ନୂଆଦିଲ୍ଲୀ: ଭୀମା କୋରେଗାଓଁ ହିଂସା ମାମଲାରେ ମାଓବାଦୀ ଲିଙ୍କ୍ ନେଇ ୫ ସାମାଜିକ କର୍ମୀ ଗିରଫ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଚଳିତମାସ ୨୪ ତାରିଖ ସୁଦ୍ଧା ଲିଖିତ ଆକାରରେ ଦଲିଲ ଦାଖଲ କରିବା ପାଇଁ ମାମଲାରେ ଜଡ଼ିତ ସମସ୍ତ ପକ୍ଷଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ମାମଲାରେ ସମସ୍ତ ପକ୍ଷର ଓକିଲ ଯଥା ମନୁ ସିଂଘଭି, ହରିଶ ସାଲ୍ଭେ ଏବଂ ଆଡିସନାଲ୍ ସଲିସିଟର ଜେନେରୋଲ୍ ତୁଷାର ମେହଟ୍ଟାଙ୍କ ଯୁକ୍ତି ଶୁଣିବା ପରେ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ଖଣ୍ଡପୀଠ ଉକ୍ତ ମାମଲାରେ ତଦନ୍ତ ପ୍ରକ୍ରିୟାର ସମସ୍ତ ଦସ୍ତାବିଜ ଦାଖଲ ପାଇଁ ମହାରାଷ୍ଟ୍ର ସରକାରଙ୍କୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ୫ ଜଣ ସାମାଜିକ କର୍ମୀ ବର୍ବରା ରାଓ, ଅରୁଣ ଫେରେଇରା, ଭେର୍ନନ୍ ଗନସାଲଭେସ୍, ସୁଧା ଭରଦ୍ୱାଜ ଏବଂ ଗୌତମ ନବଲଖା ଗତ ଅଗଷ୍ଟ ୨୯ ତାରିଖରୁ ଗୃହବନ୍ଦୀ ଅଛନ୍ତି।