ସୁପ୍ରିମ୍‌ କୋର୍ଟ ବିଚଳିତ: ମହାଭିଯୋଗ ଦୁର୍ଭାଗ୍ୟପୂର୍ଣ୍ଣ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଲୋଡ଼ନ ସୃଷ୍ଟି କରିଛି। କଂଗ୍ରେସ ସମେତ ୭ଟି ବିରୋଧୀ ଦଳ ମହାଭିଯୋଗ ପ୍ରସ୍ତାବ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିୟା ନାଇଡ଼ୁଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଏହାକୁ ନେଇ ବିରୋଧୀ ଦଳରେ ସହମତି ଦେଖିବାକୁ ମିଳିନାହିଁ। ଏହି ନୋଟିସ୍‌ରେ ୬୪ ଜଣ ସାଂସଦ ଦସ୍ତଖତ କରିଥିବା ବେଳେ ଆଜି ସୁପ୍ରିମ୍‌ କୋର୍ଟ ଏଭଳି ଘଟଣାକ୍ରମକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ମହାଭିଯୋଗ ପ୍ରସ୍ତାବ ନେଇ ବିରୋଧୀ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏ ବାବଦରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ସୁପ୍ରିମ୍‌ କୋର୍ଟରେ ରୁଜୁ ହୋଇଛି । ଏକ ଏନ୍‌ଜିଓ ଦ୍ୱାରା ଦାଏର କରାଯାଇଥିବା ମାମଲାରେ କୁହାଯାଇଛି ଯେ ଧାରା ୧୨୧ ଅନୁଯାୟୀ କୌଣସି ବିଚାରପତିଙ୍କୁ ହଟାଇବା ପାଇଁ ଯେ ପର୍ଯ୍ୟନ୍ତ ସଂସଦରେ ପ୍ରସ୍ତାବ ଅଣାଯାଇ ନାହିଁ, ସେ ପର୍ଯ୍ୟନ୍ତ ସଂପୃକ୍ତ ବିଚାରପତିଙ୍କ ବିରୋଧରେ ସର୍ବସାଧାରଣରେ ଏଭଳି ଚର୍ଚ୍ଚା ହୋଇପାରିବ ନାହିଁ। ପ୍ରଧାନ ବିଚାରପତିଙ୍କୁ ନେଇ ଚାଲିଥିବା ମହାଭିଯୋଗ ଚର୍ଚ୍ଚାକୁ ସୁପ୍ରିମ୍‌ କୋର୍ଟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହି ମାମଲାରେ ସାଂସଦମାନଙ୍କ ଦ୍ୱାରା ଯେଭଳି ବୟାନବାଜି ଚାଲିଛି ତାହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ବିଚାରପତି ଏ.କେ. ସିକ୍ରି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳଙ୍କ ରାୟ ମାଗିଛନ୍ତି। ଏହି ମାମଲାରେ ରାଜନୈତିକ ବୟାନବାଜ ଘୋର ଚିନ୍ତାଜନକ ବୋଲି ଖଣ୍ଡପୀଠ କହିଛନ୍ତି। ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ମାମଲା ନେଇ କୋର୍ଟ ଉଦ୍‌ବେଗ ପ୍ରକାଶ କରିିଥିଲେ ମଧ୍ୟ ଏଥିରେ ରୋକ୍‌ ଲଗାଇବେ ନାହିଁ। ନିଜ ବକ୍ତବ୍ୟ ରଖିବା ପାଇଁ ସମସ୍ତଙ୍କର ଅଧିକାର ରହିଛି। ଏହି ମାମଲାରେ ଗଣମାଧ୍ୟମ ମଧ୍ୟ କୌଣସି ଖବର ପ୍ରସାରଣ କରିବା ଉପରେ ଅଙ୍କୁଶ ଲାଗିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଆଟର୍ଣ୍ଣି ଜେନେରାଲଙ୍କ ମତ ମିଳିବା ପରେ ମେ’ ୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ମହାଭିଯୋଗ କ’ଣ?
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କୁ ସେମାନଙ୍କ ପଦରୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥାଏ। ଏହି ମହାଭିଯୋଗ ପ୍ରସ୍ତାବ ଦ୍ୱାରା ଦେଶର ରାଷ୍ଟ୍ରପତିଙ୍କୁ ମଧ୍ୟ ଗାଦିଚ୍ୟୁତ କରାଯାଇ ପାରିବ। ଏହି ସବୁ ଗୁରୁତ୍ୱପୂର୍ଣ୍ଣ ପଦରେ ବସିଥିବା ବ୍ୟକ୍ତି ସେମାନଙ୍କ ପଦର ଦୁରୂପଯୋଗ କରୁଥିବା କିମ୍ବା ପଦ ପ୍ରତି ଅଯୋଗ୍ୟ, ଅକ୍ଷମ ଥିବା ନେଇ ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ମହାଭିଯୋଗ ଆସିଥାଏ। ସମ୍ବିଧାନର ଅନୁଚ୍ଛେଦ ୬୨, ୧୨୪(ଘ)(ଙ),୨୧୭ ଓ ୨୧୮ରେ ମହାଭିଯୋଗ ପ୍ରସ୍ତାବ ସମ୍ପର୍କିତ ବ୍ୟବସ୍ଥା ରହିଛି।

ପୂର୍ବରୁ ଆସିଥିବା ମହାଭିଯୋଗ
୧୯୯୩ ମସିହା ମେ’ ମାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ବିଚାରପତି ବି.ରାମାସ୍ୱାମୀଙ୍କୁ ମହାଭିଯୋଗର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ଲୋକସଭାରେ ଏହି ପ୍ରସ୍ତାବ ଗୃହୀତ ହୋଇ ପାରିନଥିଲା।

୨୦୧୧ରେ କୋଲକାତା ହାଇକୋର୍ଟ ବିଚାରପତି ସୌମିତ୍ର ସେନ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା। ଦୁର୍ବବ୍ୟବହାର ଅଭିଯୋଗରେ ଆସିଥିବା ଏହି ପ୍ରସ୍ତାବ ରାଜ୍ୟସଭାରେ ପାରିତ ହୋଇ ଲୋକସଭାକୁ ଯିବା ପୂର୍ବରୁ ଜଷ୍ଟିସ୍‌ ସେନ୍‌ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

୨୦୧୧ରେ ସିକିମ୍‌ ହାଇକୋର୍ଟ ମୁଖ୍ୟ ବିଚାରପତି ପି.ଡ଼ି ଦିନାକରନ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା। ମାତ୍ର ଏହି ପ୍ରସ୍ତାବକୁ ନେଇ ସଂସଦରେ ଆଲୋଚନା ହେବା ପୂର୍ବରୁ ଜଷ୍ଟିସ୍‌ ଦିନାକରନ୍‌ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଗୁଜରାଟ ହାଇକୋର୍ଟ ବିଚାରପତିି ଜେ.ବି.ପର୍ଦ୍ଦିଓ୍ଵାଲାଙ୍କ ବିରୋଧରେ ୨୦୧୫ରେ ଆସିଥିବା ମହାଭିଯୋଗର ଆଲୋଚନା ହେବା ପୂର୍ବରୁ ସେ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରି ତାଙ୍କ ମନ୍ତବ୍ୟ ଫେରସ୍ତ କରିନେଇଥିଲେ।

୨୦୧୫ ମସିହାରେ ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ଏସ୍‌କେ ଗଙ୍ଗେଲଙ୍କ ବିରୋଧରେ ମହାଭିଯୋଗ ଆସିବା ନେଇ ପ୍ରସ୍ତୁତି ହୋଇଥିଲା। କିନ୍ତୁ ତାଙ୍କ ନାମରେ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇନପାରିବାରୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିନଥିଲା।

୨୦୧୬ ଓ ୨୦୧୭ରେ ଦୁଇ ଥର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବିଚାରପତି ନାଗାର୍ଜୁନ ରେଡ୍ଡୀଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲେ ମଧ୍ୟ ଏହାକୁ ସମର୍ଥନ ମିଳିନଥିଲା।

କିଭଳି ଆଗତ ହୁଏ
ନୂଆଦିଲ୍ଲୀ: ମହାଭିଯୋଗ ଦ୍ୱାରା ଜଣେ ପ୍ରଧାନ ବିଚାରପତିଙ୍କୁ ହଟାଇବା ପାଇଁ ସଂସଦର ଉଭୟ ଗୃହରେ ଦୁଇ ତୃତୀୟାଂଶ ସମର୍ଥନ ମିଳିବା ନିହାତି ଆବଶ୍ୟକ। ସମ୍ବିଧାନର ଧାରା ୧୨୪(ଘ) ମୁତାବକ, ସଂସଦର ଉଭୟ ଗୃହରେ ସମର୍ଥନ ପରେ ଯାଇ ପ୍ରଧାନ ବିଚାରପତିଙ୍କୁ ପଦଚ୍ୟୁତ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଥାଏ। ସଂସଦର ଉଭୟ ଗୃହରେ ଦୁଇ ତୃତୀୟାଂଶ ସାଂସଦଙ୍କ ସମର୍ଥନ ମିଳିବା ପରେ ଏହି ପ୍ରସ୍ତାବ ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରି ପାଇଁ ଯାଇଥାଏ। ମହାଭିଯୋଗରେ ସତ୍ୟତା ଥିବା ଅନୁଭବ କଲେ ରାଷ୍ଟ୍ରପତି ଏହି ମାମଲାରେ ବିଚାର କରି ପ୍ରସ୍ତାବରେ ସ୍ୱାକ୍ଷର କରିବା ସହ ପ୍ରଧାନ ବିଚାରପତିଙ୍କ ପଦଚ୍ୟୁତି ନେଇ ଆଦେଶ ଦେଇଥାନ୍ତି। ବିଚାରପତି ଆଇନ୍‌ ୧୯୬୮ ମୁତାବକ, କୌଣସି ବି ବିଚାରପତିଙ୍କୁ କେବଳ ଦୁଇଟି ଆଧାରରେ ପଦଚ୍ୟୁତ କରାଯାଇ ପାରିବ। ପ୍ରଥମଟି ହେଲା ଭ୍ରଷ୍ଟ ଆଚରଣ ଏବଂ ଦ୍ୱିତୀୟଟି ଅକ୍ଷମତା। ତେବେ ଉଭୟ ମାମଲା ସଂପର୍କରେ ଆଇନରେ ସ୍ପଷ୍ଟ ବ୍ୟାଖ୍ୟା ନାହିଁ। ଏଥିରେ ଦୁର୍ନୀତି, ଭ୍ରଷ୍ଟାଚାର ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

‘ମହାଭିଯୋଗ’କୁ ରାଜନୈତିକ ଅସ୍ତ୍ର କରିଛି କଂଗ୍ରେସ

ନୂଆଦିଲ୍ଲୀ,: କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ଏବେ ମହାଭିଯୋଗକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି। ନ୍ୟାୟପାଳିକାକୁ ଅଯଥା ରାଜନୈତିକ ବିବାଦ ଭିତରକୁ ଟାଣିବାକୁ ଚାହୁଥିବା କଂଗ୍ରେସ ପାଖରେ ଏଥିପାଇଁ କୌଣସି ବଳିଷ୍ଠ ଯୁକ୍ତି ନାହିଁ। କୌଣସି ଗୁରୁତ୍ୱହୀନ ପ୍ରସଙ୍ଗରେ ମଧ୍ୟ ରାଜ୍ୟସଭାର ୫୦ ଜଣ ଏବଂ ଲୋକସଭାର ଶହେ ଜଣ ସଦସ୍ୟଙ୍କ ଦସ୍ତଖତ ସଂଗ୍ରହ କରିବା କଷ୍ଟସାଧ୍ୟ ନୁହେଁ। କିନ୍ତୁ ସୁପ୍ରିମ୍‌୍‌ କୋର୍ଟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ କେବଳ ‘ଅପାରଗତା’ ଏବଂ ‘ଖରାପ ଆଚରଣ’ ଆଧାରରେ ହୋଇପାରିବ ବୋଲି ଆଇନରେ ରହିଛି। କିନ୍ତୁ ପ୍ରଧାନ ବିଚାରପତିଙ୍କ ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ନାହିଁ। ଏଭଳି ସ୍ଥିତିରେ ଜଷ୍ଟିସ ଲୋୟା ମାମଲାରେ କଂଗ୍ରେସର ମିଥ୍ୟା ପଦାରେ ପଡ଼ିଯାଇଥିବାରୁ ଆକ୍ରୋଶମୂଳକ ଭାବେ ମହାଭିଯୋଗ ନୋଟିସ୍‌ ଦିଆଯାଇଛି ବୋଲି ଜେଟ୍‌୍‌ଲି କହିଛନ୍ତି। କଂଗ୍ରେସର ଦାବିଗୁଡ଼ିକ ସହ ନ୍ୟାୟପାଳିକାର କୌଣସି ସଂପର୍କ ନଥିବାରୁ ଏହି ମହାଭିଯୋଗ କେବଳ ରାଜନୈତିକ ସ୍ୱାର୍ଥ ପାଇଁ ଏକ ହଟଚମଟ ବୋଲି ଜେଟ୍‌୍‌ଲି କହିଛନ୍ତି।

ଦଳର ନିଷ୍ପତ୍ତିକୁ ସଲ୍‌ମାନ ଖୁର୍ସିଦଙ୍କ ବିରୋଧ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ବିରୋଧ କରିଛନ୍ତି। କୌଣସି ରାୟକୁ ନେଇ ଅସହମତି ପ୍ରକାଶ ପାଇବା ସ୍ୱାଭାବିକ କଥା, କିନ୍ତୁ ଏଥିପାଇଁ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଉଚିତ ନୁହେଁ ବୋଲି ଖୁର୍ସିଦ କହିଛନ୍ତି। ଏ ବାବଦରେ ଦଳର ନିଷ୍ପତ୍ତି କିମ୍ବା ଆଲୋଚନା ସହିତ ମୋର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି।

ବିରୋଧୀ ଦଳଙ୍କ ଯୁକ୍ତି
ନୂଆଦିଲ୍ଲୀ: କଂଗ୍ରେସ ସମେତ ୭ଟି ବିରୋଧ ଦଳ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଆଣିଥିବା ମହାଭିଯୋଗ ନେଇ ୫ଟି ପ୍ରମୁଖ କାରଣ ଦର୍ଶାଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭି ପ୍ରଥମେ ଏହି ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ମତ ଦେଇଥିଲେ। ଏହାପରେ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା ପରେ କଂଗ୍ରେସ ଏ ବାବଦ ନୋଟିସ୍‌ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛି। ମହାଭିଯୋଗ ନେଇ ଦଳ ଦର୍ଶାଇଥିବା ୫ଟି କାରଣ-

ପ୍ରସାଦ ଏଜୁକେସନ ଟ୍ରଷ୍ଟ ମାମଲାରେ ଅନୈତିକ ଫାଇଦା ଉଠାଇଥିବା ନେଇ ପ୍ରଧାନ ବିଚାରପତିଙ୍କ ନାମରେ ଅଭିଯୋଗ ହୋଇଛି। ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ପୂର୍ବତନ ବିଚାରପତି ଓ ମଧ୍ୟସ୍ଥିଙ୍କ ମଧ୍ୟରେ ହୋଇଥିବା ବିସ୍ତତ ଆଲୋଚନାର କଲ୍‌ ରେକର୍ଡ ଥିବା ସତ୍ତ୍ୱେ ଏହି ମାମଲାକୁ ଗମ୍ଭୀରତାର ସହ ନିଆଯାଇ ନଥିଲା। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯଥେଷ୍ଟ ପ୍ରମାଣ ଥିବା ସତ୍ତ୍ୱେ ସିବିଆଇ ତଦନ୍ତ ପାଇଁ ଜଷ୍ଟିସ୍‌ ମିଶ୍ର ଅନୁମତି ଦେଇନଥିଲେ। ଏତଦ୍‌ବ୍ୟତୀତ ସେ ପଦର ଦୁରୂପଯୋଗ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।

ପ୍ରଶାସନିକ ମାମଲାଗୁଡ଼ିକରେ ଜଷ୍ଟିସ୍‌ ମିଶ୍ରଙ୍କ ରାୟକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି। ପ୍ରସାଦ ଏଜୁକେସନ ଟ୍ରଷ୍ଟ ମାମଲାରେ ନ୍ୟାୟିକ ଓ ପ୍ରଶାସନିକ ଦିଗ ପ୍ରତି ଅଣଦେଖା କରାଯାଇଥିଲା ବୋଲି କଂଗ୍ରେସ କହିଛି।

ତୃତୀୟ ଅଭିଯୋଗଟି ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କଂଗ୍ରେସ ଦାବି କରିଛି। ପ୍ରଧାନ ବିଚାରପତି ପଛ ତାରିଖ ପକାଇ ମାମଲାଗୁଡ଼ିକର ଶୁଣାଣି କରୁଥିବା ନେଇ ମଧ୍ୟ ପ୍ରମାଣ ରହିଥିବା ଦଳ କହିଛନ୍ତି। ନୂଆ ମାମଲାର ଶୁଣାଣି ଅଧିକାର ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତିଙ୍କ ନିକଟରେ ରହିଥାଏ। କିନ୍ତୁ ଜଷ୍ଟିସ୍‌ ମିଶ୍ର ନିଜେ ମାମଲାର ଶୁଣାଣି କରିବା ଉଦ୍ଦେଶ୍ୟରେ ବରିଷ୍ଠତମ ବିଚାରପତି ଚେଲମେଶ୍ୱରଙ୍କୁ ମାମଲା ହସ୍ତାନ୍ତର କରିନଥିଲେ।

ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ନକଲି ସତ୍ୟପାଠ ଆଧାରରେ ଜଷ୍ଟିସ୍‌ ମିଶ୍ର ବେଆଇନ୍‌ ଭାବେ ଜମି ହଡ଼ପ କରିଥିବା କଂଗ୍ରେସ ଅଭିଯୋଗ କରିଛି। ୧୯୮୫ ମସିହାରେ ଏହି ଜମିିର ପ୍ରକୃତ ଦାବିଦାର ଆସିବା ପରେ ତାଙ୍କ ନିକଟରୁ ଏହି ଜମି ଚାଲିଯାଇଥିଲା। କିନ୍ତୁ ୨୦୧୨ ମସିହାରେ ସୁପ୍ରିମକୋର୍ଟର ବିଚାରପତି ହେବା ପରେ ପୁୁନଶ୍ଚ ତାଙ୍କୁ ଜମିର ମାଲିକାନା ମିଳିଥିଲା। ନିଜ ପଦର ଅପବ୍ୟବହାର କରି ‘ମାଷ୍ଟର ଅଫ ରୋଷ୍ଟର’ ଭାବେ ସମ୍ବେଦନଶୀଳ ମାମଲାଗୁଡ଼ିକର ବିଚାର ପାଇଁ ନିଜ ମନ ମୁତାବକ ଖଣ୍ଡପୀଠ ଗଠନ କରିବା ଓ ମାମଲା ଆବଣ୍ଟନରେ ପାତରଅନ୍ତର କରିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଗତ ଜାନୁଆରି ୧୨ ତାରିଖରେ ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ଗଣମାଧ୍ୟମ ସମ୍ମୁଖକୁ ଆସି ମାଷ୍ଟର ଅଫ୍‌ ରୋଷ୍ଟର ଅଧିକାରକୁ ନେଇ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ସେମାନେ ଉକ୍ତ ଦିନ ଆଣିଥିବା ଅଭିଯୋଗର କୌଣସି ନିରାକରଣ କରାଯାଇନାହିଁ।

ସମ୍ବନ୍ଧିତ ଖବର