ବଢ଼ିଚାଲିଛି ସୁପ୍ରିମକୋର୍ଟରେ ବିବାଦ: ଏଥର ବିଚାରପତି ନିଯୁକ୍ତିକୁ ନେଇ

ନୂଆଦିଲ୍ଲୀ: ପଞ୍ଜାବ-ହରିୟାନା ହାଇକୋର୍ଟ ବିଚାରପତି ସୂର୍ଯ୍ୟ କାନ୍ତଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ୍‌ ମନୋନୀତ କରିବାର ଦୁଇଦିନ ନ ପୁରୁଣୁ ଏହାକୁ ନେଇ ବିବାଦ ଉପୁଜିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏ.କେ.ଗୋଏଲ କଲେଜିୟମ୍‌ର ଏହି ନିଷ୍ପତ୍ତିରେ ଅରାଜି ଥିବା ନେଇ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ଚିଠି ଲେଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜଷ୍ଟିସ୍‌ ଗୋଏଲ କଲେଜିୟମ୍‌ର ସଭ୍ୟ ନୁହଁନ୍ତି କିନ୍ତୁ ଆଇନ୍‌ଗତ ନିୟମ ଅନୁସାରେ ସେ ସୁପ୍ରିମକୋର୍ଟର ପରାମର୍ଶଦାତା ବିଚାରପତି ଓ କୌଣସି ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି ଓ ପଦୋନ୍ନତିରେ ତାଙ୍କର ପରାମର୍ଶ ନିଆଯବାର ଆବଶ୍ୟକତା ରହିଛି। ପଞ୍ଜାବ-ହରିୟାନା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଏ.କେ.ମିତ୍ତଲ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ଠାରୁ ବରିଷ୍ଠ ଥିବା ସତ୍ୱେ କନିଷ୍ଠଙ୍କୁ କିଭଳି ନିଯୁକ୍ତି ପାଇଁ ସୁପାରିଶ କରାଯିବ ବୋଲି ଜଷ୍ଟିସ୍‌ ଗୋଏଲ ମତବ୍ୟକ୍ତ କରିଛନ୍ତି।

ଗତ ୧୦ ତାରିଖରେ ସୁପ୍ରିମକୋର୍ଟର ୩ ବରିଷ୍ଠ ବିଚାରପତି ଜଷ୍ଟିସ ଦୀପକ ମିଶ୍ର,ଜଷ୍ଟିସ୍‌ ଚେଲମେଶ୍ୱର ଓ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ କଲେଜିୟମରେ ଏହି ନିଷ୍ପତ୍ତି ହୋଇଥିଲା। କଲେଜିୟମ ପ୍ରଥମେ ଜଷ୍ଟିସ୍‌ ମିତ୍ତଲଙ୍କୁ ନେଇ ଆଲୋଚନା କରିଥିଲା ମାତ୍ର ଦୁଇ ଜଣ ସଭ୍ୟ ଅରାଜି ହେବା ପରେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ନାମ ସୁପାରିଶ କରାଯାଇଥିବା ଜଣାପଡ଼ିଛି। ୧୧ ତାରିଖରେ କଲେଜିୟମ ଦେଇଥିବା ନୋଟିସ୍‌ ମୁତାବକ ୨୦୦୩ ମସିହାରେ ମଧ୍ୟ ଏହି ୨ ବିଚାରପତିଙ୍କୁ ହାଇକୋର୍ଟ ମୁଖ୍ୟ ବିଚାରପତି କରିବା ନେଇ ବିବାଦ ଉପୁଜିଥିଲା। ସେହି ସମୟରେ ଗୁଇନ୍ଦା ବିଭାଗ ଜଷ୍ଟିସ୍‌ ମିତ୍ତଲଙ୍କ ମନୋନୟନ ନେଇ ପ୍ରତିକୂଳ ରିପୋର୍ଟ ଦେବାପରେ ତାଙ୍କ ସୁପାରିଶରେ ରୋକ୍‌ ଲଗାଯାଇଥିଲା। କେତେବେଳେ କଲେଜିୟମ ତ ଆଉ କେତେବେଳେ ପରାମର୍ଶଦାତା ବିଚାରପତିଙ୍କ ମତକୁ ନେଇ ବିଭିନ୍ନ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି ନେଇ ବିବାଦ ଲାଗି ରହିଛି।ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏମ୍‌ ଜେସେଫଙ୍କୁ ସୁପ୍ରିମକୋର୍ଟ ଓ ବରିଷ୍ଠ ଆଇନ୍‌ଜୀବୀ ଇନ୍ଦୁ ମାଲହୋତ୍ରାଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦିଆଯିବା ନେଇ କଲେଜିୟମର ସୁପରାଶ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ସମ୍ବନ୍ଧିତ ଖବର