ଅଙ୍କୁଶ ଲଗାଇଲେ ସୁପ୍ରିମ୍‌କୋର୍ଟ:ବିଜ୍ଞାପନରେ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ପ୍ରକାଶ ପାଇବ

ସତ୍ୟପାଠରେ ମୋଟା ଅକ୍ଷରରେ ମଧ୍ୟ ଦର୍ଶାଯିବ

ଦଳ ନିଜ େଓ୍ଵବ୍‌ସାଇଟ୍‌ରେ ପ୍ରାର୍ଥୀଙ୍କ ରେକର୍ଡ ସାର୍ବଜନୀନ କରିବେ
ନିର୍ବାଚନ ପୂର୍ବରୁ ୩ ଥର ବିଜ୍ଞାପନ ବାହାରିବ
ନୂଆଦିଲ୍ଲୀ,: ଦାଗୀ ନେତାମାନଙ୍କ ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ଆଜି ସୁପ୍ରିମ୍‌କୋର୍ଟ ସଂସଦ ଉପରେ ଛାଡ଼ିଦେବା ପରେ ଏ ବାବଦରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମଙ୍ଗଳବାର ନିଜ ରାୟରେ କହିଛନ୍ତି। ଅନ୍ୟପକ୍ଷରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଦାଗୀ ନେତାମାନଙ୍କ ଉଦ୍ଦେଶ୍ୟରେ ଆଜି ମାର୍ଗଦର୍ଶିକା ଜାରି କରିଛନ୍ତି। ବିଶେଷକରି ଦାଗୀ ନେତାମାନଙ୍କ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।
ମାର୍ଗଦର୍ଶିକାରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରାଯିବା ପରେ ସଂପୃକ୍ତ ରାଜନୈତିକ ଦଳ ନିଜ ପ୍ରାର୍ଥୀଙ୍କ ଅପରାଧ ରେକର୍ଡକୁ ସାର୍ବଜନୀନ କରିବେ। ଲୋକଙ୍କୁ ଏ ନେଇ ଭଲ ଭାବେ ଅବଗତ କରିବା ସକାଶେ ଛାପା କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ଅତିକମ୍‌ରେ ୩ ଥର ଦାଗୀ ନେତାଙ୍କ ରେକର୍ଡ ସଂକ୍ରାନ୍ତ ବିଜ୍ଞାପନ ପ୍ରକାଶ କରିବେ।
ଖାଲି ସେତିକି ନୁହେଁ, ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମସ୍ତ ଆପରାଧିକ ରେକର୍ଡ ସଂପୃକ୍ତ ଦଳର େଓ୍ଵବ୍‌ସାଇଟ୍‌ରେ ମଧ୍ୟ ପ୍ରକାଶ ପାଇବ। ପ୍ରତ୍ୟେକ ଦଳ ଏହା କରିବାକୁ ବାଧ୍ୟ ହେବେ। ଏହାଦ୍ୱାରା ଲୋକମାନେ ନେତାମାନଙ୍କ ସଂପର୍କରେ ବ୍ୟାପକ ସୂଚନା ହାସଲ କରି ନିଜର ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ। ସୁପ୍ରିମ୍‌କୋର୍ଟଙ୍କ ଏଭଳି ମାର୍ଗଦର୍ଶିକା ଦାଗୀ ନେତାମାନଙ୍କ ଚିନ୍ତା ବଢ଼ାଇଦେବ। ବିଶେଷକରି ପ୍ରଚାର ସମୟରେ ସେମାନଙ୍କ ଅପରାଧ ରେକର୍ଡ ଲୋକଙ୍କ ସାମ୍ନାକୁ ଆସିଲେ, ସେମାନଙ୍କ ମନରେ ନକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି।
ଏତଦ୍‌ବ୍ୟତୀତ ସର୍ବୋଚ୍ଚ ଅଦାଲତ ନିଜ ମାର୍ଗଦର୍ଶିକାରେ ଦର୍ଶାଇଛନ୍ତି ଯେ ନିର୍ବାଚନ ଲଢ଼ିବାକୁ ଚାହୁଥିବା ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ଥିବା ସତ୍ୟପାଠରେ ନିଜ ଆପରାଧିକ ମାମଲା ସଂପର୍କରେ ‘ମୋଟା ଅକ୍ଷର’ରେ ଉଲ୍ଲେଖ କରିବା ଆବଶ୍ୟକ। ସେମାନେ ନିଜ ଅତୀତ ଅପରାଧ ରେକର୍ଡର ସମସ୍ତ ତଥ୍ୟ ଭଲ ଭାବେ ଦର୍ଶାଇବା ଜରୁରୀ।
ଚଳିତବର୍ଷ ପ୍ରାରମ୍ଭରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିବା ଏକ ସତ୍ୟପାଠ ଅନୁସାରେ ଦେଶର ୧,୭୬୫ ବିଧାୟକ ଏବଂ ସାଂସଦ ଅଥବା ୩୬ ପ୍ରତିଶତ ସାଂସଦ ଏବଂ ବିଧାୟକ ୩,୦୪୫ ମାମଲାରେ ଫୌଜଦାରୀ ଶୁଶାଣିର ସମ୍ମୁଖୀନ ହେଉଛନ୍ତି। ସଂସଦ ଏବଂ ବିଧାନସଭାଗୁଡ଼ିକର ମୋଟ ସଦସ୍ୟ ସଂଖ୍ୟା ୪,୮୯୧ ବୋଲି ଏଥିରେ ଦର୍ଶାଯାଇଥିଲା। ମୋଟ ଦାଗୀ ନେତାଙ୍କ ମଧ୍ୟରେ ୫୦ ପ୍ରତିଶତ ସାଂସଦ ଥିବା ଜଣାପଡ଼ିଛି। ୩୫ ନେତାଙ୍କ ବିରୋଧରେ ଦୁଷ୍କର୍ମ, ହତ୍ୟା ଓ ଅପହରଣ ଭଳି ମାମଲା ରହିଛି। ମହାରାଷ୍ଟ୍ରର ୬୫, ବିହାରର ୬୨, ପଶ୍ଚିମବଙ୍ଗର ୫୨ ନେତାଙ୍କ ବିରୋଧରେ ଏହି ମାମଲା ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର