ସୁପ୍ରିମ୍‌ କୋର୍ଟରେ ଧାରା-୪୯୭ ମାମଲା: ବିବାହ ପବିତ୍ରତା ଅକ୍ଷୁଣ୍ଣ ରହୁ: କେନ୍ଦ୍ର

ନୂଆଦିଲ୍ଲୀ: ବ୍ୟଭିଚାର ଆଇନକୁ ସୁରକ୍ଷିତ ରଖିବା ପାଇଁ ଆଜି କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟ ସୁପ୍ରିମ୍‌ କୋର୍ଟରେ ସ୍ପଷ୍ଟ କରିଛନ୍ତି। ଏ ବାବଦରେ ଆଇପିସିରେ ଯେଉଁ ବ୍ୟବସ୍ଥା ରହିଛି ତାହାଦ୍ୱାରା ବିବାହ ଭଳି ଅନୁଷ୍ଠାନକୁ ସୁରକ୍ଷା ମିଳୁଛି। ଏସଂକ୍ରାନ୍ତ ଧାରା ୪୯୭କୁ ଦୁର୍ବଳ କରାଗଲେ କିମ୍ବା ରଦ୍ଦ କଲେ ଏହା ବିବାହ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବ। କେବଳ ଏତିକି ନୁହେଁ, ଏହାଦ୍ୱାରା ସାମାଜିକ ବିକୃତି ମଧ୍ୟ ଦେଖାଦେବ ଏବଂ ଯୌନ ବ୍ୟଭିଚାର ମାମଲା ବଢ଼ିବ। ଧାରା-୪୯୭ର ବୈଧତାକୁ ଚ୍ୟାଲେଂଜ କରି ସୁପ୍ରିମ୍‌ କୋର୍ଟରେ ଦାଖଲ ପିଟିସନକୁ ବିରୋଧ କରି ଏଭଳି ଯୁକ୍ତି ରଖିଛନ୍ତି କେନ୍ଦ୍ର ସରକାର। ଏଭଳି ଆବେଦନକୁ ଖାରଜ କରାଯିବା ଉଚିତ ବୋଲି କହିଛନ୍ତି। ତେବେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଆଇପିସିର ଧାରା ୪୯୭ ଅନ୍ତର୍ଗତ ବ୍ୟଭିଚାର ମାମଲାରେ ପୁରୁଷମାନଙ୍କୁ ଦୋଷୀ ଭାବେ ଗ୍ରହଣ କରି ଦଣ୍ଡ ବିଧାନ କରାଯାଉଛି। ଅନ୍ୟପକ୍ଷରେ ବ୍ୟଭିଚାର ମାମଲାରେ ମହିଳାମାନଙ୍କୁ ଏହି ଆଇନରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ଏଭଳି ଭେଦଭାବ ସୃଷ୍ଟିକାରୀ ଆଇନକୁ ଅସାମ୍ବିଧାନିକ ଘୋଷଣା କରିବାକୁ ଆବେଦନକାରୀ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି। ସୁପ୍ରିମ୍‌ କୋର୍ଟ ଏହି ମାମଲାରେ କହିଥିଲେ ଯେ ସାମାଜିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଲିଙ୍ଗଗତ ସମାନତା ଏବଂ ଏହି ମାମଲାରେ ପୂର୍ବରୁ ଦିଆଯାଇଥିବା କେତେକ ନିଷ୍ପତ୍ତିର ସମୀକ୍ଷା ଜରୁରୀ ହୋଇପଡ଼ିଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାକୁ ୫ ଜଣିଆ ସମ୍ବିଧାନ ପୀଠକୁ ପଠାଇଥିଲେ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ କହିଥିଲେ। ଧାରା ୪୯୭ ବିବାହ ଭଳି ଅନୁଷ୍ଠାନକୁ ସୁରକ୍ଷିତ ରଖୁଥିବାରୁ ଏହାକୁ ଚ୍ୟାଲେଂଜ କରିବା ଗ୍ରହଣୀୟ ନୁହେଁ ବୋଲି ସରକାର ସ୍ପଷ୍ଟ କରିଥିବା ବେଳେ ଏ ବାବଦରେ ପରମ୍ପରା ଓ ପ୍ରଚଳିତ ଧାରାର ମଧ୍ୟ ଉଦାହରଣ ଉପସ୍ଥାପନ କରିଛନ୍ତି।

ସୂଚନାଯୋଗ୍ୟ ଏହି ଧାରା ଅନୁଯାୟୀ ବିବାହିତ ପୁରୁଷ ଅନ୍ୟ କୌଣସି ମହିଳାଙ୍କ ସହ ଯୌନ ସଂପର୍କରେ ରହିଲେ ଏ କ୍ଷେତ୍ରରେ ପୁରୁଷଙ୍କ ବିରୋଧରେ ବ୍ୟଭିଚାର ମାମଲା ରୁଜୁ ହୋଇଥାଏ। ଏଠାରେ ପୁରୁଷଙ୍କୁ ଅପରାଧୀ ଗ୍ରହଣ କରାଯାଉଥିବା ବେଳେ ମହିଳାଙ୍କୁ ପୀଡ଼ିତା ଭାବେ ଗ୍ରହଣ କରାଯାଉଛି। ଦୋଷୀ ପ୍ରମାଣିତ ହେଲେ ଉକ୍ତ ପୁରୁଷଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନା ଦେବାର ବ୍ୟବସ୍ଥା ରହିଛି। ଆବେଦନକାରୀ କହିଛନ୍ତି ଯେ ମହିଳା ମଧ୍ୟ ଏ କ୍ଷେତ୍ରରେ ସମାନ ଦୋଷୀ ଥିବାରୁ ସେମାନଙ୍କୁ ଏଥିରୁ ଛାଡ଼ କରାଯିବା ନ୍ୟାୟୋଚିତ ହେବନାହିଁ। ତେବେ ଏହି ମାମଲାକୁ ଏବେ ଆଇନ କମିସନ ତର୍ଜମା କରୁଥିବା ସରକାର କହିଛନ୍ତି।

ପଦୋନ୍ନତିରେ ସଂରକ୍ଷଣ ମାମଲା
ଅନ୍ତରୀଣ ଆଦେଶ ଦେବାକୁ ମନାକଲେ ସୁପ୍ରିମ୍‌ କୋର୍ଟ
ନୂଆଦିଲ୍ଲୀ: ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପଦୋନ୍ନତି ମାମଲାରେ ୨୦୦୬ ମସିହାରେ ସୁପ୍ରିମ୍‌ କୋର୍ଟ ଯେଉଁ ରାୟ ଦେଇଥିଲେ ସେଥିରେ ଏବେ କୌଣସି ଅନ୍ତରୀଣ ଆଦେଶ ଦେବାକୁ କୋର୍ଟ ଆଜି ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏବେ ଏହି ମାମଲା ୫ ଜଣିଆ ସମ୍ବିଧାନ ପୀଠକୁ ଶୁଣାଣି ପାଇଁ ଯିବ। ଏହି ମାମଲାରେ ଅଗଷ୍ଟ ପ୍ରଥମ ସପ୍ତାହରେ ସମ୍ବିଧାନ ପୀଠ ଶୁଣାଣି କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ଏହି ମାମଲାରେ ଅଦାଲତ ଯଥାଶୀଘ୍ର ଶୁଣାଣି କରିବା ଜରୁରୀ। ୨୦୦୬ରେ ସୁପ୍ରିମ୍‌ କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ପଦୋନ୍ନତିରେ ସଂରକ୍ଷଣ ନେଇ ଦେଇଥିବା ରାୟର ପୁନର୍ବିଚାର ହେବ କି ନାହିଁ ତାହା ସମ୍ବିଧାନ ପୀଠ ସ୍ଥିର କରିବେ। ୨୦୦୬ରେ ଏମ୍‌. ନାଗରଜ ମାମଲାରେ କୋର୍ଟ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ପଦୋନ୍ନତି ମାମଲାରେ କ୍ରିମି ଲେୟର ନୀତି ଲାଗୁ ହେବ ନାହିଁ ବୋଲି କହିଥିଲେ। ମାମଲାର ଶୁଣାଣି କରି ଏ ବାବଦ ଆଇନକୁ ସଠିକ୍‌ ବୋଲି ସୁପ୍ରିମ୍‌ କୋର୍ଟ ସେତେବେଳେ ଦର୍ଶାଇଥିଲେ ଏବଂ କେତେକ ସର୍ତ୍ତ ରଖିଥିଲେ। ସରକାରୀ ଚାକିରିରେ କୌଣସି ଶ୍ରେଣୀରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ନଥିଲେ ଏବଂ ପଛୁଆପଣ ଥିଲେ ଏ ବାବଦ ତଥ୍ୟ ରଖିବାକୁ କୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର