ପୋଲାଭରମ ପ୍ରକଳ୍ପ ପରିବେଶ ମଞ୍ଜୁରି ମାମଲା : ସବୁ ପକ୍ଷଙ୍କୁ ସୁପ୍ରିମ କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ୍‌ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ସବୁ ପକ୍ଷକୁ ନୋଟିସ୍‌ କରିଛନ୍ତି। ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୧ ତାରିଖରେ ହେବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।

ପୋଲାଭରମ ପ୍ରକଳ୍ପର ଆବଶ୍ୟକ ପରିବେଶ ମଞ୍ଜୁରି ନଥିବା, ପରିବେଶ ପ୍ରଭାବ ଆକଳନ କରାଯାଇନଥିବା, ନଦୀବନ୍ଧର ଉଚ୍ଚତା ବୃଦ୍ଧି କରାଯିବା, ପ୍ରକଳ୍ପର ମୂଳ ଡିଜାଇନ୍‌ରେ ପରିବର୍ତ୍ତନ କରାଯିବା, ବନ୍ୟାଜଳ ଧାରଣ କ୍ଷମତାର ଠିକ୍‌୍‌ ଆକଳନ କରାଯାଇନଥିବା ଏବଂ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରାଯାଇନଥିବା ଦର୍ଶାଇ ତେଲେଙ୍ଗାନାର ସ୍ୱେଚ୍ଛାସେବୀ ସଂଗଠନ ‘ରେଲା’ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲା। ଏହି ପିଟିସନ୍‌ ଆଧାରରେ ସୁପ୍ରିମକୋର୍ଟ ମୋଟ ୬ ପକ୍ଷଙ୍କୁ ନୋଟିସ ଜାରି କରିଥିଲେ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଗତବର୍ଷ ନଭେମ୍ବର ୧୪ ତାରିଖରେ ‘ରେଲା’ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ଦାଖଲ କରିଥିବା ଏହି ମାମଲାକୁ ତତ୍କାଳୀନ ବିଚାରପତି ସ୍ୱତନ୍ତ୍ର କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲା ଶୁଣାଣି ପାଇଁ ମନା କରିଦେଇଥିଲେ। ଏହାପରେ ‘ରେଲା’ ଏନ୍‌ଜିଟିଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର