ସେନା ଅଧିକାରୀଙ୍କ ବିରୋଧରେ ଆଗତ ଏଫ୍‌ଆଇଆର୍‌ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍‌କୋର୍ଟ

ଜମ୍ମୁ: ଭାରତୀୟ ସେନା ବାହିନୀର କେତେକ ଜବାନଙ୍କ ବିରୋଧରେ ଜମ୍ମୁ-କଶ୍ମୀର ପୋଲିସ୍‌ ନିକଟରେ ଆଗତ ହୋଇଥିବା ଏକ ଏଫ୍‌ଆଇଆର୍‌ ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ରହିତାଦେଶ ଜାରି କରିଛନ୍ତି। ଏଥିସହ ଏହି ମାମଲାରେ କୋର୍ଟ କେନ୍ଦ୍ର ଓ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ନୋଟିସ୍‌ ଜାରି କରିଛନ୍ତି। ସେନାର ମେଜର୍‌ ଆଦିତ୍ୟ କୁମାରଙ୍କ ପିତା ଲେଫ୍ଟନାଣ୍ଟ କର୍ଣ୍ଣେଲ କରମ୍‌ବୀର୍‌ ସିଂହଙ୍କ ପକ୍ଷରୁ ଆଗତ ଏକ ଆବେଦନର ଶୁଣାଣି କରିବା ଅବସରରେ ସୁପ୍ରିମ୍‌କୋର୍ଟ ଆଜି ଏ ପ୍ରକାରର ନିଷ୍ପତ୍ତି ନେଇଛନ୍ତି। ଏଥିସହ ଏଫ୍‌ଆଇଆର୍‌ରେ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା କୌଣସି ସେନା ଅଧିକାରୀଙ୍କ ବିରୋଧରେ ଜମ୍ମୁ-କଶ୍ମୀର ପୋଲିସ୍‌ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୨୭ ତାରିଖରେ ସେନା ବାହିନୀର କିଛି ଯବାନ ଏକ ଭ୍ୟାନ୍‌ରେ ଜମ୍ମୁ-କଶ୍ମୀରର ସୋପିଆନ୍‌ ଠାରେ ପାଟ୍ରୋଲିଂ କରୁଥିବାବେଳେ କିଛି ଅସାମାଜିକ ଲୋକ ସଂଘବଦ୍ଧ ଭାବେ ଆସି ଯବାନମାନଙ୍କ ଭ୍ୟାନ୍‌ ଉପରକୁ ପଥର ମାଡ଼ କରିଥିଲେ। ଏହି ଘଟଣାରେ ସେନା କର୍ମଚାରୀମାନେ ପଥରମାଡ଼ କରୁଥିବା ଅସାମାଜିକ ଲୋକମାନଙ୍କୁ ଘଉଡ଼ାଇବା ଉଦ୍ଦେଶ୍ୟରେ ଗୁଳିଚାଳନା କରିଥିଲେ। ଏହି ଘଟଣାରେ ଜବାନଙ୍କ ଗୁଳିରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଜମ୍ମୁ- କଶ୍ମୀର ପୋଲିସ୍‌ ଏକ ଏଫ୍‌ଆଇଆର୍‌ ଆଗତ କରି ମେଜର୍‌ ଆଦିତ୍ୟ କୁମାରଙ୍କ ସମେତ ଅନ୍ୟ କିଛି ଜବାନଙ୍କୁ ଅଭିଯୁକ୍ତ ଦୋଷୀ ଭାବେ ଦର୍ଶାଇଥିଲା। ତେବେ, ଏହି ଏଫ୍‌ଆଇଆର୍‌କୁ ବିରୋଧ କରି ସେନା ମେଜର୍‌ ଆଦିତ୍ୟ କୁମାରଙ୍କ ପିତା ଲେଫ୍ଟନାଣ୍ଟ କର୍ଣ୍ଣେଲ କରମ୍‌ବୀର୍‌ ସିଂହଙ୍କ ସୁପ୍ରିମ୍‌କୋର୍ଟରେ ଏକ ଯାଚିକା ଆଗତ କରିଥିଲେ।

ସମ୍ବନ୍ଧିତ ଖବର