମ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଯେଉଁଠି ସରକାରୀ ଚାକିରିରେ ପଦୋନ୍ନତିରେ ସଂରକ୍ଷଣ ଦେବାକୁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ସେଠାରେ ଆବେଦନାକରୀ ଏହାକୁ ବିରୋଧ କରିଥିଲେ। କେନ୍ଦ୍ର ସରକାର କହିଥିଲେ ଯେ ସମ୍ବିଧାନରେ ଏସ୍‌ସି/ଏସ୍‌୍ଟିଙ୍କୁ ସର୍ବଦା ପଛୁଆ ଭାବେ ହିଁ ଗ୍ରହଣ କରାଯାଇଛି। ୨୦୦୬ରେ ନାଗରାଜ ବନାମ ଭାରତ ସରକାର ମାମଲାରେ ୫ ଜଣିଆ ଖଣ୍ଡପୀଠ ତାଙ୍କ ରାୟରେ କହିଥିଲେ ଯେ ରାଜ୍ୟମାନେ ସରକାରୀ ଚାକିରିରେ ଅନୁସୂଚିତ ଜାତି/ଜନଜାତିଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ପାଇଁ ବାଧ୍ୟ ନୁହନ୍ତି।

ସମ୍ବନ୍ଧିତ ଖବର