‘କାଲା’କୁ ସୁପ୍ରିମ୍‌ କୋର୍ଟଙ୍କ ସବୁଜ ସଙ୍କେତ: ରିଲିଜ୍‌ ଆଜି

ଚେନ୍ନାଇ : ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ‘କାଲା’ ଚଳଚ୍ଚିତ୍ରର ରିଲିଜକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳିଯାଇଛି। ବୁଧବାର ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ତେବେ ପୂର୍ବରୁ ରଜନୀକାନ୍ତଙ୍କ ଅଭିନୀତ କୌଣସି ବି ଫିଲ୍ମ ଏତେ ବିବାଦୀୟ ହୋଇନଥିଲା। କାବେରୀ ଜଳବିବାଦ ପାଇଁ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ବିବାଦ ଲାଗି ରହିଥିବାରୁ ରଜନୀକାନ୍ତଙ୍କ ଏହି ଚଳଚ୍ଚିତ୍ର ରିଲିଜ କରାଇ ନଦେବା ପାଇଁ ବିଭିନ୍ନ ସଂଗଠନ ଦାବି କରିଥିଲେ। ଆସନ୍ତାକାଲି ତାମିଲନାଡ଼ୁର ୭୦୦ ସିନେମାହଲ୍‌ରେ କାଲା ମୁକ୍ତିଲାଭ କରିବ। ତେବେ ରାଜ୍ୟରେ ଯେଭଳି ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ନଯାଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତକାଲି କର୍ଣ୍ଣାଟକ ହାଇକୋର୍ଟ ଚଳଚ୍ଚିତ୍ରର ରିଲିଜ ପାଇଁ ଅନୁମତି ଦେବା ସହ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ଗତକାଲି ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ ମତବ୍ୟକ୍ତ କରି କହିଥିଲେ ଯେ, ‘କାଲା’ ଚଳଚ୍ଚିତ୍ର ରିଲିଜ ପାଇଁ ଏହା ସଠିକ୍‌ ସମୟ ନୁହେଁ। କାବେରୀ ଜଳ ବିବାଦ ତୁଟିବା ପରେ ଚଳଚ୍ଚିତ୍ର ରିଲିଜ୍‌ ହେଲେ ଉଭୟ ରାଜ୍ୟ ସାଙ୍ଗକୁ ପ୍ରଯୋଜକ ଓ ଡ୍ରିଷ୍ଟ୍ରିବ୍ୟୁଟରଙ୍କ ପାଇଁ ମଧ୍ୟ ଭଲ ହୁଅନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର