ସ୍ୱେଚ୍ଛାକୃତ ଅବସର ଏକ ଅଧିକାର ନୁହେଁ: ସୁପ୍ରିମ୍‌ କୋର୍ଟ

କର୍ମଚାରୀଙ୍କୁ ଏଥିରୁ ରୋକାଯାଇ ପାରିବ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ସ୍ୱେଚ୍ଛାକୃତ ଅବସର କର୍ମଚାରୀଙ୍କ ସଂପୂର୍ଣ୍ଣ ଅଧିକାର ବିବେଚିତ ହେବନାହିଁ। ଆବଶ୍ୟକସ୍ଥଳେ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ଦେବାକୁ ମନା କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ଅରୁଣ ମିଶ୍ର ଏବଂ ଏସ୍‌.ଏ. ନଜିରଙ୍କ ଖଣ୍ଡପୀଠ ଉତ୍ତର ପ୍ରଦେଶର ଜଣେ ସରକାରୀ ଡାକ୍ତରଙ୍କ ଅବସର ମାମଲାରେ ଏଭଳି ରାୟ ଦେଇଛନ୍ତି। ଏହି ଡାକ୍ତର ଜଣଙ୍କ ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟସେବାରୁ ସ୍ୱେଚ୍ଛାରେ ଅବସର ନେବାକୁ ଆବେଦନ କରିଥିଲେ। ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେତେବେଳେ କୌଣସି କର୍ମଚାରୀଙ୍କ ସେବାର ଆବଶ୍ୟକ ଜରୁରୀ ମନେହେବ ସେହି କ୍ଷେତ୍ରରେ ତାଙ୍କୁ ସ୍ୱେଚ୍ଛାକୃତ ଅବସର ଦେବା ପାଇଁ ସରକାର ମନା କରିପାରିବେ। ଉତ୍ତର ପ୍ରଦେଶର ଡାକ୍ତର ଅଚଳ ସିଂହ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ସେ ସ୍ୱେଚ୍ଛା ଅବସର ନେବାକୁ ସରକାରଙ୍କୁ ନୋଟିସ ଦେଇଥିଲେ। କିନ୍ତୁ ସରକାର ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ସେ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ କେତେକ ନିୟମ ଆଧାରରେ ତାଙ୍କୁ ସେବାନିବୃତ୍ତ କରିବାକୁ ଆଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ଡାକ୍ତର ନଥିବାରୁ ସ୍ୱେଚ୍ଛା ଅବସରକୁ ଗ୍ରହଣ କରାଯିବ ନାହିଁ ବୋଲି ସରକାର ଯୁକ୍ତି ଦେଖାଇଥିଲେ। ସୁପ୍ରିମ୍‌ କୋର୍ଟ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରି ସ୍ୱେଚ୍ଛାକୃତ ଅବସର ଏକ ସଂପୂର୍ଣ୍ଣ ଅଧିକାର ନୁହେଁ ବୋଲି ରାୟରେ କହିଛନ୍ତି। ଭାରତରେ ସରକାରୀ ସ୍ୱାସ୍ଥ୍ୟସେବାରେ ଉପରେ ଗରିବ ଜନତା ବିଶେଷ ନିର୍ଭରଶୀଳ ଅଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କୁ ଭଲ ଡାକ୍ତରଙ୍କ ସେବାରୁ ବଂଚିତ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।

ସମ୍ବନ୍ଧିତ ଖବର