ସୁପ୍ରିମ କୋର୍ଟରେ ପୋଲାଭରମ୍ ମାମଲାର ଶୁଣାଣି : ଶୁକ୍ରବାର ସୁଦ୍ଧା ବ୍ୟାକ ୱାଟର ଅଧ୍ୟୟନ ରିପୋର୍ଟ ଦାଖଲ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ବିନା ପରିବେଶ ମଞ୍ଜୁରିରେ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖାଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର କାର୍ଯ୍ୟ ବନ୍ଦ ଆଦେଶକୁ ସ୍ଥଗିତ ରଖି ଆନ୍ଧ୍ରକୁ ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ଦିଆଯିବା ବିରୋଧରେ ସୁପ୍ରିମ କୋର୍ଟରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଆଜି ସୁପ୍ରିମ କୋର୍ଟ ବ୍ୟାକ ୱାଟର ବା ପଛୁଆ ପାଣି ସମସ୍ୟାକୁ ନେଇ ପରିବେଶ ମଞ୍ଜୁରି ପ୍ରଦାନ କରିବା ପୂର୍ବରୁ କୌଣସି ପ୍ରକାର ଅଧ୍ୟୟନ କରାଯାଇଛି କି ନାହିଁ ସେ ସମ୍ପର୍କରେ ଆସନ୍ତାକାଲି ସୁଦ୍ଧା କେନ୍ଦ୍ର ସରକାର ଅବଗତ କରାଇବେ। ବିଚାରପତି ମଦନ ବି ଲୋକୁର, ବିଚାରପତି ଏସ ଏ ନଜିର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇ କହିଛନ୍ତି, ଯଦି କେନ୍ଦ୍ର ସରକାରଙ୍କ ଦ୍ବାରା ବ୍ୟାକ ୱାଟର ସମସ୍ୟାର କୌଣସି ଅନୁଧ୍ୟାନ ହୋଇନାହିଁ ତାହେଲେ ତାହାର ଅନୁଧ୍ୟାନ କେବେ ସୁଦ୍ଧା ହେବ ସେ ନେଇ ଜଣାଇବାକୁ ପଡ଼ିବ। ଏହାପରେ ଖଣ୍ଡପୀଠ ମାମଲାର ଫଇସଲା ପାଇଁ ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ କରିବେ।

ଆଜି ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ କହିଥିଲେ ଆନ୍ଧ୍ର ଦ୍ବାରା ପୋଲାଭରମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ନେଇ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲର ସମସ୍ତ ସର୍ତ୍ତ ଗୁଡ଼ିକୁ ଉଲ୍ଲଂଘନ କରାଯାଇଛି। ପ୍ରକଳ୍ପର ଡିଜାଇନକୁ ପରିବର୍ତ୍ତନ କରାଯାଇଛି। ବନ୍ୟା ଜଳ ଧାରଣ କ୍ଷମତାକୁ ୩୬ ଲକ୍ଷ କ୍ୟୁସେକରୁ ୫୦ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ବ୍ୟାକ ୱାଟର ସମସ୍ୟା ଗୁରୁତର ଆକାର ଧାରଣ କରିବ। ଏହି କ୍ଷମତା ବୃଦ୍ଧି ପୂର୍ବରୁ ପୁନଃ ପରିବେଶ ମଞ୍ଜୁରି ନେବାର ଆବଶ୍ୟକତା ଥିବାବେଳେ ତାହା କରାଯାଇ ନାହିଁ। ତେଣୁ ଏହି ବେଆଇନ ନିର୍ମାଣକୁ ବନ୍ଦ କରାଯାଉ ବୋଲି ଶ୍ରୀ ସୁବ୍ରମଣ୍ୟମ ଯୁକ୍ତି ବାଢ଼ିଥିଲେ। ‌େ‌ତବେ ଆନ୍ଧ୍ରର ଓକିଲ ଏ କେ ଗାଙ୍ଗୁଲି ପ୍ରକଳ୍ପ ନିର୍ମାଣରେ ଆଇନରେ କୌଣସି ଉଲ୍ଲଂଘନ କରାଯାଇ ନାହିଁ ଓ ବ୍ୟାକ ୱାଟର ନେଇ ଅଧ୍ୟୟନ କରାଯାଇଛି ବୋଲି କହିଥିଲେ। ଛତିଶଗଡ଼ ସରକାରଙ୍କ ଓକିଲ ସି ଏସ ବୈଦ୍ୟନାଥନ କହିଥିଲେ ଏହି ପ୍ରକଳ୍ପ ବିରୋଧରେ ସେମାନେ ନାହାନ୍ତି କିନ୍ତୁ ଜଳମଗ୍ନ ସମସ୍ୟାର ଅଧ୍ୟୟନ ହେବା ଆବଶ୍ୟକ। ବ୍ୟାକୱାଟର ସମସ୍ୟା ସମ୍ପର୍କରେ ଅବଗତ କରାଇବା ପାଇଁ କେନ୍ଦ୍ର ସରକାରଙ୍କ କୌଣସି ଅଧିକାରୀ ଆଜି କୋର୍ଟରେ ଉପସ୍ଥିତ ନଥିଲେ। ତେଣୁ ମାମଲାର ଶୁଣାଣି ଆସନ୍ତାକାଲି ଜାରି ରହିବ।

ସମ୍ବନ୍ଧିତ ଖବର