୨୦୧୭ରେ ଓଡ଼ିଶାର ବିଭିନ୍ନ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଚଳିତବର୍ଷ ସୁପ୍ରିମକୋର୍ଟ ଓଡ଼ିଶାର ବିଭିନ୍ନ ମାମଲାର ରାୟ ଦେଇଥିଲେ। ବେଆଇନ୍‌ ଖଣି ଉତ୍ତୋଳନକାରୀଙ୍କଠାରୁ ଶତ ପ୍ରତିଶତ ଜରିମାନା ଆଦାୟ ସମ୍ପର୍କିତ ରାୟ ସବୁଠାରୁ ଚର୍ଚ୍ଚିତ ମାମଲା ଥିଲା । ଓଡ଼ିଶାର ଖଣି ଦୁର୍ନୀତି ନେଇ ସୁପ୍ରିମକୋର୍ଟରେ କମନକଜ୍‌ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାୟର ହେବା ପରେ ମାମଲାର ବିଚାର କରି ଚଳିତବର୍ଷ ଅଗଷ୍ଟ ୨ ତାରିଖରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟ ଖଣି କମ୍ପାନିମାନଙ୍କଠାରୁ ଡିସେମ୍ବର ୩୧,୨୦୧୭ ସୁଦ୍ଧା ବେଆଇନ୍‌ ଭାବେ ଲୁହାପଥର ଓ ମାଙ୍ଗାନିଜ୍‌ ଉତ୍ତୋଳନ କରିଥିବାରୁ ଶତ ପ୍ରତିଶତ ଜରିମାନା ଦେୟ ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୭ରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ବାରବାଟୀ ଷ୍ଟାଡିୟମ୍‌ ଜମି ଜବରଦଖଲ ମାମଲାକୁ ନେଇ ରହି ରହିଥିଲା। ସୁପ୍ରିମକୋର୍ଟ ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବାରବାଟୀ ଷ୍ଟାଡିୟମ୍‌ ପରିସରସ୍ଥ ବିବାଦୀୟ ଜମିରେ ଦୋକାନ ଗୃହ ଆବଣ୍ଟନ ଏହି ତଦନ୍ତ ପରିସରଭୁକ୍ତ ଥିଲା। ଚଳିତବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ବହୁଚର୍ଚ୍ଚିତ ରାୟଗଡ଼ା ଜିଲ୍ଲା ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ହତ୍ୟାକାଣ୍ଡ ମାମଲାକୁ ବନ୍ଦ କରିଦେଇଥିଲେ। ଦୁଇ ବର୍ଷରୁ ଉର୍ଦ୍ଧ୍ୱ ତଦନ୍ତ ତଥା ୨୩୩ ଜଣ ସାକ୍ଷୀଙ୍କୁ ପଚରାଉଚୁରା କରିବା ପରେ ମଧ୍ୟ ସିବିଆଇକୁ ମୁଖ୍ୟ ଅଭିଯୁକ୍ତର ଟେର୍‌ ମିଳି ନଥିଲା। ସିବିଆଇ ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ସହିତ ଏହି ମାମଲାକୁ ବନ୍ଦ କରିବା ପାଇଁ ନଭେମ୍ବର ୧୭ ତାରିଖରେ କ୍ଲୋଜର୍‌ ରିପୋର୍ଟ ଦେଲା। ସୁପ୍ରିମକୋର୍ଟ ଏହି ରିପୋର୍ଟକୁ ଗ୍ରହଣ କରି ନଭେମ୍ବର ୨୪ ତାରିଖରେ ମାମଲାକୁ ବନ୍ଦ କରିଦେଇଥିଲେ। ଚଳିତବର୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରା ଓଡ଼ିଶାର ଅନେକ ଚର୍ଚ୍ଚିତ ମାମଲା ଗୁଡ଼ିକରେ ଜାମିନ୍‌ ମଧ୍ୟ ଦିଆଯାଇଥିଲା। ମାର୍ଚ୍ଚ ୩୧ରେ ସୁପ୍ରିମକୋର୍ଟ ବହୁଚର୍ଚ୍ଚିତ ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ପୂର୍ବତନ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ। ଚଳିତବର୍ଷ ଦୁଇଜଣ ତଥାକଥିତ ବାବାଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ। ମେଡିକାଲ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ସୁପ୍ରିମକୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ। ଗତମାସରେ ଜମି ଠକେଇ ମାମଲାରେ ଅନ୍ୟତମ ବିବାଦୀୟ ବାବା ସୁରବାବା ଓରଫ ସୁରେନ୍ଦ୍ର ନାଥ ମିଶ୍ରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ।

ସୁପ୍ରିମକୋର୍ଟ ଚିଟଫଣ୍ଡ ଠକେଇ ମାମଲାରେ ସଂପୃକ୍ତ କିଛି ବ୍ୟକ୍ତିଙ୍କୁ ମଧ୍ୟ ଚଳିତ ବର୍ଷ ଜାମିନ୍‌ ପ୍ରଦାନ କରିଛନ୍ତି। ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ପ୍ରଭାତ ଦାଶ,ସ୍ୱସ୍ତିକ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ସବ୍ୟସାଚୀ ପାଣିଙ୍କୁ ମଧ୍ୟ ଜାମିନ୍‌ ପ୍ରଦାନ କରିଥିଲେ। ସାରଳା ରିଅଏକନ୍‌ ଜମି ଠକେଇ ମାମଲାରେ ସଂସ୍ଥାର ନିର୍ଦ୍ଦେଶକ ଗୟାଧର ଜେନାଙ୍କୁ ଜାମିନ୍‌ ପାଇଁ ୫୦ଲକ୍ଷ ଟଙ୍କା ପୈଠ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଗୟାଧର ଜେନା ଟଙ୍କା ପୈଠ କରି ଜାମିନ୍‌ ପାଇଥିଲେ। ଜୁଡୋ କୋଚ୍‌ ବିରଞ୍ଚି ଦାଶ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜା ଆଚାର୍ଯ୍ୟକୁ ସୁପ୍ରିମକୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଜାମିନ୍‌ ଦେଇ ଆଶ୍ୱସ୍ତି ପ୍ରଦାନ କରିଥିଲେ। ଚଳିତବର୍ଷ ସିବିଆଇ ଅଧିକାରୀମାନଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ବାସଭବନରେ ରାତିଅଧିଆ ଅନୁପ୍ରବେଶ ମାମଲାର ଶୁଣାଣି ମଧ୍ୟ ସୁପ୍ରିମକୋର୍ଟରେ ହୋଇଥିଲା। ସିବିଆଇର କ୍ଷମା ପ୍ରାର୍ଥନା ସତ୍ତ୍ୱେ କୋର୍ଟ ଏଭଳି କାର୍ଯ୍ୟକୁ କଠୋର ସମାଲୋଚନା କରିଥିଲେ। ଚଳିତବର୍ଷ ମହାନଦୀ ଓ ପୋଲାଭରମ ମାମଲାର ଶୁଣାଣୀ ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଉପରେ ମଧ୍ୟ କଡା ଆଭିମୁଖ୍ୟ ପୋଷଣ କରିଥିଲେ। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରିବା ପ୍ରତିଶୃତି ଦେଇ କେନ୍ଦ୍ର ସରକାର ଓହରିଯାଇଥିବାରୁ ଜାନୁୟାରୀ ୧୫ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ ସମ୍ପର୍କୀତ ଚୂଡାନ୍ତ ରିପୋର୍ଟ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପୋଲାଭରମ ପ୍ରକଳ୍ପ ମାମଲାରେ ଓଡ଼ିଶାର ଆବେଦନର ଜବାବ୍‌ ଦୁଇବର୍ଷ ପରେ ମଧ୍ୟ ଦେଇପାରିନଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ୨୦ହଜାର ଟଙ୍କାର ଜୋରିମାନା ଲଗାଇଥିଲେ। ଚଳିତବର୍ଷ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଦ୍ୱାରା ଚୂଡାନ୍ତ ରାୟ ପ୍ରକାଶ ପାଇଥିଲା। ବଂଶଧାରା ନଦୀ ଉପରେ ନେରେଡ଼ି ଓ କାଟ୍ରିଗଡ଼ା ଠାରେ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା।

ଚଳିତବର୍ଷ ରିଲାଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ତିନୋଟି ବିଦ୍ୟୁତ୍‌ ବିତରକ କମ୍ପାନୀ ନେସ୍କୋ, େଓ୍ଵସ୍କୋ ଏବଂ ସାଉଥକୋର ଲାଇସେନ୍ସ ପ୍ରତ୍ୟାହାର ମାମଲାରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି)ର ରାୟ ବିଦ୍ୟୁତ୍‌ ଆପିଲେଟ ଟ୍ରିବ୍ୟୁନାଲରେ କାଏମ୍‌ ରଖାଯିବା ବିଷୟରେ କମ୍ପାନି ତ୍ରୟ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ ତାହାକୁ ଖାରଜ କରିଦିଆଯାଇଥିଲା।
ଚଳିତବର୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରା ଓଡ଼ିଶାର ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ଦରମା ମାମଲାର ମଧ୍ୟ ଫଇସଲା କରାଯାଇଥିଲା। ରାଜ୍ୟ ସରକାରଙ୍କ ଗ୍ରାଣ୍ଟ ଇନ୍‌ ଆଡ଼ ଆଦେଶ ୨୦୧୭କୁ ମୋହର ଲଗାଇଥିଲେ। ସୁପ୍ରିମକୋର୍ଟ ନଭେମ୍ବର ୩ ତାରିଖରେ ପତ୍ର ମାଧ୍ୟମରେ ବୈଷୟିକ ଶିକ୍ଷାକୁ ଅନୁମୋଦନ କରିଥିବା ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଥିଲେ। ଅଗଷ୍ଟ ୨୮ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦୀପକ୍‌ ମିଶ୍ର ଶପଥ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ରୂପେ ପଦ ଅଳଙ୍କୃତ କରିବାରେ ଜଷ୍ଟିସ୍‌ ମିଶ୍ର ହେଉଛନ୍ତି ତୃତୀୟ ଓଡ଼ିଆ।

ସମ୍ବନ୍ଧିତ ଖବର